ଚାଦରିଆଝିନି ରେ ଝିନି, ଚାଦରିଆଝିନି ରେ ଝିନି
ରାମ ନାମ ରସଭିନି ଚାଦରିଆଝିନି ରେ ଝିନି
ଅଷ୍ଟ କମଳ କା ଚରଖା ବନାୟା, ପାଞ୍ଚ ତତ୍ତ୍ୱ କୀ ପୂନୀ
ନଉ ଦସ ମାସ ବିନନ କୋ ଲାଗେ, ମୁରଖ ମୈଲିକୀନି
ଚାଦରିଆଝିନି ରେ ଝିନି...
ଏହି ବସ୍ତ୍ର କେତେ ସୂକ୍ଷ୍ମ, କେତେ ସୁନ୍ଦର..
ରାମ ନାମରେ ଭିଜିଛି ଏହି ସୂକ୍ଷ୍ମ ଚାଦର।
ଆଠ ପାଖୁଡ଼ା ପଦ୍ମ ସଦୃଶ ଚରଖାରେ ସୂତା କଟାଯାଇଛି,
ଏବଂ ପାଞ୍ଚତତ୍ତ୍ୱର ତନ୍ତୁରେ ତିଆରି ହୋଇଛି।
ବୁଣିବାକୁ ଲାଗେ ନଅ-ଦଶ ମାସ ସମୟ,
ଏହାକୁ ତୁମେ କଲ ଅପରିଷ୍କାର,
ତୁମେ ମୁର୍ଖ, ଏହି ବସ୍ତ୍ର କେତେ ସୂକ୍ଷ୍ମ, କେତେ ସୁନ୍ଦର...
ନେହରୁ ଦାସ ଜୀ କବୀରଙ୍କ ଏକ ଭଜନ ଗାଉଥିବାବେଳେ ତାଙ୍କ ଆଙ୍ଗୁଠିଗୁଡ଼ିକ ହାରମୋନିୟମ୍ କୀ’ ଉପରେ ନିପୁଣତାର ସହ ଅପୂର୍ବ ସମନ୍ୱୟରେ ଚାଲୁଛି, ସତେ ଯେମିତି ସଙ୍ଗୀତର ସ୍ୱର ଏବଂ ଭାବନାକୁ ଏକାଠି କରି ସେ ଏକ ସୁନ୍ଦର ପାଟର୍ନ ବୁଣୁଛନ୍ତି। ଦିନେ ତାଙ୍କ ଆଙ୍ଗୁଠି ତନ୍ତ ଉପରେ ଏମିତି ହିଁ ନାଚୁଥିଲା, ତାହା କଳ୍ପନା କରିବା ସହଜ। ଯଦିଓ ଆଜିକାଲି ତାଙ୍କ ପାଇଁ ବୁଣିବା ଅପେକ୍ଷା ଗାଇବା ଅଧିକ ସ୍ୱାଭାବିକ ହୋଇଛି। ଏହି ପରମ୍ପରାକୁ ସେ ତାଙ୍କର ଦୁଇ ପୁଅଙ୍କୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ଜଣେ କବୀରପନ୍ଥୀ (ପଞ୍ଚଦଶ ଶତାବ୍ଦୀର ରହସ୍ୟବାଦୀ କବି କବୀରଙ୍କ ଅନୁଗାମୀ) ଭାବେ ଗୀତ ଏବଂ ତାଙ୍କ କାମ ମଧ୍ୟରେ ଥିବା ସମ୍ପର୍କକୁ ଆମକୁ ଦେଖାଇବା ପାଇଁ ସେ ବହୁତ ଆଗ୍ରହୀ।
“ଯେଉଁଭଳି ଭାବରେ ଭଗବାନ ଏହି ଶରୀରକୁ ବନାଇବାକୁ ସମୟ ନିଅନ୍ତି, ମା’ର ଗର୍ଭରେ ଶିଶୁ ଜନ୍ମ ହେବା ପାଇଁ ନଅ ମାସ ସମୟ ନିଏ। ହମାରା କବୀର ସାହେବ ଏ ବାତ୍ କୋ ଆଉର୍ କପଡ଼େବିନ୍ନେବାଲି ବାତ୍ କୋ ଏକ୍ ଦୁସରେ ସେ ଯୋଡ୍ ସଂସାର୍ କୋ ସମଝା ରହେ ହୈ । [ଆମର କବୀର ସାହେବ ଏହି କଥା ଏବଂ କପଡ଼ା ବୁଣିବା କଥାକୁ ପରସ୍ପର ସହ ଯୋଡ଼ି ସଂସାରର ସତ୍ୟ ବୁଝାଉଛନ୍ତି।” ୭୮ ବର୍ଷୀୟ ନେହରୁ ଦାସ ନିଜକୁ ବୈଗାଚକ ଅଞ୍ଚଳର ସବୁଠାରୁ ପୁରୁଣା ବୁଣାକାର ବୋଲି କହନ୍ତି।






















