‘‘ଇଚ୍ଛେ କୁସୁମ, ନାଟକରେ ମୋତେ ବୁଣାକାରର ଭୂମିକା ମିଳିଥିଲା… ଠିକ୍ ମୋ ବାସ୍ତବ ଜୀବନ ଭଳି,’’ ଅସିତ ପ୍ରମାଣିକ କୁହନ୍ତି। ନିଜ ଘରେ ଥିବା ଗୋଟିଏ ରଙ୍ଗଛଡ଼ା ଆଲମାରୀ ଭିତରୁ ଖୋଜାଖୋଜି କରି ସେ ଅନେକଗୁଡ଼ିଏ ନାଟକର ସଂରକ୍ଷିତ ପଟ୍ଟକଥାର କପି ସବୁ ବାହାର କରିଛନ୍ତି।
ଅଭିନବ ଶାନ୍ତିପୁର ଟାଙ୍ଗାଇଲ୍ ଓ ଜାମଦାନି ହସ୍ତତନ୍ତ ଶାଢ଼ିର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି। ନଦିଆ ଜିଲ୍ଲାର ଶାନ୍ତିପୁର କ୍ଲଷ୍ଟରରେ ଥିବା ଅଗଣିତ ବୁଣାକାରମାନଙ୍କ ମଧ୍ୟରୁ ଅସିତ୍ ଦା ଅନ୍ୟତମ। ଏହି ଅଭିଜ୍ଞ ବୁଣାକାର ତନ୍ତରେ ଯେତିକି ପରିଶ୍ରମ କରିଥା’ନ୍ତି, ଅନୁରୂପ ଭାବେ ମଞ୍ଚ ପ୍ରତି ତାଙ୍କର ଭଲ ପାଇବା ମଧ୍ୟ ତାଙ୍କ ଅଭିନୟର ଶ୍ରମରେ ଦେଖିବାକୁ ମିଳିଥାଏ। ତନ୍ତ-ଘର (ତନ୍ତ ଥିବା ଘର) ଏବଂ ରଙ୍ଗ-ମଞ୍ଚ (ମଞ୍ଚ) ମଧ୍ୟରେ ନିରନ୍ତର ସନ୍ତୁଳନ ଏହି ଶ୍ରମିକ-କଳାକାରଙ୍କ ଛଅ ଦଶନ୍ଧିର ଜୀବନଯାତ୍ରାକୁ ଆଗେଇ ନେଇଛି।
ତାଙ୍କର ପ୍ରଥମ ବଡ଼ ମଞ୍ଚ ପ୍ରଦର୍ଶନ ବିଷୟରେ କଥା ହେବା ବେଳେ ଅସିତ୍ ଦା ଙ୍କ ମୁହଁ ନିରବିଚ୍ଛିନ୍ନ ଆନନ୍ଦରେ ଝଲସି ଉଠେ। ଏକ ସାର୍ବଜନୀନ ସ୍ଥାନରେ ଗୋଟିଏ ବଡ଼ କ୍ଲବ ପାଇଁ ପ୍ରଥମ ଥର ଦର୍ଶକଙ୍କୁ ସାମ୍ନା କରିବାକୁ ନେଇ ନିଜର ଅଭିଜ୍ଞତା ସମ୍ପର୍କରେ ଆମକୁ କହିବା ସମୟରେ ସେ ମନଖୋଲା ହସ ହସି କୁହନ୍ତି, ‘‘ନାଟକଟି ସିଆଲଦା ଷ୍ଟେସନ ପାଖରେ ଗୋଟିଏ ସ୍ଥାନରେ ଆୟୋଜିତ ହୋଇଥିଲା। ମୁଁ ସେଠାରେ ଜଣେ ବିଚାରପତି (ଚରିତ୍ରରେ) ଭାବେ ଅଭିନୟ କରୁଥିଲି। ସତ ହେଉଛି, ମୁଁ ଭୟରେ ଥରୁଥିଲି।’’
ସମାନ ଉତ୍ସାହର ସହିତ ଅସିତ୍ ଦା ଆମକୁ ବୟନ ଦୁନିଆରେ ତାଙ୍କର ପ୍ରବେଶ ବିଷୟରେ କୁହନ୍ତି: ‘‘ମୁଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲି। ଗୋଟିଏ ବୁଣାକାର ପରିବାରରେ ପିଲାଙ୍କଠାରୁ ଆରମ୍ଭ କରି ଘରର ପୁରୁଷ ଓ ମହିଳାଙ୍କ ପର୍ଯ୍ୟନ୍ତ ତନ୍ତ କାମ ସହ ଜଡ଼ିତ କୌଣସି ନା କୌଣସି କାର୍ଯ୍ୟ କରିଥା’ନ୍ତି।’’ ସୂତା କାଟିବା, ସେଥିରେ ରଙ୍ଗ ଦେବା, ଚରଖା ଉପଯୋଗ କରି ସୂତାକୁ ନଳିରେ ଗୁଡ଼ାଇବା, ତା’ପରେ ସେହି ନଳିରୁ ତା’କୁ ଡ୍ରମରେ ଗୁଡ଼ାଇବା ଏବଂ ଶେଷରେ ତନ୍ତରେ ଯୋଡ଼ିବା ଭଳି କାମ ପରିବାରର ବିଭିନ୍ନ ଆୟୁ ବର୍ଗର ସଦସ୍ୟମାନେ କରିଥା’ନ୍ତି। ‘‘ଆଉ ଅନ୍ୟ ତନ୍ତି (ବୁଣାକାର) ପରିବାର ଭଳି ଆମ ଘରେ ମଧ୍ୟ ଆମେ ଅତି କମ୍ ବୟସରୁ ଏହି କାମରେ ସମ୍ପୃକ୍ତ ହୋଇଥାଉ,’’ ସେ କହିଥା’ନ୍ତି।








