ମନୋର ଫଟାରେ (ଛକ) ଥୁରୁଥୁରୁ ଶୀତ ସକାଳ ଏବଂ ଚାଷୀମାନେ ରାତିରେ ନିଆଁ ପୋଇଥିବା ସ୍ଥାନ ଚାରିପଟେ ପାଉଁଶ ଗୁଣ୍ଡ ଉଡ଼ୁଛି। କାଲି ରାତିରେ ପ୍ରବଳ ଶୀତ ହେଉଥିଲା ଏବଂ ସକାଳୁ ସକାଳୁ ମଧ୍ୟ କମ୍ ଶୀତ ପଡ଼ିନି, ଲକ୍ଷ୍ମୀ ଦାତୁ ବୋବା କହିଲେ ‘‘ରାତି ସାରା ଯେମିତି କାକର ନୁହେଁ ଆମ ଉପରେ ଶୀତଳ ବର୍ଷା ପଡ଼ୁଥିଲା ଦେହମୁଣ୍ଡ ଥରୁଥିଲା।’’
ଶୀତରେ ଯେତିକି କମ୍ପ ଆସୁଥିଲା ତାହାଠୁ ଅଧିକ କ୍ରୋଧରେ କମ୍ପୁଥିଲେ ୪୬ ବର୍ଷ ବୟସର ଆଦିବାସୀ ଚାଷୀ, ତାଙ୍କର ସମସ୍ୟା ଥିଲା ଜମି, ପାଣି ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାରିଶ୍ରମିକ ସହିତ କାମ। ତାଙ୍କ ପରି, ହଜାର ହଜାର ପୁରୁଷ ଓ ମହିଳା ପାଲଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲି ଚାଲି ଆସିଛନ୍ତି, ବହୁଦିନରୁ ପଡ଼ିରହିଥିବା ସମସ୍ୟାର ସମାଧାନ ନ ହେବା କାରଣରୁ ଧାରଣାରେ ବସିଛନ୍ତି; ସେମାନଙ୍କ ଜମି ପ୍ଲଟର ମାଲିକାନା ପ୍ରଦାନ, ପାନୀୟ ଜଳ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାରିଶ୍ରମିକ ସହିତ କାମ। ଯେଉଁ ସମସ୍ୟାଗୁଡ଼ିକ ସମ୍ମାନର ସହ ଜୀବନ ବଞ୍ଚିବା ପାଇଁ ନିହାତି ଆବଶ୍ୟକ।
‘‘ସାରା ବର୍ଷ କଥା ଭୁଲି ଯାଆନ୍ତୁ, ଆମେ ଦିନକ ପାଇଁ ମଧ୍ୟ ରୋଜଗାର ହାମି ଯୋଜନା ଅଧୀନରେ କାମ ପାଇନାହୁଁ’’, କ୍ଷୁବ୍ଧ ସ୍ୱରରେ କହନ୍ତି ଲକ୍ଷ୍ମୀ, ସେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ (ମନରେଗା) ବିଷୟରେ କହୁଛନ୍ତି। କେନ୍ଦ୍ର ସରକାର ନିକଟରେ ଏହାର ସଂରଚନାରେ ପରିବର୍ତ୍ତନ କରିଛନ୍ତି ଏବଂ ଏହାକୁ ବିକଶିତ ଭାରତ - ଜି ରାମ ଜି ଆଇନ (ଭିବି-ଜି ରାମ ଜି) ନାମରେ ନାମିତ କରିଛନ୍ତି, ଆଇନଗତ ଭାବରେ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଏଥିରେ ପରିବର୍ତ୍ତନ ଆଣିଛନ୍ତି ଏବଂ ରାଜ୍ୟଗୁଡ଼ିକ ଉପରେ ଏହି କାର୍ଯ୍ୟକ୍ରମ ନିମନ୍ତେ ବହୁଳ ପରିମାଣରେ ବ୍ୟୟ ଅଟକଳ ନ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସିପିଆଇ (ଏମ୍) ଏବଂ ଅଲ୍ ଇଣ୍ଡିଆ କିଷାନ ସଭାର ମହାରାଷ୍ଟ୍ର ୟୁନିଟ ଦ୍ୱାରା ଆୟୋଜିତ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ହଜାର ହଜାର ଲୋକଙ୍କର ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟ ଦାବି ହେଉଛି ସର୍ବନିମ୍ନ ପାରିଶ୍ରମିକ ୬୦୦ ଟଙ୍କା ସହିତ ବର୍ଷରେ ୨୦୦ ଦିନ ପାଇଁ ନିଶ୍ଚିତ ନିଯୁକ୍ତି ରହିଥିଲା। ଏହି ପଦଯାତ୍ରା ଜାନୁଆରୀ ୨୧ରେ ଜିଲ୍ଲାପାଳଙ୍କର ପ୍ରତିଟି ଦାବି ପାଇଁ ପ୍ରତିଶ୍ରୁତି ପରେ ସମାପ୍ତ ହୋଇଥିଲା ଯାହାକି ଜାନୁୟାରୀ ୧୯, ୨୦୨୬ରେ ଆରମ୍ଭ ହୋଇଥିଲା।












