ଗିରଫହେବା, ବେଡ଼ି ପଡ଼ିବାଏବଂ ଅମୃତସର ମୁହାଁ ସି-୧୭ବିମାନ ସିଟ୍ରେବାନ୍ଧି ହୋଇ ଆମେରିକାରୁ ଫେରିବାର ଭାଗ୍ୟ ରଣଦୀପ ସିଂଙ୍କ କପାଳରେ ଜୁଟିନଥିଲା। ଅଜଣା ଦେଶର ମାଟିରେ ୨୬୪ ଦିନ ଧରି ସଂଘର୍ଷ କରିବା ପରେ, ଚଳିତବର୍ଷ ଫେବୃଆରୀ ୨୧ ତାରିଖରେ ଏକ ଡଙ୍କି ମାର୍ଗ (ଡଙ୍କି ବିମାନ) ଜରିଆରେ ଆମେରିକା ଯାଉଥିବା ବେଳେ ଶେଷରେ କାମ୍ବୋଡ଼ିଆରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଆପଣ ହୁଏତ’ ପରଗଟ ସିଂଙ୍କୁଭାଗ୍ୟଶାଳୀ କହିପାରନ୍ତି। ସେ ହେଉଛନ୍ତି ବିଦେଶ ସ୍ୱପ୍ନର ପ୍ରଲୋଭନରେ ପଡ଼ିଥିବା ଆଉ ଜଣେ ପଞ୍ଜାବୀ। ଆମେରିକା ଯିବା ପାଇଁ ସେ ତାଙ୍କର ୩ ଏକର ପାରିବାରିକଜମି ଏବଂ ତାଙ୍କ ମା’ଙ୍କରଅଧିକାଂଶ ଅଳଙ୍କାର ବିକ୍ରି କରି ଦେଇଥିଲେ। ହେଲେ ଶେଷରେ ତାଙ୍କୁ ଭାରତକୁ ବିତାଡ଼ିତ କରି ଦିଆଯାଇଥିଲା। ହାତକଡ଼ି ପଡ଼ିଥିବା ଅବସ୍ଥାରେ ସେ ଘରକୁ ଫେରିଥିଲେ, କିନ୍ତୁ କିଛିନହେଲେ ତାଙ୍କ ଜୀବନ ତ’ ବଞ୍ଚିଯାଇଥିଲା।
ପଞ୍ଜାବମୋହାଲି ଜିଲ୍ଲାର ଶେଖପୁରା କଲାଁ ଗ୍ରାମରେ ରଣଦୀପଙ୍କ ଘରେ ଏବେ କେବଳ ସଥର୍ (ପରିବାରରେ କାହାର ମୃତ୍ୟୁ ପରେ ଚଟାଣରେ ବସି ରହିବାର ପରମ୍ପରା) ହିଁ ତାଙ୍କହୃଦୟବିଦାରକ କାହାଣୀର ଗମ୍ଭୀର ସାକ୍ଷ ଦେଉଛି। ଦୁଇ ବଖରା ବିଶିଷ୍ଟ ଏହି ଛୋଟିଆ ଘରେ ଶୋକ ପାଳନ କରୁଥିବା ଲୋକଙ୍କ ପାଇଁ ଜାଗା ହେଉନାହିଁ। ସେମାନେ ତାଙ୍କର ପାର୍ଥିବ ଶରୀର ଆସିବାକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଏଥିପାଇଁ ଆହୁରି ବିଳମ୍ବ ହେବ ଲାଗୁଛି। କାମ୍ବୋଡ଼ିଆରେ ଭାରତୀୟ ଦୂତାବାସ ଶବ ଘରକୁ ପଠାଇବା ଲାଗି ହେବାକୁ ଥିବା ସବୁ ଖର୍ଚ୍ଚ ପୂରଣ କରିବା ନିମନ୍ତେ ୭,୧୦୦ଆମେରିକୀୟ ଡଲାର (ପ୍ରାୟ ୬ଲକ୍ଷ ୨୧,୦୦୦ଟଙ୍କାର) ଅଗ୍ରୀମ ରାଶିମାଗିଛି।
ରଣଦୀପଙ୍କବାପା ୫୫ ବର୍ଷୀୟ ବଲୱିନ୍ଦର ସିଂଙ୍କ ପାଇଁ ସେହି ଛଅ ସଂଖ୍ୟା ବିଶିଷ୍ଟ ଅର୍ଥରାଶି ପରିଶୋଧ କରିବା ଅସମ୍ଭବ ବ୍ୟାପାର। କାରଣ ସେ ଜଣେ ଦିନ ମଜୁରିଆ ଏବଂ ଦିନ ଭଲ ଥିଲେ ତାଙ୍କୁ କାମରୁ ଦୈନିକ ମାତ୍ର ୫୦୦ ଟଙ୍କା ମଜୁରି ମିଳିଥାଏ। ଚିହ୍ନା ହୁଅନ୍ତୁ ଅବା ଅଚିହ୍ନା ପ୍ରତ୍ୟେକ ଆଗନ୍ତୁକଙ୍କୁ ସେ କ୍ଷୀଣ ଆଶାପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି ଏବଂ କେବଳ ଗୋଟିଏ ବାକ୍ୟ ଧୀର ସ୍ୱରରେ କହୁଛନ୍ତି। ‘‘ବଡି ଲୈ କେ ଆଉଁ ଦା ଦେଖୋ (ମୃତଦେହ ଫେରାଇ ଆଣିବା ଲାଗି ଦୟାକରି କିଛି କର)।’’
୨୪ ବର୍ଷୀୟ ରଣଦୀପଙ୍କ ଭଳି ଅନେକ ଯୁବକ ଗ୍ରାମାଞ୍ଚଳରେ ବେକାରୀ ଓ ସଂକଟ ମଧ୍ୟରେପଞ୍ଜାବରୁ ପଳାୟନ କରିବା ଲାଗି ଚାହୁଁଥିଲେ। ଭୂମିହୀନ ଦଳିତ ପରିବାରରେ ଜନ୍ମିତ ରଣଦୀପ ଅତ୍ୟନ୍ତ ନିରାଶାଜନକ ପରିବେଶରେ ବଡ଼ ହୋଇଥିଲେ। ବାରମ୍ବାର ଫସଲ ନଷ୍ଟ ହେଉଥିଲା, କାମ ମିଳୁନଥିଲାଏବଂ ଗ୍ରାମୀଣ ପଞ୍ଜାବରେ ବ୍ୟାପକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଘଟୁଥିଲା।










