“ବିଦ୍ୟୁତ ଚାଳିତ ମେସିନ ଏହି ପାରମ୍ପରିକ ଉପାୟର ସର୍ବନାଶ କରିବ”, ରୟାଲି ବାଈଙ୍କ ସ୍ଵର ସେ ଖୁଆ ଦଣ୍ଡ ସହ ଗୁଡ଼ା ହେଇଥିବା ନେତରାକୁ – ସୂତାର ମୋଟା ଦଉଡ଼ିର ଦୁଇ ମୁଣ୍ଡରେ ଲାଗିଥିବା ହାତ ମୁଠାକୁ – ଧରି ଦହି ହାଣ୍ଡିରେ ମୋହିଁବା ବେଳେ ଉତ୍ପନ୍ନ ହେଉଥିବା ଲହୁଣି ସହ ଚର-ଚାର ଶବ୍ଦଠାରୁ ବେଶୀ ଜୋରରେ ଶୁଭିଲା ।
ଗୁଜରାଟର ସୀମାକୁ ଲାଗି ରହିଥିବା ରାଜସ୍ଥାନର ସିରୋହି ଜିଲ୍ଲାର ଉପଲାଗଡ଼ରେ ହେଇଥିଲା ସକାଳ ପ୍ରାୟ ସାଢ଼େ ପାଞ୍ଚଟା। ଏହା ଏକ ପାହାଡ଼ିଆ ଅଞ୍ଚଳ ଓ ଗାଁର କଂକ୍ରିଟ ରାସ୍ତା ଉଚ୍ଚା-ନିଚା ହେଇଥିବାରୁ ସେଠାରେ ସମସ୍ତେ ଯିବା ଆସିବା ପାଇଁ ପସନ୍ଦ କରୁଥିବା ମୋଟରସାଇକେଲ ଚଳାଇବା ପାଇଁ କୁଶଳୀ ହେବା ଦରକାର। ଗାଁ ଦାଣ୍ଡର ଦୁଇ କଡ଼ରେ ରହିଛି ନୁଆଁଣିଆ ଘର, କିଛି ପକ୍କା ଓ କିଛି କଚ୍ଚା । ରୟାଲି ବାଈଙ୍କ ପକ୍କା ଘର ପରି ଅଧିକାଂଶ ଘରେ ରହିଛି ଦୁଇଟି ବଖରା, ଗୋଟିଏ ରୋଷେଇ ଘର ଓ ବାହାରେ ବାରଣ୍ଡା । ତାଙ୍କ ଘରଟି ଯଦିଓ ଗାଁ ଭିତରେ ନାହିଁ, ତେବେ ଗୋଟିଏ ଛୋଟ ପାହାଡ଼ ବା ମାଗ୍ରା ଉପରେ ରହିଛି ଓ ସେଠାକୁ ଯିବାକୁ ରାସ୍ତାର ଶେଷ ଭାଗରେ ଚାଲିବାକୁ ପଡ଼ିବ ।
ରୟାଲିଙ୍କ ପରି ଅଧିକାଂଶ ଗ୍ରାମବାସୀ ହେଉଛନ୍ତି ଗରାସିଆ ଗୋଷ୍ଠୀର, ଯେଉଁମାନେ ରାଜ୍ୟର ଅନୁସୂଚୀତ ଜନଜାତି ତାଲିକାରେ ରହିଛନ୍ତି । ତା’ର ବୟସ ଏବେ ଚାଳିଶି ଟ Aପିଗଲାଣି, ସେ କେବେ ସ୍କୁଲକୁ ଯାଇନାହିଁ । ତା’ କଥା କିଛି ନିଆରା ନୁହେଁ – (୨୦୧୧ ଜନଗଣନା ଅନୁଯାୟୀ) ଉପଲାଗଡ଼ର ମହିଳାମାନଙ୍କ ମଧ୍ୟରୁ କେବଳ ୧୦ ପ୍ରତିଶତ ଓ ୨୭ ପ୍ରତିଶତ ପୁରୁଷ ଲୋକ ସାକ୍ଷର ।








