“ଆମେ ଏହି ଭୋଜିର ଖାଦ୍ୟ ଗ୍ୟାସ୍ରେ ରାନ୍ଧିବାକୁ ଯୋଜନା କରିଥିଲୁ”, କହନ୍ତି ପାଖରେ ଜୁକଜୁକ ଜଳୁଥିବା ନିଆଁ ଆଡ଼କୁ ଚୁପ୍ ହୋଇ ଚାହିଁ ରହିଥିବା ରିଆଜ ଅହମଦ। “କିନ୍ତୁ ଏହି ନିଅଣ୍ଟିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ତା’ ପରିବର୍ତ୍ତେ ଜାଳେଣି କାଠ ବ୍ୟବହାର କଲି। ଏଥିରେ ପ୍ରାୟ ଦୁଇଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଲା”।
୫୦-ବର୍ଷୀୟ ରିଆଜ ଅହମଦ ଅଞ୍ଚାରୀ ହେଉଛନ୍ତି ଜଣେ ୱାଜା, ପାରମ୍ପରିକ କାଶ୍ମିରୀ ପାଚକ। ପ୍ରକୃତରେ ଏଠାରେ, ତାଙ୍କର ଜଣେ ବନ୍ଧୁଙ୍କ ଭଉଣୀ ବାହାଘରରେ ସେ ହେଉଛନ୍ତି ମୁଖ୍ୟ ପାଚକ। ଏବଂ ସେ ଏପର୍ଯ୍ୟନ୍ତ ଅଜଣା ଏକ ସମସ୍ୟାରେ ସେ ଘାଣ୍ଟି ହେଉଛନ୍ତି।
ପ୍ରାୟ ୩,୦୦୦ କି. ମି. ଦୂର ଇରାନରେ ହେଉଥିବା ଯୁଦ୍ଧ କାଶ୍ମୀରରେ ହେଉଥିବା ବାହାଘରରେ ବିଘ୍ନ ଘଟାଉଛି।
ଆଗରୁ ସାରା ଘର ପ୍ରାଣୋଚ୍ଛଳ ଲାଗୁଥିଲା। କେତେକ ଲୋକ ପାରମ୍ପରିକ ସଙ୍ଗୀତ ଗାନ କରୁଥିଲେ, ଅନ୍ୟମାନେ ନୃତ୍ୟରେ ମଜ୍ଜି ଯାଉଥିଲେ, ଯେତେବେଳେ ଅନ୍ୟ କେତେକ ଅତିଥିମାନଙ୍କୁ ପାଛୋଟି ଆଣୁଥିଲେ। ଘର ଚାରିପଟେ ଝୁଲି ରହିଥିବା ଆଲୋକମାଳା ରାତିକୁ ରଙ୍ଗମୟ କରି ଦେଉଥିଲା।
ମତେ ୱାଜାମାନେ ସର୍ବଦା ଆକର୍ଷଣୀୟ ଲାଗୁଥିଲେ, ସେମାନଙ୍କର ଗପ, ସେମାନଙ୍କର ରାନ୍ଧଣା କେତେ ପିଢ଼ି ଧରି ଗଡ଼ି ଆସୁଥିଲା। ଏବଂ ତେଣୁ, ଯେତେବେଳେ ସେମାନେ ବାହାଘର ପାଇଁ ରାନ୍ଧିବା କାମ ଶେଷ କରି ସାରିଥାନ୍ତି, ମୁଁ ଯାଇ ସେହି ପାଚକମାନଙ୍କ ପାଖରେ ରାତି ପ୍ରାୟ ୧୧ଟା ବେଳକୁ ବସି ଯାଉଥିଲି।
ପ୍ରତି ୱାଜା ହେଉଛନ୍ତି ଅତି ମାତ୍ରାରେ ଦକ୍ଷ। ଜଣେ ଯଦି ନିଖୁଣ ଭାବେ ମାଂସ କାଟିବାରେ ଆଶ୍ଚର୍ଯ୍ୟଜନକ ଭାବେ ଧୁରନ୍ଧର, ତେବେ ଅନ୍ୟ ଜଣେ ଧୀରେଧୀରେ ପାଚନ ପ୍ରକ୍ରିୟାର ସଠିକ ସମୟ କ୍ରମ ବୁଝିବାରେ ଓସ୍ତାଦ। ପୁଣି ଆଉ ଜଣଙ୍କ ପାଖରେ ରହିଛି ମସଲାମସଲିର ସ୍ୱତନ୍ତ୍ର ଜ୍ଞାନ, ଯେଉଁଥିରୁ କେବଳ ଥରେ ମାତ୍ର ଚାହିଁଦେଇ ସେ କହିଦେଇ ପାରିବେ ସେହି ଖାଦ୍ୟରେ କେଉଁ ସ୍ୱାଦ ଅଭାବ ରହିଛି।











