ନିଜ ଘର ଭିତରେ ଏକ ଚୌକି ଉପରେ ଚୁପ୍ଚାପ୍ ବସି ଗୋମାରାମା ହଜାରେ ଗାଁର ଜନଶୂନ୍ୟ ମୁଖ୍ୟ ସଡ଼କକୁ ଆଡ଼କୁ ଚାହିଁ ନିଜର ସମୟ ଅତିବାହିତ କରିଚାଲିଛନ୍ତି।
ବେଳେବେଳେ ତାଙ୍କ ଅବସ୍ଥା ପଚାରିବାକୁ ଚାଲି ଆସୁଥିବା ପଥଚାରୀଙ୍କ ସହିତ ସେ ସାମାନ୍ୟ କଥା ହୋଇଯାଆନ୍ତି। କିଛି ଦିନ ପୂର୍ବରୁ ଏହି ବ୍ୟକ୍ତି ଜଣଙ୍କ ଦୀର୍ଘଦିନ ଧରି ଅସୁସ୍ଥ ଥିବା ନିଜ ପତ୍ନୀଙ୍କୁ ହରାଇଛନ୍ତି।
ଏପ୍ରିଲ (୨୦୨୪)ର ମଧ୍ୟ ଭାଗ, ଅପରାହ୍ଣ ୫ଟା ବାଜିଛି ଏବଂ ଖୁବ୍ ଗରମ ହେଉଛି। ଉତ୍ତର ଗଡ଼ଚିରୌଲିର ଅରମୋରୀ ତହସିଲର ଘଞ୍ଚ ବାଉଁଶ ଏବଂ ଶାଗୁଆନ୍ ଜଙ୍ଗଲ କୋଳରେ ଥିବା ପଳସଗାଓଁ ଅସାଧାରଣ ରୂପରେ ଶାନ୍ତ ରହିଛି। ଗଡ଼ଚିରୌଲି-ଚିମୁର ଲୋକସଭା କ୍ଷେତ୍ରରେ ଆଉ କିଛିଦିନ ପରେ ମତଦାନ ହେବ। ଏହି ଆସନରେ ବର୍ତ୍ତମାନର ବିଜେପି ସାଂସଦ ଅଶୋକ ନେତେ ପୁଣିଥରେ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ କୌଣସି ଉତ୍ସାହ ନାହିଁ। ପ୍ରକୃତରେ ଗୋଟିଏ ଚିନ୍ତା ରହିଛି।
ବିଗତ ଦୁଇ ମାସ ହେବ ଗୋମାଙ୍କ ପାଖରେ କୌଣସି କାମ ନାହିଁ। ସାଧାରଣତଃ ଏହି ସମୟରେ, ପ୍ରାୟ ୬୦ ବର୍ଷ ବୟସ୍କ ଏହି ଭୂମିହୀନ ଶ୍ରମିକ ଏବଂ ତାଙ୍କ ଭଳି ଆଉ କେତେଜଣ ଲୋକ ମହୁଲ କିମ୍ବା କେନ୍ଦୁ ସଂଗ୍ରହ କରିଥା’ନ୍ତି ଅଥବା ଜଙ୍ଗଲରେ ବାଉଁଶ କାଟନ୍ତି କିମ୍ବା ଜମିରେ କାମ କରୁଥା’ନ୍ତି।
‘‘ଏଥର ନୁହେଁ,’’ ଗୋମା କୁହନ୍ତି। ‘‘ଜୀବନକୁ କିଏ ବାଜି ଲଗେଇବ?’’
ଗୋମା କୁହନ୍ତି, ‘‘ଲୋକମାନେ ନିଜକୁ ଘର ଭିତରେ ବନ୍ଦ କରି ରଖୁଛନ୍ତି।’’ ଦିନରେ ଗରମ ହେଉଛି। ଆପଣ ବାହାରକୁ ଯାଇପାରିବେ ନାହିଁ। ଅଧିକାଂଶ ଗାଁ ଏଭଳି କର୍ଫ୍ୟୁକୁ ନେଇ ଅଭ୍ୟସ୍ତ, କାରଣ ଗଡ଼ଚିରୌଲି ଚାରି ଦଶନ୍ଧି ଧରି ସଶସ୍ତ୍ର ସଂଘର୍ଷକୁ ନେଇ ଚିନ୍ତିତ ରହିଛି। ସୁରକ୍ଷା ବାହିନୀ ଓ ସଶସ୍ତ୍ର ମାଓବାଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମଧ୍ୟରେ ସ୍ଥାନୀୟ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। କିନ୍ତୁ ଏଥର ଭିନ୍ନ ଅତିଥି ଆସିଛନ୍ତି ଯେଉଁମାନେ ଜୀବନ ଓ ଜୀବିକା ପ୍ରତି ପ୍ରତ୍ୟକ୍ଷ ବିପଦ ସୃଷ୍ଟି କରିଛନ୍ତି।
ମୁଖ୍ୟତଃ ମାଈ ଓ ଛୁଆ ହାତୀଙ୍କୁ ନେଇ ୨୩ଟି ଜଙ୍ଗଲୀ ହାତୀଙ୍କ ଗୋଟିଏ ପଲ ପଳସଗାଁଓ ପାଖରେ ଉପସ୍ଥିତ ରହିଛି।














