ଚନ୍ଦ୍ରମା, ଧଳା ଏବଂ ହଳଦିଆ କାଠଚମ୍ପା ଫୁଲ (ଫ୍ରାଞ୍ଜିପାନି, କିମ୍ବା ପ୍ଲୁ ମେରିଆ ରୁବ୍ରା) ର ଏକ ଲମ୍ବା ମାଳା ଗୁନ୍ଥୁଛନ୍ତି। ତାଙ୍କର ସୁନାରେ ତିଆରି ନାକର ତିନିଟି ନୋଥ ଏପ୍ରିଲ୍ ଅପରାହ୍ଣରେ ସୂର୍ଯ୍ୟଙ୍କର ସୁନେଲି କିରଣଠାରୁ ବି ଅଧିକ ଝଟକୁଥିଲା ଆଉ ତାଙ୍କ ହାତରେ ଶୋଭା ପାଉଥିଲା ଗାଢ଼ ହଳଦିଆ ରଙ୍ଗର କବରୀଯୁକ୍ତ କାଠ ଚମ୍ପାଫୁଲ। ସେ ଏବଂ ତାଙ୍କ ସହିତ ଆଉ କୋଡ଼ିଏ ଜଣ ଗଦବା ଆଦିବାସୀ ସମ୍ପ୍ରଦାୟର ମହିଳା ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ପୁଟପାଣ୍ଡି ଗ୍ରାମର ଏକ ଖୋଲା ସ୍ଥାନରେ ବସି ଫୁଲମାଳ ଗୁନ୍ଥୁଛନ୍ତି। ଆଉ ଏ ସମସ୍ତ ମହିଳା ନାକରେ ଦୁଇରୁ ତିନିଟି ଲେଖାଏ ନୋଥ ପିନ୍ଧିଛନ୍ତି।
“ଡାହାଣ ନାକ ପୁଡ଼ାରେ ପିନ୍ଧିଥିବା ନୋଥକୁ ଆମେ ବେସରୀ, ବାମ ନାକପୁଡ଼ାରେ ନୋଥ ଏବଂ ମଝିରେ ପିନ୍ଧିଥିବା ନୋଥକୁ ଦଣ୍ଡି କହିଥାଉ। ମୁଁ ଏହା ସବୁବେଳେ ପିନ୍ଧିଥାଏ। ମତେ ଲାଗୁଛି, ଏସବୁ ସହିତ ମୁଁ ଯେମିତ ଜନ୍ମ ହୋଇଥିଲି,” ବୋଲି ହସି ହସି ୭୦ବର୍ଷୀୟ ଚନ୍ଦ୍ରମା ଗଦବା କହିଥିଲେ। ତାଙ୍କର ଦଣ୍ଡି ଟିକିଏ ଉପରକୁ ଉଠିଯିବା ଫଳରେ ତାଙ୍କର ତଳ ଓଠ ଦେଖାଯାଉଛି, ଅନ୍ୟଥା ନାକପୁଡ଼ାରୁ ଝୁଲୁଥିବା ଏହି ସୁନାର ଘଣ୍ଟିରେ ସାଧାରଣତଃ ତାକୁ ଘୋଡ଼ାଇ ରଖିଥାଏ।
ପୂର୍ବରୁ ଆମ ଗଦବା ସମ୍ପ୍ରଦାୟର ଝିଅମାନଙ୍କୁ ଛୋଟବେଳୁ ହିଁ ତିନିଟି ନୋଥ ପିନ୍ଧାଇ ଦିଆଯାଉଥିଲା। କିନ୍ତୁ, ଆଜିକାଲି ନାକଫୋଡ଼ା ବିଳମ୍ବରେ ଅର୍ଥାତ ପାଞ୍ଚ କିମ୍ବା ଦଶବର୍ଷ ବୟସରେ କରାଯାଉଛି। ବେଳେ ବେଳେ ଆମ ସମ୍ପ୍ରଦାୟର ଅନେକ ଯୁବତୀ ନାକ ଫୋଡ଼େଇବାକୁ ନାପସନ୍ଦ କରିଥାନ୍ତି ବୋଲି ସେ କହିଥିଲେ। କଥାବର୍ତ୍ତା ବେଳେ ତାଙ୍କ ହାତରେ ଥିବା ମୁଠା ମୁଠା ତାଜାଫୁଲକୁ ସେ ମାଳା କରି ଗୁନ୍ଥୁଥିଲେ। ଏସବୁ ମାଳାରେ, ସନ୍ଧ୍ୟାରେ ଶିକାରରୁ ଫେରିଥିବା ପୁରୁଷମାନଙ୍କର ସ୍ଵାଗତ କରାଯିବ। ଏହା ହେଉଛି ଚଇତି ପରବ। (ଚୈତ୍ର ପର୍ବ ମଧ୍ୟ କୁହାଯାଏ)
ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ୧୪ ଦିନ ଧରି ପାଳନ କରୁଥିବା ଚଇତି ପରବ ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ହିନ୍ଦୁ ପାଞ୍ଜିରେ ଏହା ଚୈତ୍ରମାସର ପ୍ରାରମ୍ଭକୁ ସୂଚାଇଥାଏ। ଏହି ଉତ୍ସବ ଏପ୍ରିଲ ମାସର ମଝାମଝି ସମୟରେ ପାଳିତ ହୋଇଥାଏ। ପାରମ୍ପରିକ ଭାବେ ଏହି ସମୟ କୃଷିକ୍ଷେତ୍ରରୁ ବିଶ୍ରାମର ସମୟ ହୋଇଥାଏ। ଏହି ସମୟରେ ପବନରେ ଗ୍ରୀଷ୍ମଲହରି ଗୀତ ଗାଉଥିବା ବେଳେ ଚାରିଆଡ଼େ ଋତୁଗତ ଫୁଲ ଓ ଫଳର ସମ୍ଭାର ଦେଖିବାକୁ ମିଳିଥାଏ। ଗଦବା ସମ୍ପ୍ରଦାୟର ଯୁବା ଏବଂ ବୟସ୍କ ମହିଳାମାନେ ଦଳ ଦଳ ହୋଇ ସମବେତ କଣ୍ଠରେ ଗୀତ ଗାଇ ନାଚିଥାନ୍ତି, ମଦ ପିଇଥାନ୍ତି, କଞ୍ଚା ଆମ୍ବ ଭଗବାନଙ୍କୁ ଅର୍ପଣ କରିଥାନ୍ତି ଏବଂ ଶିକାରରୁ ଫେରୁଥିବା ପୁରୁଷମାନଙ୍କୁ ସ୍ୱାଗତ କରିବା ପାଇଁ ମାଳା ଗୁନ୍ଥିଥାନ୍ତି।








