ରୋଷେଇ ଚୁଲିରୁ ବାହାରୁଥିବା ଧୂଆଁ ଓ ଭଜା ଜୱାରର ମହକରେ ପବନ ମହକି ଉଠୁଛି। ହୁରଡ଼ା ଉତ୍ସବ ଚାଲିଛି! ସଦ୍ୟ ଅମଳ ଜଓ୍ୱାର, ଯାହାକୁ ହୁରଡ଼ା ବୋଲି ମଧ୍ୟ କୁହାଯାଇଥାଏ, ଅତ୍ୟନ୍ତ ଲୋକପ୍ରିୟ ସୁସ୍ୱାଦୁ ବ୍ୟଞ୍ଜନ ଅଟେ ଏବଂ କୃଷକମାନେ ସେମାନଙ୍କ ଶସ୍ୟ ଆଣି ମରାଠଓ୍ୱାଡ଼ାର ଗାଁରୁ ସହର ଯାଏ ଷ୍ଟଲ୍ ପକେଇଛନ୍ତି।
ଲୋଧ୍ୟାଚିୱାଡ଼ିର ଜଓ୍ୱାର ଚାଷୀ ସୂର୍ଯ୍ୟକାନ୍ତ ମୈନ୍ଦ କହନ୍ତି, “ଏଥିପାଇଁ ଲୋକେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି ।” ସେ ଜଲାନା ଜିଲ୍ଲାରେ ତାଙ୍କର ପାଞ୍ଚ ଏକର ଜମିରେ ବେଦ୍ରି ଏବଂ ମାଲଦଣ୍ଡି ପ୍ରଜାତିର ଜଓ୍ୱାର ଚାଷ କରିଛନ୍ତି। ତାଙ୍କ ପରିବାର ଡିସେମ୍ବରରେ ଅଧା ଫସଲ କାଟିଥିଲେ, ହେଲେ ସେତେବେଳେ ତାହା କୋମଳ ଥିଲା ଏବଂ ଅବଶିଷ୍ଟ ପାକଳ ହେବା ପରେ ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସରେ ଅମଳ ହେବ।
ସତର୍କତା ସହିତ ଅମଳ ହୋଇଥିବା କୋମଳ ଜଓ୍ୱାର(ହୁରଡ଼ା) ନେଇ ମୈନ୍ଦ ଜଲାନା ସହର ଆଡ଼କୁ ଯାଇଥାନ୍ତି। ୫୫ବର୍ଷ ବୟସ୍କ ଏହି ଚାଷୀ କହନ୍ତି ଯେ, ସେ ପ୍ରତିବର୍ଷ ୪୦ କିଲୋଗ୍ରାମ କୋମଳ ଜଓ୍ୱାର କିଲୋଗ୍ରାମ ପ୍ରତି ୧୫୦ ଟଙ୍କାରେ ବିକ୍ରି କରିଥାନ୍ତି।
ଷ୍ଟଲରେ ହୁରଡ଼ା ପ୍ରସ୍ତୁତ କରିବା ହେଉଛି ଏକ ଧୀର, ଧ୍ୟାନପୂର୍ବକ କରାଯାଉଥିବା ପ୍ରକ୍ରିୟା ଏବଂ ଏଥିରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏହି କୋମଳ ଜଓ୍ୱାର କେଣ୍ଡାଗୁଡ଼ିକୁ ପୂର୍ବରୁ ଅମଳ ହୋଇଥିବା ଶୁଖିଲା କେଣ୍ଡା ବ୍ୟବହାର କରି ଗୋଟିଏ ଖାଲୁଆ ଜାଗାରେ ଭଜାଯାଇଥାଏ। ବଣ୍ଡଲଗୁଡ଼ିକ ଓଲଟାଇବା ଏବଂ ତାକୁ ସମାନ ଭାବରେ ଭାଜିବା ପାଇଁ ଏକ ଲମ୍ୱା କାଠବାଡ଼ି ବ୍ୟବହାର କରାଯାଇଥାଏ। ଏଥିରେ ସମୟର ହିସାବ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଛତ୍ରପତି ଶାମ୍ଭାଜୀନଗର (ପୂର୍ବରୁ ଔରଙ୍ଗାବାଦ୍ ଜିଲ୍ଲା)ର ଜଣେ ୪୫ବର୍ଷ ବୟସ୍କ ଚାଷୀ ଭୀମା ନାନା ଦଖାନେ କହନ୍ତି, “ଏହାକୁ ଶୀଘ୍ର ବାହାର କରିଦେଲେ କଞ୍ଚା ରହିଯାଏ; ଦୀର୍ଘ ସମୟ ପର୍ଯ୍ୟନ୍ତ ତାକୁ ସେପରି ଛାଡ଼ିଦେଲେ, ତାହା ଶୁଖିଯାଇଥାଏ।”
ଭଜା ହୋଇସାରିବା ପରେ ମହିଳାମାନେ ସେମାନଙ୍କ ପାପୁଲିରେ ଘଷି ଦାନାରୁ ଚୋପା ଛଡାଇଥାନ୍ତି। ତା’ ପରେ ରୋଷେଇ କରିଥାନ୍ତି। ସବିତା ଦଖାନେ କହନ୍ତି, “ସକାଳୁ ସନ୍ଧ୍ୟା ଯାଏ ମୁଁ ଅନ୍ୟ ମହିଳାମାନଙ୍କ ସହିତ ରୋଷେଇ ଘରେ ଥାଏ। ସିଧାସଳଖ କ୍ଷେତରୁ ଆସିଥିବା ଜିନିଷ ପରଷିବାରେ ଆମେ ଗର୍ବ ଅନୁଭବ କରିଥାଉ।”














