ମୋଟର ସାଇକେଲରେ ଦୁଇଟି ବଡ଼ ବଡ଼ ପ୍ଲାଷ୍ଟିକ୍ ଡବା ବାନ୍ଧି ତାଙ୍କ ଟ୍ରାକ୍ଟରଗୁଡ଼ିକ ଲାଗି ଡିଜେଲ କିଣିବା ପାଇଁ ସହର ଯିବାକୁ ବାହାରିଛନ୍ତି ତୁକାରାମ ମାସଲ । ହେଲେ କାହିଁକି ସେ ସିଧା ତାଙ୍କ ଟ୍ରାକ୍ଟରଗୁଡ଼ିକୁ ନେଇ ଯାଉନାହାନ୍ତି ?
“ସେଥିରେ ଇନ୍ଧନ ଓ ଟଙ୍କା ଦୁଇଟା ଯାକ ନଷ୍ଟ ହେବ,” ମାସଲ କହନ୍ତି । ଗୋଟିଏ ଟ୍ରାକ୍ଟର ଗୋଟିଏ ଲିଟର ଡିଜେଲରେ ଅତି ବେଶୀରେ ପାଞ୍ଚ କିଲୋମିଟର ଚାଲେ ଏବଂ “ଏବେ ଡିଜେଲ ଲିଟର ପିଛା ପାଖାପାଖି ୧୦୦ ଟଙ୍କା ।” ଆଉ ତା ସହିତ ତାଙ୍କୁ ଗୋଟିଏରୁ ଆଉ ଗୋଟିଏ କରି ଅନେକ ପେଟ୍ରୋଲ ପମ୍ପ ବୁଲିବାକୁ ପଡ଼ିବ ।
ଡିଜେଲ କିଣା ଉପରେ କଟକଣା ଆରମ୍ଭ ହେଲାଣି ।
“ଥରକରେ ସେମାନେ ଆମକୁ ଅଳ୍ପ କେଇ ଲିଟର ଦିଅନ୍ତି,” ମହାରାଷ୍ଟ୍ରର ମରୁଡ଼ି ପ୍ରବଣ ଧାରାଶିବ ଜିଲ୍ଲାର ଭୁମ ସହରରୁ ପ୍ରାୟ ୨୫ କିଲୋମିଟର ଦୂର ୱକୱାଡ଼ ଗାଁର ବାସିନ୍ଦା ୫୩ ବର୍ଷୀୟ ମାସଲ କହନ୍ତି।
ସେ କହନ୍ତି, “ଅତି କମ୍ ରେ ୨୦-୨୫ ଲିଟର ଡିଜେଲ ପାଇବା ଲାଗି ମୋତେ ଭିନ୍ନ ଭିନ୍ନ ପାଞ୍ଚଟା ପେଟ୍ରୋଲ ପମ୍ପ ଯିବାକୁ ପଡ଼େ ଏବଂ ସେଥିରେ ମାତ୍ର ଦିନକର କାମ ଚଳେ ।” ଭୁମ ଓ ଆଖପାଖ ଅଞ୍ଚଳରେ ପେଟ୍ରୋଲ ପମ୍ପ ସଂଖ୍ୟା ବହୁତ କମ୍ ।
ଦିନେ ଦିନେ ଡିଜେଲ ଖୋଜିବା ଲାଗି ଗୋଟିଏରୁ ଆଉ ଗୋଟିଏ ପେଟ୍ରୋଲ ପମ୍ପ କରି ୭୦ରୁ ୮୦ କିଲୋମିଟର ଯାତ୍ରା କରନ୍ତି ମାସଲ। “ଆଉ ଦୁଇ କି ତିନି ଦିନରେ ଯଦି କିଛି ମିଳିଯାଏ ତେବେ ମୋର ସୌଭାଗ୍ୟ,” ସେ କହନ୍ତି । ଆଉ ବେଳେବେଳେ, ପ୍ଲାଷ୍ଟିକ୍ ଡବାରେ ଡିଜେଲ ଭରିବାକୁ ପେଟ୍ରୋଲ ପମ୍ପ ଲୋକେ ମନା କରି ଦିଅନ୍ତି, ପମ୍ପକୁ ଟ୍ରାକ୍ଟର ଆଣିବା ଲାଗି ସେମାନେ ଅଡ଼ି ବସନ୍ତି ।











