କ୍ରୁଜ୍ ବୋଟ୍ (ପର୍ଯ୍ୟଟନ ନୌକା) ସଜନେଖାଲି ବ୍ୟାଘ୍ର ଅଭୟାରଣ୍ୟ, ପୀରଖାଲି ଏବଂ ଦୋବାଙ୍କି ବ୍ୟାଘ୍ର ଅଭୟାରଣ୍ୟ ଦେଇ ଅତିକ୍ରମ କରିବା ସମୟରେ, ଚାରିପାଖର ଦୃଶ୍ୟ ଦେଖିବା ପାଇଁ ଭାନୁମତୀଙ୍କ ପାଖରେ ବହୁତ କମ୍ ସମୟ ଥାଏ। ପାଣି ସୁଅର ବିସ୍ତାର, ୱାଚ୍ ଟାୱାର୍ ଏବଂ ପତ୍ର ଉହାଡ଼ରେ ପକ୍ଷୀସବୁ ତାଙ୍କ ଆଖି ସାମ୍ନାରେ ଅଦୃଶ୍ୟ ହୋଇଯାଉଥା’ନ୍ତି। କ୍ରୁଜ୍ ବୋଟର ରୋଷେୟା, ତାଙ୍କ ଭଳି ରୋଷେୟା ଓ ସହାୟିକାମାନେ ସବୁବେଳେ ବ୍ୟସ୍ତ ଥାଆନ୍ତି। ଆଳୁ, ଡାଲି ଓ ଅଣ୍ଡାକୁ ସିଝେଇବାକୁ ପଡ଼ିବ, ଅଦା ଓ ରସୁଣ କାଟିବାକୁ ହେବ ଏବଂ ବିଭିନ୍ନ ପ୍ରକାରର ମସଲା ପକେଇ ବାଟଣ ପ୍ରସ୍ତୁତ କରିବାକୁ ହେବ କାରଣ ବିଭିନ୍ନ ପ୍ରକାର ଖାଦ୍ୟପେୟ ପାଇଁ ପ୍ରସ୍ତୁତି ଜାରି ରହିଛି।
ଦିନ ଗଡ଼ିବା ସହିତ ତାପମାତ୍ରା ବଢ଼ି ଚାଲିଥାଏ। ରୋଷେଇ କାମ କରୁଥିବା ମହିଳାଙ୍କୁ ଶୀତଳତା ପାଇଁ ମଝିରେ ମଝିରେ କିଛି ସମୟର ବିରତି ନେବାକୁ ପଡ଼ିଥାଏ। ‘‘ତାଡ଼ାତାଡ଼ି ହାତ୍ ଚଲା (ଶୀଘ୍ର କାମ କର),’’ ସେମାନେ ପରସ୍ପରକୁ କୁହନ୍ତି। ଲିପିକା ମଣ୍ଡଳ ହସି ହସି କୁହନ୍ତି, ‘‘ଥରେ ମୋଟର ଚାଲିବା ଆରମ୍ଭ କଲେ ଆମେ ହିଁ ସିଝିବୁ।’’ ସେ ମଧ୍ୟ ଜଣେ ରୋଷେୟା, ବେଳେବେଳେ ସେ ସହାୟିକା କାମ କରନ୍ତି। ନୌକାର ରୋଷେଇ ସ୍ଥାନ ପାଖରେ ରଖାଯାଇଥିବା ଏକ ମୋଟର ଚାଲିବା ପରେ ବଢ଼ୁଥିବା ଉତ୍ତାପର କଷ୍ଟ ବିଷୟରେ ସେ କୁହନ୍ତି। ମହିଳା ରୋଷେୟା ଓ ସହାୟିକାମାନେ କୁହନ୍ତି ଯେ ଅତ୍ୟଧିକ ଗରମ ସମୟରେ ଶୀତଳତା ପାଇଁ ପାଞ୍ଚ ମିନିଟ୍ ସୁଦ୍ଧା ବିଶ୍ରାମ କରିବା କଷ୍ଟ ହୋଇପଡ଼ିଥାଏ।
କୋଲକାତାଠାରୁ ୧୧୦ କିଲୋମିଟର ଦୂର ସୁନ୍ଦରବନର ଗୋସାବା ଦ୍ୱୀପରେ ଅବସ୍ଥିତ ଥିବା ପାଖିରାଲୟ ଗ୍ରାମରୁ କ୍ରୁଜ୍ଗୁଡ଼ିକର ଯାତ୍ରା ଆରମ୍ଭ ହୁଏ। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ, ସୁନ୍ଦରବନର ମୂଳ ଜଙ୍ଗଲ ଅଞ୍ଚଳର ଏକ ପ୍ରବେଶ ଦ୍ୱାର ଯେଉଁଠାରେ ମହାବଳ ବାଘ (ପାନ୍ଥେରା ଟାଇଗ୍ରିସ୍ ଟାଇଗ୍ରିସ୍) ଦେଖାଯାଇଥା’ନ୍ତି।
ଟୁର୍ ଅପରେଟରମାନେ ସାଧାରଣତଃ ଗୋଟିଏ ନୌକାରେ ପ୍ରାୟ ୪୦ ଜଣ ପର୍ଯ୍ୟଟକଙ୍କୁ ନେଇଥାନ୍ତି। ଛଅ ଘଣ୍ଟା ଧରି ଚାଲୁଥିବା ପ୍ରତ୍ୟେକ କ୍ରୁଜରେ ନୌଯାତ୍ରା ପାଇଁ ଜଣେ ଯାତ୍ରୀଙ୍କୁ ୨,୦୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ। ଦୁଇ ଦିନ ଧରି ଚାଲୁଥିବା ଲମ୍ବା ନୌଯାତ୍ରା ଅଧିକ ବ୍ୟୟବହୁଳ। ଡଙ୍ଗାଗୁଡ଼ିକରେ ସାଧାରଣତଃ ଦୁଇଟି ଡେକ୍ ଥାଏ ଏବଂ ତଳ ମହଲାରେ ଶଯ୍ୟା ଏବଂ ତକିଆ ଥାଏ ଯେଉଁଠାରେ ପର୍ଯ୍ୟଟକମାନେ ଦିନର ଅଧିକ ଉତ୍ତାପ ସମୟରେ ବିଶ୍ରାମ କରିପାରିବେ।










