ଏହି ଲେଖାଟି ପଲିଜର ସେଣ୍ଟରର ଆର୍ଟିଫିସିଆଲ ଇଣ୍ଟେଲିଜେନସ ଆକାଉଣ୍ଟେବିଲିଟି ନେଟୱାର୍କ ସହଯୋଗରେ ପ୍ରସ୍ତୁତ ।
ପୂର୍ବ-ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ଚାଷଜମିରେ ବସିଂ ମୁଣ୍ଡା ତାଙ୍କ ପୂର୍ବପୁରୁଷଙ୍କୁ ମିଳିଥିବା ସମ୍ମାନଜନକ ପଦକମଣ୍ଡିତ ହୋଇ ଛିଡ଼ା ହୋଇଛନ୍ତି । କେଇ ପିଢ଼ି ତଳର ପୂର୍ବପୁରୁଷମାନେ ଔପନିବେଶିକ ଶାସକମାନଙ୍କ ଦ୍ଵାରା ଦେଶୀୟ ଲୋକମାନଙ୍କୁ ଶାସନଠାରୁ ଦୂରେଇ ରଖାଯାଉଥିବା ଯୋଗୁଁ ପୂଜ୍ୟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ନେତୃତ୍ଵରେ ୧୮୯୯ରେ ସଂଘଟିତ ମୁଣ୍ଡା ମେଳିରେ ଯୋଗ ଦେଇଥିଲେ ।
ତାହାର ଗୋଟିଏ ଶତାବ୍ଦୀ ପରେ ମୁଣ୍ଡା ଗୋଷ୍ଠୀର ୪୦ ବର୍ଷ ବୟସ ପାର ହୋଇଯାଇଥିବା ବସିଂଙ୍କ ଭଳି ଆଦିବାସୀ ଚାଷୀମାନେ ବେଦଖଲ ହେବାର ଏକ ନୂଆ ଉପାୟର ସାମ୍ନା କରୁଛନ୍ତି । ବିଗତ ଆଠ ବର୍ଷରୁ ଅଧିକ ସମୟ ଧରି ସରକାର ସେମାନଙ୍କ ସହମତି ବିନା ଓ କୌଣସି ନୋଟିସ ନଦେଇ ସେମାନଙ୍କର ରେକର୍ଡ ନଥିଗୁଡ଼ିକର ଡିଜିଟାଇଜେସନ କରିଛି । ଏହି ପ୍ରକ୍ରିୟା, ମଧ୍ୟରେ ଶହ ଶହ ଚାଷୀ ଦେଖିଲେ ଯେ ସେମାନଙ୍କର ଭୂସମ୍ପତ୍ତିର ପରିମାଣ ସରକାରୀ ନଥିପତ୍ରରେ କମ୍ ହୋଇଯାଇଛି, ସେମାନଙ୍କ ଜମିର ସୀମା କମିଯାଇଛି, ଏବଂ ସ୍ୱତ୍ତ୍ଵାଧିକାର ସଂଗୁପ୍ତରେ ହଜି ଯାଇଛି ।
ଏହା ଏପ୍ରିଲ ମାସ, ରାଜ୍ୟ ରାଜଧାନୀଠାରୁ ୩୩ କି. ମି. ଦୂରରେ ଖୁଣ୍ଟି ଜିଲ୍ଲାରେ ଥିବା ଦରଗାମାକୁ ଥିବା ରାସ୍ତାର କଡ଼େ କଡ଼େ ବସନ୍ତର ଫୁଲସବୁ ଫୁଟିଛି । ପ୍ରକୃତିର ଆନନ୍ଦକୁ ମୁଖରିତ କରିବା ପାଇଁ ଉଦ୍ଦିଷ୍ଟ ଦେଶୀୟ ଢଙ୍ଗରେ ପାଳିତ ହେଉଥିବା ସରହୁଲ ଉତ୍ସବର ମାତ୍ର କିଛି ଦିନ ପରେ ସ୍ଥାନୀୟ ବଜାରରେ ଲୋକମାନଙ୍କର ଭିଡ଼ ଲାଗିଥାଏ ।
ବସିଂ ଓ ଅନ୍ୟ କେତେଜଣ ସେମାନଙ୍କ ଘର ସାମ୍ନାର ଖାଲି ଜାଗାରେ ପଳାଶ (ଜଙ୍ଗଲର ନିଆଁ) ଓ ଅଶ୍ଵତ୍ଥ ଗଛ ଛାଇରେ ସେମାନଙ୍କ ମୁଣ୍ଡାରୀ ଭାଷାରେ ଆଲୋଚନା କରୁଥାନ୍ତି ।
୨୦୨୩ରେ ବସିଂ ୨୦ କି. ମି. ଦୂରସ୍ଥ ଖୁଣ୍ଟିଠାରେ ଅବସ୍ଥିତ ଭୂମି ଓ ରାଜସ୍ଵ ବିଭାଗ ଅଫିସରୁ ଅନଲାଇନରେ ଟିକସ ରସିଦ ପାଇଲେ । ବସିଂ ଓ ତାଙ୍କ ଭାଇମାନଙ୍କ ଅଧିକାରରେ ରହିଥିବା ଓ ସେମାନଙ୍କ ପରିବାରଗୁଡ଼ିକ ପକ୍ଷରୁ ସେଥିରେ ଧାନ ଓ ମାଣ୍ଡିଆ ଚାଷ ହେଉଥିବା ଜମିର ପ୍ରକୃତ ପରିମାଣ ୫୨ ଏକର ୫୨ ଡିସିମିଲ ହୋଇଥିଲା ବେଳେ ତାହାକୁ ୫୨ଏକର ୫ ଡିସିମିଲ ରେକର୍ଡ କରାଯାଇଥିଲା ।
କେନ୍ଦ୍ରୀୟ ଓ ପୂର୍ବ ଭାରତରେ ଏକା ଭଳି ବ୍ୟବହୃତ ହେଉଥିବା ଜମିର ଡିସିମିଲ ମାପର ଅର୍ଥ ହେଉଛି ୪୩୫.୬ ବର୍ଗଫୁଟ, ବା ଏକ ଏକରର ଏକ ଶତାଂଶ, ଯେଉଁ ଶବ୍ଦଟି ‘ଡେସିମାଲ’ରୁ ଆସିଛି । ଏକ ଡିସିମିଲର ଆକାର ହେଉଛି ମୁମ୍ବାଇରେ ପ୍ରାୟତଃ ମୁମ୍ବାଇରେ ଏକ-କୋଠରି ବିଶିଷ୍ଟ ଗୋଟିଏ ଆପାର୍ଟମେଣ୍ଟ ସହ ସମାନ, ଏବଂ ସରକାରୀ ରେକର୍ଡ଼ରେ ବସିଂଙ୍କର ଜମିର ପରିମାଣ ସରକାରୀ ରେକର୍ଡରେ କୌଣସି ନୋଟିସ ନପାଇ ୪୭ ଡିସିମିଲ କମ ହୋଇଗଲା ।
ବସିଂ କେବଳ ଜଣେ ନଥିଲେ ।
“ଜମି ରେକର୍ଡ଼ରେ ଏକାଧିକ କାରସାଦି କରାଯାଇଥିଲା । ଡିଜିଟାଇଜେସନ ପୂର୍ବରୁ ଆମ ଖତିଆନରେ (ଗୋଟିଏ ଗୋଷ୍ଠୀ ଅଧୀନରେ ଥିବା ଜମି) ଥିବା ‘ରକବା’ (ସମୁଦାୟ ଜମି ପରିମାଣ) ଅଲଗା ଥିଲା । ନିକଟରେ ହୋଇଥିବା ଅନଲାଇନ ରେକର୍ଡ ଓ ରସିଦରେ କେତେକ ପ୍ଲଟକୁ ବାଦ କରି ଦିଆଯାଇଛି, ଏବଂ ‘ରକବା’ର ପରିମାଣ କମିଯାଇଛି”, କହନ୍ତି ବସିଂ । ଯେତେବେଳେ ଡିଜିଟାଇଜେସନ କରାଯାଉଥିଲା ନୋଟିସ ପାଇ ନଥିବାରୁ ଜମି ମାଲିକମାନଙ୍କର କୌଣସି ଉଦ୍ଦେଶ୍ୟ ନଥାଇ ଏହି ତ୍ରୁଟି ସେମାନଙ୍କ ଦୃଷ୍ଟିକୁ ଆସିଛି ।














