ସୁଗୁଣାଙ୍କ କାହାଣୀ
ୱାଣକ୍କମ! ମୋର ନାମ ସୁଗୁଣା । ମୁଁ ୨୦୦୮ ମସିହାରୁ ଏହି କାମ କରି ଆସୁଛି । ଖୁବ୍ ଛୋଟ ଥିବାବେଳେ ମୁଁ ମୋର ଉଭୟ ବାପା-ମାଆଙ୍କୁ ହରାଇଛି ।
ମୋର ବାପାଙ୍କ ଦେହାନ୍ତ ପରେ, ମୋ’ ମାଆ ପାଖରେ ଥିବା ଏକ କଣ୍ଢେଇ ତିଆରି କାରଖାନାରେ କାମ କରିବା ଆରମ୍ଭ କଲେ । ସେ ଘରକୁ କଣ୍ଢେଇ ଆଣୁଥିଲେ ଏବଂ ସେହି ସମୟରେ ମୁଁ ପ୍ରଥମଥର ପାଇଁ ସେଥିପ୍ରତି ଆକର୍ଷିତ ହୋଇଥିଲି । ସେତେବେଳକୁ ମତେ ଚାରି ବର୍ଷ ହୋଇଥାଏ, ସେତେବେଳେ ସ୍କୁଲ୍ ତୁଳନାରେ କଣ୍ଢେଇ ପ୍ରତି ମୋର ଅଧିକ ଆକର୍ଷଣ ଥିଲା । ମୁଁ ଭାବୁଥିଲି: ସେମାନେ ଏସବୁ କିପରି ତିଆରି କରୁଛନ୍ତି? ସେଗୁଡ଼ିକ କେଉଁଥିରେ ତିଆରି?
ମୋ’ ମାଆଙ୍କ ମୃତ୍ୟୁ ପରେ, ମୋ’ ଜେଜେମା କହିଲେ, “ତୁ ଆଉ ସ୍କୁଲ୍ ଯାଇପାରିବୁ ନାହିଁ । ମୁଁ ତୋର ଯତ୍ନ ନେଇ ପାରିବି ନାହିଁ ।” ସେ ମତେ ମୋ’ ଭଉଣୀ ସହିତ ସେହି କାରଖାନାରେ କାମ କରିବାକୁ ପଠାଇଲେ । ସେତେବେଳେ ମତେ ୧୦ ବର୍ଷ ବୟସ ହୋଇଥିଲା ।
ପ୍ରଥମେ, ମତେ କେବଳ ମାଟିକୁ ମିଶାଇବା ଓ ତାକୁ ଚାଲୁଣିରେ ଚଲେଇବା ପାଇଁ ଅନୁମତି ମିଳିଥିଲା - କଣ୍ଢେଇ ଛୁଇଁବାକୁ ନୁହେଁ । ଦୁଇ ବର୍ଷ ପରେ, ମୁଁ ଛାଞ୍ଚରେ ମାଟି ଢାଳିବା ଆରମ୍ଭ କଲି । ଧୀରେ ଧୀରେ, ମୁଁ ଢଳେଇ କାମ ମଧ୍ୟ ଶିଖିଗଲି । କିନ୍ତୁ କିଛିଦିନ ପରେ, ମୁଁ ଆଉ କିଛି ଭଲ କରିବାକୁ ଚାହିଁଲି । ସେତେବେଳେ ମୁଁ ଏହି କଳା ଶିଖିବାକୁ ନିଷ୍ପତ୍ତି ନେଇଥିଲି ।
ଶିଖିବାକୁ ମତେ ଚାରି ବର୍ଷ ଲାଗିଲା । ୧୪ ବର୍ଷ ବୟସରେ ମୁଁ ଦୈନିକ ୭୫ ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲି । କାରିଗରମାନେ ୧୦୦ ଟଙ୍କା ପାଉଥିଲେ ଏବଂ ଯେତେବେଳେ ମୁଁ ସେହି ସମାନ ପାରିଶ୍ରମିକ ଦାବିକଲି, ସେମାନେ କହିଥିଲେ, “ତୁମେ ଏବେ ବି ଛୋଟପିଲା ।” ତେଣୁ ମୁଁ ସେଠାରୁ କାମ ଛାଡ଼ିଦେଲି ।
ପରେ, ମୁଁ ଠିକା କାମ ନେବା ଆରମ୍ଭ କଲି - ପ୍ରାୟ ୧୦ଟି କମ୍ପାନି ମତେ କାମ ବରାଦ ଦେଲେ । ସେତେବେଳେ ମୁଁ ଅନୁଭବ କଲି: ଯଦି ଆମେ ଆମର ଦକ୍ଷତା ଉନ୍ନତ କରିବା, ତାହାହେଲେ ଆମର କାମ ହିଁ ଆମକୁ ଶୀର୍ଷରେ ପହଞ୍ଚାଇବ ।
ଧୀରେ ଧୀରେ, ଲୋକେ ମତେ ସମ୍ମାନ ଦେବା ଆରମ୍ଭ କଲେ । ସେହି ସମୟରେ, କେବଳ କାରିଗରମାନେ ଟେବୁଲରେ ବସୁଥିଲେ; ଅନ୍ୟମାନେ ଚଟାଣରେ ବସୁଥିଲେ । କିନ୍ତୁ ଯେଉଁମାନେ ଏକଦା ମତେ ଅଣଦେଖା କରିଥିଲେ, ସେମାନେ ମତେ ଫେରି ଆସିବାକୁ କହିଲେ । ମୋର ଫିନିସିଂ - ଆଖି, ଓଠ, ଛୋଟଛୋଟ ବିଷୟକୁ ଗୁରୁତ୍ଵ ଦେବା - ମୋ’ କାମକୁ ଅନ୍ୟମାନଙ୍କଠାରୁ ଅଲଗା କରିଥିଲା ।
କିନ୍ତୁ କିଛି ସ୍ଥାନ ଅସହନୀୟ ଥିଲା । ସେମାନେ ମହିଳାମାନଙ୍କୁ ଯେଉଁଭଳି ଦୃଷ୍ଟିରେ ଦେଖୁଥିଲେ, ଯେଉଁଭଳି ଭାବରେ ଆମକୁ ଉପହାସ କରୁଥିଲେ - ପାରିଶ୍ରମିକ ଯାହାହେଲେ ବି, ମୁଁ ସେଠାକୁ ଫେରିବାକୁ ମନା କରିଦେଇଥିଲି ।
ଏମିତି ଏକ କାରଖାନାରେ ମୋ’ ସ୍ୱାମୀଙ୍କ ସହିତ ମୋର ଦେଖା ହୋଇଥିଲା । ସେ ବିଦେଶ ଯିବାକୁ ଚାହୁଁଥିଲେ, କିନ୍ତୁ ମୁଁ ତାଙ୍କୁ କହିଥିଲି, “ଯଦି ଆମେ ବିବାହ କରିବା, ତାହାହେଲେ ତୁମକୁ ଏଠାରେ ରହିବାକୁ ପଡ଼ିବ ଏବଂ ମୋ’ ସହିତ ଏହି କମ୍ପାନି ଚଳାଇବାକୁ ପଡ଼ିବ’’ । ତାହା ହିଁ ମୋର ଏକମାତ୍ର ସର୍ତ୍ତ ଥିଲା ।
ମୁଁ ଏହି କାମକୁ ଏତେ ଭଲପାଏ କାହିଁକି? ବୋଧହୁଏ ମାଟି ପାଇଁ - ମୁଁ ଏହାକୁ ରୂପ ଦିଏ, ଜୀବନ ଦିଏ ଏବଂ ଲୋକେ ତାକୁ ପ୍ରଶଂସା କରନ୍ତି । ସେହି ଆନନ୍ଦ ହିଁ ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରିଆସିଛି ।