୨୦୧୯ ଡିସେମ୍ବରରେ, ଛତ୍ରପତି ସମ୍ଭାଜୀନଗରର ଗୋଟିଏ ପରିବହନ କମ୍ପାନୀରେ ଦୁଇ ଦଶନ୍ଧି ହେଲା କାର୍ଯ୍ୟରତ ଟ୍ରକ୍ ଚାଳକ, ୫୦ ବର୍ଷୀୟ ସୁଭାଷ ବିକ୍କଡ଼ ଭିନ୍ନ ଏକ ସୁଉଚ୍ଚ ରାଜପଥରେ ପହଞ୍ଚିଲେ ।
“ମୁଁ ଓ ମୋର ଦୁଇ ଜଣ ସାଙ୍ଗ ମିଶି ଆମ ନିଜର ପରିବହନ କମ୍ପାନୀ ଖୋଲିଥିଲୁ ଏବଂ ତିନିଟି ଟ୍ରକ୍ ଓ କଣ୍ଟେନର କିଣିଥିଲୁ । ଆମେ ସମସ୍ତେ ଗୋଟିଏ ଗାଁର ଏବଂ ଦେଶର ବିଭିନ୍ନ ଜାଗାରେ ଟ୍ରକ୍ ଚଳାଇ ଆସିଛୁ । ପୁଣେର ଜଣେ ବନ୍ଧୁ ଆମକୁ ସାହାଯ୍ୟ କଲେ, ଏବଂ ଆମ ପାଇଁ ଗ୍ୟାରେଣ୍ଟର ରହିଲେ ।”
ସେହିଠାରୁ ହିଁ ଆରମ୍ଭ ହେଲା ଡ୍ରାଇଭରରୁ ମାଲିକ ସାଜିବାର ଏକ ବିସ୍ମୟକର ଯାତ୍ରା । କେବଳ ବିକ୍କଡ଼ ଏବଂ ତାଙ୍କ ଅଂଶୀଦାର ବନ୍ଧୁମାନଙ୍କର ନୁହେଁ, ବରଂ ଏ ଯାତ୍ରା ଥିଲା ତାଙ୍କ ଗାଁ ସାରଣି ସାଙ୍ଗଭିର ୮୦ ଜଣ ଯୁବକଙ୍କର । ଏହାର ଅର୍ଥ ୧,୪୬୦ ଜଣ ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁର, ପ୍ରତି ଚାରିଟିରେ ଗୋଟିଏ ପରିବାର ଟ୍ରକ୍ ବ୍ୟବସାୟରେ ସଂପୃକ୍ତ । ସାରଣି ସାଙ୍ଗଭି ହେଉଛି ମରୁଡ଼ି ପ୍ରବଣ ବୀଡ଼ ଜିଲ୍ଲାର କୈଜ ତହସିଲ ଅନ୍ତର୍ଗତ ଏକ ଦ୍ୱେତ ଗ୍ରାମ ।
୨୦୨୫ ସୁଦ୍ଧା ଟ୍ରକ୍ ଓ ଟ୍ରକ୍ କଣ୍ଟେନରର (ଶିପିଂ କିମ୍ବା କାର୍ଗୋ କଣ୍ଟେନର ମଧ୍ୟ କୁହାଯାଏ) ଏକ ଗାଁରେ ପରିଣତ ହେଲା ସାରଣି ସାଙ୍ଗଭି । ଗାଁର ୮୦ ଜଣ ଥିଲେ ୪୦୦ ଟ୍ରକ୍ ଓ ଲୋଡିଂ କଣ୍ଟେନରର ମାଲିକ । ବ୍ୟବସାୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଲା ଏବଂ ଦେଶର କେତେକ ବଡ଼ ବଡ଼ ପରିବହନ ସଂସ୍ଥା ସେମାନଙ୍କୁ କାମ ଦେବାରେ ଲାଗିଲେ । ଋଣ ନେବା ପାଇଁ ଜଣେ ଆଉ ଜଣଙ୍କର ଗ୍ୟାରେଣ୍ଟର ହେଲେ ଏବଂ ଅନେକ ସଫଳତା ହାସଲ କଲେ । ଏବଂ, ସରପଞ୍ଚ ସୁନୀଲ କେଦାର ‘ପରୀ’କୁ କହିଲେ: “ପଡ଼ିଆରେ ସବୁ ଟ୍ରକ୍ ଏକାଠି ପୂଜା କରି ଆମେ ଦୀପାବଳି ଉତ୍ସବ ପାଳନ କଲୁ ।”
ଟ୍ରକ୍-କଣ୍ଟେନର ହେଲା ଗାଁର ନୂତନ ଇଷ୍ଟଦେବତା ।
ହେଲେ ଆଜି, ସେଥିରୁ ଅନେକ ଟ୍ରକ୍ ଏବଂ କଣ୍ଟେନର ନିଜ ନିଜର ଲକ୍ଷ୍ୟସ୍ଥଳରେ କିମ୍ବା କେତେକ ରାସ୍ତା ମଝିରେ ଅଟକି ରହିଛନ୍ତି । ଗାଁରେ ଆମେ ସେଥିରୁ ଅଳ୍ପ କେଇଟା ଦେଖିଲୁ । ଆମେରିକା-ଇସ୍ରାଏଲ ସହିତ ଇରାନର ଯୁଦ୍ଧ ସାରଣି ସାଙ୍ଗଭିର ସମୃଦ୍ଧିରେ ବ୍ୟାଘାତ ସୃଷ୍ଟି କରିଛି- ପୂର୍ବରୁ ବିଭିନ୍ନ ଏବଂ ଦିନକୁ ଦିନ ବଢ଼ିବାରେ ଲାଗିଥିବା ସଡ଼କ ଟିକସ ସମେତ ଅନ୍ୟାନ୍ୟ କାରଣରୁ ଏହି ସମୃଦ୍ଧି କେତେକାଂଶରେ ବାଧାପ୍ରାପ୍ତ ହୋଇସାରିଥିଲା ।







