ଟିପ୍ପଣୀ: ‘ପରୀ’ ପକ୍ଷରୁ ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମଙ୍କ ଉପରେ ଏକାଧିକ ଲେଖା ପ୍ରକାଶ କରାଯାଇଛି। ଏବେ ଆମେ ନିର୍ଦ୍ଦିଷ୍ଟ ଭାବେ ଏହି ବିଷୟରେ ସ୍ଵତନ୍ତ୍ର ଧ୍ୟାନ ଦେବୁ। ଏହା ଆମର ପ୍ରଥମ ଉପସ୍ଥାପନା।

Sangrur, Punjab
|WED, OCT 01, 2025
ପଞ୍ଜାବ: ସବୁଜ ବିପ୍ଲବ, ଲାଲ୍ ଅମଳ
ଗ୍ରାମୀଣ ପଞ୍ଜାବରେ ଚାଷ ପାଇଁ ବ୍ୟବହାର କରାଯାଉଥିବା ମେସିନ୍ ଦୁର୍ଘଟଣାରେ ଅଙ୍ଗହାନି ଘଟି ସାମର୍ଥ୍ୟ ହରାଇବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି, କିନ୍ତୁ ଜୀବନ ଯେମିତି ଚାଲିବା କଥା ଚାଲିଛି। ଅକ୍ଟୋବର ୧ ଦିନ ପାଳନ କରାଯାଉଥିବା ମିଳିତ ଜାତିସଂଘର ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମ ଦିବସ ପରିପ୍ରେକ୍ଷୀରେ ଏହି ଉପସ୍ଥାପନା
Author
Editor
Photo Editor
Translator
କେତେ ଦଶନ୍ଧି ପୂର୍ବରୁ ସେ ତାଙ୍କ ଡାହାଣ ହାତ ହରେଇଛନ୍ତି, କିନ୍ତୁ ସୁରଜିତ ସିଂ ଏବେ ବି ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ତାଙ୍କର ଗୋଟିଏ ହାତ ନାହିଁ।
“କେବଳ ଘାସ କାଟିବା ଛଡ଼ା ମୁଁ ଆଉ ସବୁ କିଛି କରି ପାରୁଛି – ସେଥି ପାଇଁ ଦୁଇ ହାତ ଦରକାର, ଗୋଟିକରେ ଧରିବ ଓ ଅନ୍ୟ ହାତରେ ଦା’ ଧରି କାଟିବ”, କହନ୍ତି ସେହି ବୟସ୍କ ଚାଷୀ। ତା’ ପରେ ସେ ସଂଗରୁର ଜିଲ୍ଲାର ରଙ୍ଗିଆନ ଗାଁରେ ଥିବା ତାଙ୍କର ଦଶ ଏକର ଚାଷ ଜମିରେ ପ୍ରତିଦିନ କରୁଥିବା ଏକାଧିକ କାମ ଗଣି ଚାଲନ୍ତି।
କିନ୍ତୁ ତାଙ୍କ ସ୍ତ୍ରୀ କୁଲୱନ୍ତ କୌର ନିସଙ୍କୋଚରେ କଥାବାର୍ତ୍ତା ମଝିରେ ପଶି ତାଙ୍କ ଦାବିଗୁଡ଼ିକୁ ଅଯଥା ବୋଲି କହନ୍ତି। “ସେ ତାଙ୍କ ପାଇଜାମାର ନାଡ଼ା ବି ବାନ୍ଧି ପାରୁ ନାହାନ୍ତି”, କୁଲୱନ୍ତ କହନ୍ତି। “ଏପରିକି ସକାଳେ ନିତ୍ୟକର୍ମ ସାରିଲା ପରେ ଠିକ୍ ଭାବେ ନିଜକୁ ଧୋଇ ଧାଇ ପାରୁ ନାହାନ୍ତି। ତାଙ୍କ ପିଠି ଗଲୁ କଲେ କୁଣ୍ଡେଇବାକୁ ତାଙ୍କର ହାତ ନାହିଁ। ଅଧିକାଂଶ ସମୟରେ ସେ ଯାଇ କାନ୍ଥରେ କି ଗଛ ଗଣ୍ଡିରେ ପିଠି ଘଷନ୍ତି”।
ତେବେ ବି ସୁରଜିତ ସିଂ ଅସାମର୍ଥ୍ୟ ନାଗରିକଙ୍କୁ ଯେଉଁ ସୁବିଧା ମିଳିବା କଥା ତାହା ପାଇବାକୁ ‘ଯୋଗ୍ୟ’ ହେଲେ ନାହିଁ। ସେ ଯାଇ ପଟ୍ଟୱାରୀଙ୍କୁ (ଯିଏ କି ଜମିବାଡ଼ି ହିସାବ ରଖୁଥିବା ଜଣେ ଗ୍ରାମସ୍ତରୀୟ ସରକାରୀ କର୍ମକର୍ତ୍ତା) ଭେଟିଲେ। “କିନ୍ତୁ ସେ ମତେ କହିଲେ ‘ତୁମର ଜମି ସତ୍ତ୍ଵ ଥିବାରୁ ତୁମେ ଯୋଗ୍ୟ ନୁହଁ’। ତେଣୁ ମୁଁ ଘରକୁ ଫେରି ଆସିଲି”। ଏହା ନିହାତି ହାସ୍ୟାସ୍ପଦ କଥା କାରଣ ଏହି ନିୟମ ଅନୁଯାୟୀ ଉଭୟ ଜମି ମାଲିକ ଓ ଭୂମିହୀନ ଲୋକ ଏହା ପାଇବାକୁ ଯୋଗ୍ୟ। ସୁରଜିତଙ୍କୁ ନା କୌଣସି କ୍ଷତିପୂରଣ ମିଳିଲା, ନା ମିଳିଲା ମାସିକ ଅସାମର୍ଥ୍ୟ ଭତ୍ତା (ପଞ୍ଜାବରେ ଏ ବାବଦରେ ମିଳୁଥିବା ମାସିକ ୧,୫୦୦ ଟଙ୍କା)। ଏପରିକି ସେ କୌଣସି ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି – ମାସିକ ୧,୫୦୦ ଟଙ୍କା ୬୦ରୁ ୬୯ ବର୍ଷ ବୟସ ମଧ୍ୟରେ, ଓ ୨,୦୦୦ ଟଙ୍କା ଯେଉଁମାନେ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ଵ।

Vishav Bharti

Vishav Bharti
୭୨-ବର୍ଷୀୟ ଏହି ଚୁପ୍ ଚାପ୍ ରହୁଥିବା ମଣିଷ ଜଣକ କେବଳ ଗୋଟିଏ ହାତରେ ଅପର୍ଯ୍ୟାପ୍ତ କାମ କରିବାର କ୍ଷମତା ଛଡ଼ା ଅନ୍ୟ କୌଣସିଥିରେ ସନ୍ତୁଷ୍ଟି ପାଆନ୍ତି ନାହିଁ। ତେବେ ସେ ଅନ୍ୟ ହାତଟିକୁ କେମିତି ହରେଇଲେ? ସୁରଜିତ କହନ୍ତି, ମଧ୍ୟ-୧୯୯୦ରେ ତାହା ଘଟିଥିଲା। “ମୁଁ ଖୁବ୍ ଜଲଦି ଅନ୍ୟମନସ୍କ ହେଇ ଯାଉଥିବାରୁ ମୋ ଭାଇ ମୋତେ ଘାସକଟା ଯନ୍ତ୍ରରେ କାମ କରିବାକୁ ମନା କରିଥିଲା। ସେଦିନ ଆମେ ଟୋକାକୁ (ଘାସକଟା ମେସିନକୁ) ମରାମତି କରି ଆଣିଥିଲୁ ଓ ସେଥିରେ ଆଖୁ ପତ୍ର ସବୁକୁ କାଟୁଥିଲୁ। ପ୍ରଥମେ ମୋ ଆଙ୍ଗୁଠିଗୁଡ଼ିକ ରୋଲରରେ ଲାଖିଗଲା ଓ ମୋ ହାତକୁ ଭିତରକୁ ଭିଡ଼ିନେଲା, ଓ ତା’ ପରେ ଆଗହାତ”, ତାଙ୍କ ଲାଲ୍ ଆଖି ଯୋଡ଼ିକ ଫାଙ୍କା ହେଇଯିବା ସହ ସେ କହନ୍ତି।
କିନ୍ତୁ ତାଙ୍କ ସ୍ତ୍ରୀ ୬୫-ବର୍ଷୀୟା କୁଲୱନ୍ତ କୌର ଯେଉଁଠାରେ ସେ କହିବା ବନ୍ଦ କଲେ ସେଠାରୁ ଖିଅ ଧରନ୍ତି। “ତାଙ୍କ ହାତ, କଟା ଘାସ ପରି ଛୋଟ ଛୋଟ ଖଣ୍ଡ ହୋଇ କଟିଗଲା ଓ ଚାରିଆଡେ ରକ୍ତମୟ ହୋଇଗଲା। ମୁଁ ଯେତେବେଳେ ତାହା ଦେଖିଲି, ମୂର୍ଚ୍ଛା ହେଇଗଲି”। ସୁରଜିତ ହସ୍ପିଟାଲରେ ପ୍ରାୟ ୨୦ ଦିନ ରହିଲେ। କିନ୍ତୁ ଯାହା ଘଟିଗଲା ସେଥିରେ ଅଟକିଯିବା କି ଦୁଃଖ କରିବାକୁ ତାଙ୍କ ପାଖରେ ସମୟ ନଥିଲା। ଯେତେ ଯାହା ହେଉନା କାହିଁକି ଜୀବିକା ଅର୍ଜ୍ଜନ ତ କରିବାକୁ ହେବ। ପାଖାପାଖି ଦେଢ଼ମାସ ପରେ ସେ ତାଙ୍କ ଚାଷଜମିକୁ ଫେରି ଆସିଲେ। “ଆମେ ଜାଣିଲୁ ଯେଉଁ ଦିନ ଆମର ଜଣେ ପଡ଼ୋଶୀ ଆସି ଆମକୁ କହିଲେ ଯେ ସେ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ସତ୍ତ୍ୱେ, ସୁରଜିତ ବୋରୱେଲ ମରାମତି କରିବା ପାଇଁ ଗୋଟିଏ ହାତ ସାହାଯ୍ୟରେ କୂଅ ଭିତରକୁ ଓହ୍ଲାଇଗଲେ। ହରାଇଥିବା ହାତ ପାଇଁ ମୁଁ ତାଙ୍କୁ ଦିନେ ହେଲେ ବି ଦୁଃଖ କରିବାର ଦେଖି ନାହିଁ”, କହନ୍ତି କୁଲୱନ୍ତ।
“ତାଙ୍କର ଦୁଇଟି ଯାକ ହାତ ପୂର୍ବ ପରି ରହିଥିଲେ, ସେ ଆମର ଏହି କାନ୍ଥକୁ ଖାଣ୍ଟି ସୁନାରେ ଗଢ଼ି ଦେଇଥାନ୍ତେ। ସେ ସବୁବେଳେ କଠିନ ପରିଶ୍ରମ କରନ୍ତି”, କୁଲୱନ୍ତ ମତ ଦିଅନ୍ତି।
ସୁରଜିତ ଓ ତାଙ୍କ ଭଳି ଆହୁରି ଅନେକ ୧୯୭୦ର ପ୍ରାରମ୍ଭରେ ସବୁଜ ବିପ୍ଲବ ଓ ତାହା ସହ ଆସିଥିବା ଯାନ୍ତ୍ରିକ କୌଶଳ ଓ ସ୍ଵୟଂକ୍ରିୟତା ଦ୍ଵାରା ଅନ୍ୟ ଏକ ପ୍ରକାରର ‘ଅମଳ’ କରିବା ଆରମ୍ଭ କରିଛନ୍ତି। ସୁରଜିତ ସିଂଙ୍କ ଭଳି ଏକାଧିକ ଘଟଣା ପଞ୍ଜାବର ଗାଁଗୁଡ଼ିକରେ ରହିଛି, କିନ୍ତୁ ସେଗୁଡ଼ିକ ଉପରେ ନୀରବତା ଢାଙ୍କି ହେଇଯାଇଛି।

Vishav Bharti
୧୯୭୫ରୁ ୧୯୭୮ ମଧ୍ୟରେ କେବଳ ଏହି ଗୋଟିଏ ରାଜ୍ୟରେ ୮୪୧ଟି କୃଷି ଯନ୍ତ୍ରପାତି ଦୁର୍ଘଟଣା ଘଟିଛି।
ପଞ୍ଜାବ ଏଗ୍ରୀକଲ୍ଚରାଲ ମାର୍କେଟିଙ୍ଗ ବୋର୍ଡ ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ କେବଳ ୨୦୦୭-୧୨ ମଧ୍ୟରେ ସମୁଦାୟ ୬୧୯୬ ଚାଷଜମି ଦୁର୍ଘଟଣା ଘଟିଛି, ଯେଉଁଥିରୁ ୬୮.୦୮ ପ୍ରତିଶତ କେବଳ ଘାସକଟା ଯନ୍ତ୍ରରେ ହୋଇଛି। ଏବଂ ୧,୩୯୫ଟି ବା ୨୨.୫୧ ପ୍ରତିଶତ ଯୁଗ୍ମ ଭାବେ ଅମଳ ଓ ବାଡ଼ିଆ ଯନ୍ତ୍ରରେ ହୋଇଥିଲା ବେଳେ ୫୮୩ଟି ବା ୯.୪୧ ପ୍ରତିଶତ ଦୁର୍ଘଟଣା ଟ୍ରାକ୍ଟର ଓ ତତସମ୍ପୃକ୍ତ ଯନ୍ତ୍ରପାତି ଦ୍ଵାରା ସଂଘଟିତ ହୋଇଛି।
ମାର୍କେଟିଙ୍ଗ ବୋର୍ଡର ଦୁର୍ଘଟଣା ଡାଟାକୁ ଅନ୍ୟ ଏକ ଅଧ୍ୟୟନର ବିଶ୍ଳେଷଣ ଅନୁଯାୟୀ – ଯାହା ନିଶ୍ଚିତ ରୁପେ ଏକ ନିକୁଚ୍ଛ ହିସାବ ହୋଇଥିବ – ଘାସକଟା ଓ ଫସଲ ବାଡ଼ିଆ ଯନ୍ତ୍ରର ୬୭.୫ ପ୍ରତିଶତ ଦୁର୍ଘଟଣାରେ ଆଙ୍ଗୁଠି କାଟିବାକୁ ପଡ଼େ। ପୁଣି ଆଉ ୧୮.୨ ପ୍ରତିଶତ ସ୍ଥଳରେ ହାତ କଟାଯାଏ। ଏବଂ ୧୦.୫ ପ୍ରତିଶତ କ୍ଷେତ୍ରରେ ପୁରା ହାତ କଟାଯାଏ। କୃଷିକ୍ଷେତ୍ରରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଆଧାରରେ ହୋଇଥିବା ସେହି ୨୦୧୭ ର ଅଧ୍ୟୟନଟି ଲୁଧିଆନାସ୍ଥିତ ପଞ୍ଜାବ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଫାର୍ମ ମେସିନେରୀ ଓ ପାୱାର ଇଞ୍ଜିନିୟରିଂ ବିଭାଗ ପକ୍ଷରୁ କରାଯାଇଛି।
କିନ୍ତୁ ମାର୍କେଟିଙ୍ଗ ବୋର୍ଡର ଡାଟାକୁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଧ୍ୟୟନ କରାଯାଇଛି ଓ ଯେଉଁ ନିଷ୍କର୍ଷ ବାହାରିଛି ତଦନୁଯାୟୀ ୨୦୦୭ରୁ ୨୦୧୨ ମଧ୍ୟରେ ମାତ୍ର ପାଞ୍ଚ ବର୍ଷରେ କୃଷି କ୍ଷେତ୍ରରେ ପ୍ରକୃତ ଦୁର୍ଘଟଣା ସଂଖ୍ୟା ହେଉଛି ୯,୧୮୮. ତେବେ କ୍ଷତିପୂରଣ ବାବଦରେ ୨୫ କୋଟି ଟଙ୍କା ମାତ୍ର ୫,୪୯୨ ଜଣଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ହାରାହାରି ୫୦,୦୦୦ ଟଙ୍କାରୁ କମ୍ ପରିମାଣ ପ୍ରଦାନ କରାଯାଇଛି। ଅର୍ଥାତ, ମୋଟାମୋଟି ଭାବେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ୯,୧୮୮ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ତତଃ ୩,୬୯୬ ଜଣ ବା ୪୦ ପ୍ରତିଶତରୁ ଅଧିକ ବ୍ୟକ୍ତି କୋଣସି କ୍ଷତିପୂରଣ ପାଇନାହାନ୍ତି।
ସବୁଜ ବିପ୍ଲବ ସହ ଆସିଥିବା ନୂଆ ପ୍ରକାରର ମେସିନର ବ୍ୟବହାର ଆରମ୍ଭ ହେବା ପରେ ପରେ ହିଁ ଏହିଭଳି ଦୁର୍ଘଟଣା ଆରମ୍ଭ ହେଲା। ପଞ୍ଜାବରେ ଏମିତି କୌଣସି ଗାଁ ନାହିଁ ଯେଉଁଠି ଆପଣ ଚାଷ ଜମିରେ ସଂଘଟିତ ଦୁର୍ଘଟଣା ଯୋଗୁଁ ସାମର୍ଥ୍ୟ ହରାଇଥିବା ଲୋକଙ୍କୁ ଦେଖିବାକୁ ନପାଇବେ। ଦୁଃଖର କଥା ହେଲା ଯେ ସାମର୍ଥ୍ୟ ହରାଇଥିବା ବ୍ୟକ୍ତିଙ୍କ ଜୀବନ ଦୁର୍ଘଟଣା ପରବର୍ତ୍ତୀ ସମୟରେ ଅଧିକାଂଶତଃ ନୈରାଶ୍ୟଜନକ। “ମୁଖ୍ୟ ଆର୍ଥିକ ସମସ୍ୟା ହେଲା କି ସେମାନଙ୍କର ବାର୍ଷିକ ଆୟ ପରିମାଣର ହ୍ରାସ ଓ ସ୍ଥାୟୀ ଶାରୀରିକ ଅକ୍ଷମତା”, ଏଭଳି ମନ୍ତବ୍ୟ ଦିଆଯାଇଛି ଚଣ୍ଡୀଗଡ଼ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଡେଭେଲପମେଣ୍ଟ ଆଣ୍ଡ କମ୍ୟୁନିକେସନ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ। “ଏହା ସେମାନଙ୍କୁ ଦୈନିକ ନିୟମିତ କାମ କରିବା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ କରୁଛି”।
ଚାଷ ଜମିରେ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାରେ ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ ହେଉଛି ପ୍ରଥମ ରାଜ୍ୟ। ଭାରତୀୟ ସଂସଦରେ ୧୯୮୩ରେ ବିପଦଜନକ ମେସିନ (ନିୟାମକ) ଆକ୍ଟ ଗୃହୀତ କରାଯାଇଛି। ଏବଂ ଏହାର ପରବର୍ତ୍ତୀ ବର୍ଷ ଚାଷ ଜମି ଦୁର୍ଘଟଣାଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଯୋଜନା ଆରମ୍ଭ ହୋଇଛି। କିନ୍ତୁ ୧୯୮୪ରେ ଲାଗୁ ହବା ପରଠାରୁ ଏହି ନୀତିକୁ ଠିକ୍ ରୂପେ କାର୍ଯ୍ୟକାରୀ କରାଯାଉ ନାହିଁ। ସୁରଜିତ ହେଉଛନ୍ତି ତାହାର ଜୀବନ୍ତ ଉଦାହରଣ।
ପଟିଆଲା ରାଜାଙ୍କ ରଜାରାଜୁଡ଼ା ଶାସନର ଦୌରାତ୍ମ୍ୟ ବିରୁଦ୍ଧରେ ସଂଗ୍ରାମ କରିଥିବାର ଇତିହାସ ରହିଥିବା ତାଙ୍କ ନିଜ ଗାଁ ରଙ୍ଗିଆନରେ ଚାଷ ଜମିରେ ବ୍ୟବହାର ହେଉଥିବା ମେସିନଜନିତ ଦୁର୍ଘଟଣା ଯୋଗୁଁ ସାମର୍ଥ୍ୟ ହରାଇଥିବା ଏକାଧିକ କେସ୍ ରହିଛି। ସେହି ପୀଡ଼ିତମାନଙ୍କ ମଧ୍ୟରୁ ସୁରଜିତ ଓ ଅନ୍ୟ ଦୁଇଜଣଙ୍କୁ ଛାଡ଼ିଦେଲେ ଆଉ କେହି ଜୀବିତ ନାହାନ୍ତି।
୭୩-ବର୍ଷୀୟ ଚାଷୀ ପାଲ ସିଂ ଯେ କି ତାଙ୍କର ଗୋଟିଏ ହାତ ଓ ଅନ୍ୟ ବାହୁରୁ କିଛି ଅଂଶ ୧୯୮୨ରେ ଫସଲ ଅମଳ ବାଡ଼ିଆ ଯନ୍ତ୍ରରେ ହରାଇଥିଲେ, ଏବେ ବି ଚାରି ଦଶନ୍ଧି ତଳର ସେହି ଦୃଶ୍ୟ ତାଙ୍କର ମନେ ପଡ଼ିଲେ ସେ ଥରି ଉଠନ୍ତି। “ମୁଁ ଗୋଟିଏ କଡ଼ା (ଶିଖମାନେ ହାତରେ ପିନ୍ଧୁଥିବା କଡ଼ା) ପିନ୍ଧିଥିଲି। ମୁଁ କିଛି ନକରି ବସି ପାରେନାହିଁ, ତେଣୁ ମୁଁ ଅମଳ ପାଇଁ ଫସଲବାଡ଼ିଆ ଯନ୍ତ୍ରରେ ତେଲ ଦେବା ଆରମ୍ଭ କଲି, - ତାହା ଚାଲୁଥିଲା। ଫିଡରରେ ଥିବା ଗୋଟିଏ ବଡ଼ ଆକାରର ବୋଲ୍ଟରେ ମୋ କଡ଼ା ଲାଖିଗଲା ଓ ତାହା ମୋ ହାତକୁ ଏତେ ଜୋରରେ ଟାଣିନେଲା ଯେ ହାଡ଼କୁ ଭାଙ୍ଗି ଦେଲା। ପର ମୁହୂର୍ତ୍ତରେ କଚଟିର କିଛି ଅଂଶ ସହିତ ମୋ ହାତ ତଳେ ପଡ଼ିଥିଲା। ଗୋଲିଆ ମୋଟା କଡ଼ାଟି ଚାରିକୋଣିଆ ହୋଇଯାଇଥିଲା। ଏହା ଏତେ ଯନ୍ତ୍ରଣାଦାୟକ ଥିଲା ଯେ ଆପଣ ତାହା କଳ୍ପନା କରିପାରିବେ ନାହିଁ। ମୁଁ ଭାବେ ଯେ ତା’ ପରିବର୍ତ୍ତେ ମୋ ହାତ ବରଂ ଗୋଟିଏ ଘାସକଟା ଯନ୍ତ୍ରରେ କଟି ଯାଇଥିଲେ ଭଲ ହେଇଥାନ୍ତା, ଯାହା ବେଶ ସହଜରେ ହୋଇଥାନ୍ତା”, ସେ କହନ୍ତି।
ପାଲଙ୍କୁ ୨୦-୨୫ ଦିନ ହସ୍ପିଟାଲରେ ରହିବାକୁ ପଡ଼ିଲା। ତେବେ, ସୁରଜିତଙ୍କ ପରି ତାଙ୍କର ମଧ୍ୟ ସେହି ଦୁର୍ଦ୍ଦିନ କଥା ଭାବିବାକୁ ସମୟ ନଥିଲା। “ଦୁଇମାସ ଭିତରେ ମୁଁ ଗୋଟିଏ ଟ୍ରାକ୍ଟର ଚଳେଇବା ଆରମ୍ଭ କଲି। ସଦାସର୍ବଦା ଯେମିତି ହୁଏ, ଜମି ଜୋତିବା ଓ ବିହନ ବୁଣିବା ଅପେକ୍ଷାକୃତ ସହଜ କାମ, କିନ୍ତୁ ମୁଁ ଏପରିକି ଜମି ସମତଳ ବି କରେ। ଜମି ସମତଳ କରିବା କାମ ମୁଁ ସକାଳ ୪ଟାରୁ ଆରମ୍ଭ କରେ ଓ ୧୬ ଘଣ୍ଟା ପର୍ଯ୍ୟନ୍ତ କରିଚାଲେ ଯେଉଁଥିପାଇଁ ଅଧିକାଂଶତଃ ଦୁଇ ହାତ ଲଗେଇବା ଦରକାର ହୁଏ”।
ସେ କହିବା ଅନୁଯାୟୀ ଜୀବନରେ ବିଶେଷ କିଛି ପରିବର୍ତ୍ତନ ହେଲା ନାହିଁ। “ବେଶୀ କିଛି ନୁହେଁ। କେବଳ ଏହା ବ୍ୟତୀତ କି ଯେ ମତେ ଲାଗେ ସତେ ଯେମିତି ମୋର ହାତ ମୁଠା ଅତି ଜୋରରେ ବନ୍ଦ ଅଛି ଓ ଚେଷ୍ଟା କରି ବି ମୁଁ ତାକୁ ଖୋଲି ପାରୁନାହିଁ। ଅନ୍ୟ ପ୍ରକାରେ, ମୁଁ ମୋ ବାଁ ହାତକୁ ଏଭଳି ପ୍ରଶିକ୍ଷଣ ଦେଇଛି ଯେ କେବେ ମୁଁ ଡାହାଣ ହାତରେ କ’ଣ କିଛି କରିଥିବାର ମୋର ଏବ ଆଉ ମନେ ପଡୁନାହିଁ”।

Vishav Bharti

Vishav Bharti
ପାଲ ସିଂଙ୍କ ପରି ନୁହେଁ, ସେହି ଗାଁର ୭୦-ବର୍ଷୀୟା ନସିବ କୌରଙ୍କର ତାଙ୍କ ବାଁ ହାତକୁ ନେଇ ସ୍ମୃତିରେ ଭାରାକ୍ରାନ୍ତ ହୋଇ ପଡ଼ିଛି। ପ୍ରାୟ ଗୋଟିଏ ଦଶନ୍ଧି ତଳେ ସେ ଯେତେବେଳେ ଗୋଟିଏ ଘାସକଟା ଯନ୍ତ୍ରରେ କାମ କରୁଥିଲେ ସେଥିରେ ତାଙ୍କର ହାତ କଟିଗଲା। “ଘାସ କାଟିବା ହେଉଛି ପ୍ରତିଦିନର ଗୋଟିଏ ନିୟମିତ କାମ ଯାହା ମୁଁ ପିଲାବେଳୁ କରୁଥିଲି। ସେଦିନ ସନ୍ଧ୍ୟା ପ୍ରାୟ ୭ଟା ବାଜିଥିଲା। ପ୍ରଥମେ ମୋ ବୁଢ଼ା ଆଙ୍ଗୁଠି ରୋଲରରେ ଲାଖିଗଲା, ତା’ପରେ ମୋ ହାତକୁ ମଧ୍ୟ ଭିଡ଼ିନେଲା। ମୁଁ ଚିତ୍କାର କରିବା ଆରମ୍ଭ କଲି, କିନ୍ତୁ ମୋ ବୋହୁ ଭୟଭୀତ ହେଇଗଲା ଓ ଇଞ୍ଜିନ ବନ୍ଦ କରି ପାରିଲା ନାହିଁ। ଯେଉଁ ପଡ଼ୋଶୀମାନେ ମୋ ଚିତ୍କାର ଶୁଣିଲେ ସେମାନେ ଆମ ଘରକୁ ଧାଇଁ ଆସିଲେ ଓ ମୋ ହାତକୁ ମେସିନରୁ ବାହାର କଲେ”।
ସେହି ତିନିଜଣଙ୍କ ଭିତରୁ ସେ ହିଁ ଏକମାତ୍ର ଜଣେ ଯେ କି ମାସକୁ ୧,୫୦୦ ଟଙ୍କା କରି ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। କିନ୍ତୁ ନା କୌଣସି କ୍ଷତିପୂରଣ କିମ୍ବା ଅସାମର୍ଥ୍ୟ ଭତ୍ତା ପାଉଛନ୍ତି। ତିନି ଜଣଙ୍କ ଭିତରୁ କେବଳ ପାଲ ସିଂ ଅସାମର୍ଥ୍ୟ ଭତ୍ତା ଭାବେ ମାସକୁ ୧,୫୦୦ ଟଙ୍କା ପାଉଛନ୍ତି। ସୁରଜିତ ସିଂଙ୍କୁ ଆଦୌ କିଛି ମିଳୁନାହିଁ। ବରିଷ୍ଠ ନାଗରିକ ଭତ୍ତା କୌଣସି ମତେ ଆଦୌ ସହଜ କଥା ନୁହେଁ। ଯେଉଁମାନେ ଉଭୟ ବରିଷ୍ଠ ଓ ଅସାମର୍ଥ୍ୟ, ସେମାନଙ୍କ ପାଇଁ ଭତ୍ତା ପାଇବା ଏକ ପ୍ରକାର ଅମଲାତାନ୍ତ୍ରିକ ଦୁଃସ୍ଵପ୍ନ। ଅଧିକାଶତଃ ଅଧିକାରୀମାନେ ସେଭଳି ଦାବିଗୁଡ଼ିକୁ ଭୁଲ ଭାବରେ କିମ୍ବା ଅକାରଣରେ ଅଣଦେଖା କରନ୍ତି।
ଯେଉଁ ସମୟରେ ସେ ମୁଣ୍ଡ କୁଣ୍ଡାଉଥିଲେ କି ବେଣୀ ବାନ୍ଧୁଥିଲେ ଓ ରୋଷେଇ କାମ କରୁଥିଲେ, କିମ୍ବା ଖୁବ ସହଜରେ ଗାଈ ଦୁହିଁ ଦେଉଥିଲେ, ସେହି କଥା ସବୁ ତାଙ୍କର ମନେ ପଡ଼ିଯାଏ – ଓ ସେ ସହସା ଭାବବିହ୍ଵଳ ହୋଇଯାଆନ୍ତି। ଟିକିଏ ଚୁପ୍ ରହିବା ପରେ ସେ ପୁଣି ଯୋଡ଼ନ୍ତି, “ଏବେ କରି ପାରିବିନି”।

Vishav Bharti
ସେ ରୁଟି ବେଲି ପାରିବେ କି? “ହଁ, ମୋତେ କରିବାକୁ ପଡ଼ିବ। ଯଦିଓ ବା ସେଗୁଡ଼ିକର ଆକାର ତେଢ଼ାମେଢ଼ା ହେଇଯାଏ, ତେବେ ମୁଁ ଆଉ କ’ଣ କରିପାରିବି? ମୁଁ କେଉଁ ପାପ କରିଥିଲି କେଜାଣି ମତେ ଏସବୁ ଭୋଗିବାକୁ ପଡୁଛି?” ତାଙ୍କ ଆଖି ଭରି ଉଠେ ଓ ଗାଲ ଉପରେ ତାଙ୍କ ଲୁହ ବୋହିଯାଏ, ଏବଂ ସେ ତାଙ୍କ ଧଳା ଦୁପଟାକୁ ଭିଡ଼ି ଆଣି ତାକୁ ପୋଛନ୍ତି। “କଷ୍ଟକର ସମୟକୁ ଶୀଘ୍ର ଭୁଲି ହୁଏନି”, ସୁରଜିତଙ୍କ ସ୍ତ୍ରୀ କୁଲୱନ୍ତ କୌର ତାଙ୍କୁ ପ୍ରବୋଧନା ଦେବାକୁ ଚେଷ୍ଟା କରନ୍ତି।
ଏ ସବୁକିଛି ଦେଖିସାରିବା ପରେ ସୁରଜିତ ସିଂ ଚୁପଚାପ ନିଜ ଖଟରୁ ଉଠିଛନ୍ତି ଓ ଗୋରୁଖୁଣ୍ଟରେ ବନ୍ଧା ହେଇଥିବା ବଳଦ ଆଡ଼କୁ ଯାଇଛନ୍ତି ଓ ତାଙ୍କ ଡାହାଣ ହାତର ଅଗରେ ଦଉଡ଼ି ଖୋଲିବା ଆରମ୍ଭ କରିଛନ୍ତି। ତାହା ଲାଗୁଛି ଯେମିତି ତାଙ୍କର ନଥିବା ଡାହାଣ ହାତଟି ଏବେ ବି ଦୋହଲୁଛି – ଅକୁହା, ଅଦେଖା, କିନ୍ତୁ କେବେ ବି ସମ୍ପୂର୍ଣ୍ଣ ହଜି ଯାଇନାହିଁ।
ବିଶବ ଭାରତୀ ହେଉଛନ୍ତି ପଞ୍ଜାବରେ ଅବସ୍ଥାନ କରୁଥିବା ଜଣେ ସାମ୍ବାଦିକ ଓ ବରିଷ୍ଠ ‘ପରୀ’ ଫେଲୋ। ପଞ୍ଜାବର କୃଷି ସମସ୍ୟା ଓ ପ୍ରତିରୋଧ ଆନ୍ଦୋଳନ ସମ୍ପର୍କରେ ସେ ବିଗତ ଦୁଇ ଦଶନ୍ଧି ଧରି ଲେଖି ଆସୁଛନ୍ତି।
ପି.ସାଇନାଥ ହେଉଛନ୍ତି ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ’ର ପ୍ରତିଷ୍ଠାତା ସଂପାଦକ । ବହୁ ଦଶନ୍ଧି ଧରି ସେ ଗ୍ରାମ୍ୟ ଜନଜୀବନ ଉପରେ ରିପୋର୍ଟିଂ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରାଉଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜରସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ରଚୟିତା ।
ବିନାଇଫର ଭରୁଚା ମୁମ୍ବାଇର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର, ଏବଂ ପିପୁଲସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆର ଫଟୋ ସଂପାଦକ
ଏହି କାହାଣୀ ପରୀ ସିନିୟର ଫେଲୋସିପ୍ ୨୦୨୫ଅଧୀନରେ ପ୍ରକାଶିତ ହୋଇଛି।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/in-punjab-green-revolution-red-harvest-or

