“ମୋ ମା’, ସାଲୁବାଈ, କିଛି ସବର୍ଣ୍ଣଙ୍କ ଘରେ କାମ କରୁଥିଲେ। ମୁଁ ପ୍ରାୟତଃ ତାଙ୍କ ପଛେ ପଛେ ଯାଉଥିଲି,” ବୋଲି ଗଙ୍ଗାଧର କହନ୍ତି।“ପ୍ରତିବର୍ଷ ଦୁଇ-ତିନି ଥର ସେ ଏବଂ କିଛି ମହିଳା ଏହି କାମ କରୁଥିଲେ। ଗୁହାଳ, ସାରା ଘର ଏବଂ ଅଗଣା ଓଳାଇ ସଫା କରିବା ପରେ, ସେମାନେ ମାଟି ଚଟାଣକୁ ଗୋବରରେ ଲିପୁଥିଲେ।” ଘରର ମାଲିକାଣୀ ତା’ପରେ ସେମାନଙ୍କ ସାମ୍ନାରେ ରନ୍ଧା ହୋଇଥିବା ଡାଲି କିମ୍ବା ବେସନର ଏକ ପାତ୍ର ରଖୁଥିଲେ। ସେ ୧୦-୧୫ଟି ଭାକ୍ରି ଫିଙ୍ଗୁଥିଲେ ଯାହାକୁ ମୋ ମା’ ନିଜ ଶାଢ଼ି କାନିରେ ଧରୁଥିଲେ। ଭାକ୍ରି ଦେବା ସମୟରେ ଘର ମାଲିକ ସର୍ବଦା ସତର୍କ ରହୁଥିଲେ ଯେପରି ତାଙ୍କୁ କେବେ ବି ସ୍ପର୍ଶ ନକରନ୍ତି।
ବଲୁତେଦାରୀ ବ୍ୟବସ୍ଥା ଅଧୀନରେ-ଏକ ଜାତିଭିତ୍ତିକ ବ୍ୟବସ୍ଥା ଯେଉଁଠାରେ ପ୍ରତ୍ୟେକ ଜାତିକୁ ତାର କାର୍ଯ୍ୟ ଏବଂ ଶ୍ରମ ବଣ୍ଟନ କରାଯାଇଥିଲା, ଏହା ଥିଲା ‘ମାଙ୍ଗକି’ - ଅର୍ଥାତ୍ ମାଙ୍ଗ ସମ୍ପ୍ରଦାୟଠାରୁ ଆଶା କରାଯାଉଥିବା କାର୍ଯ୍ୟ। ଏହା ସହିତ ସେମାନେ ଶସ୍ୟ ଏବଂ ଖାଦ୍ୟ ବଦଳରେ ବାଉଁଶ ଝାଡ଼ୁ, ‘କାଙ୍ଗି’ ଏବଂ ‘ଦୁରଡି’ - ଶସ୍ୟ ସଂରକ୍ଷଣ ପାତ୍ର ଏବଂ ଟୋକେଇ- ତିଆରି କରୁଥିଲେ।
ପରବର୍ତ୍ତୀ ସମୟରେ ଗଙ୍ଗାଧରଙ୍କ ପିତା ମଦ ତିଆରି କରିବା ଆରମ୍ଭ କଲେ ଯାହାଦ୍ଵାରା କିଛି ଟଙ୍କା ଆସିଲା। “ଦିନେ ପୋଲିସ ଆସି ଦେଶୀମଦ ବିକ୍ରି କରିବା ଅଭିଯୋଗରେ ତାଙ୍କୁ ଗିରଫ କଲା। ସେମାନେ ତାଙ୍କୁ ତାଙ୍କର ଲମ୍ବା କେଶ କାଟିବାକୁ ବାଧ୍ୟ କଲେ - ଯାହା ଜଣେ ପୋତରାଜ ରଖିବା ପରମ୍ପରା ଥିଲା। ଏବଂ ତାଙ୍କୁ ମଦ ପ୍ରସ୍ତୁତି ବନ୍ଦ କରିବା ପାଇଁ ଜଣେ କୋତୱାଲ (ଗ୍ରାମରକ୍ଷୀ) ଭାବେ ଚାକିରି ପ୍ରଦାନ କଲେ।”
୭୦ ଦଶକର ଶେଷ ଭାଗ ଏବଂ ୮୦ ଦଶକ ବେଳକୁ ବଲୁତେଦାରୀ ବ୍ୟବସ୍ଥା ହଟି ନୂତନ ସଂରଚନା ସ୍ଥାପିତ ହେବାକୁ ଲାଗିଲା। କୋତୱାଲ ଥିଲା ସେହିଭଳି ଏକ ଉଦାହରଣ। କହିବାକୁ ଗଲେ ସେ ଥିଲେ ଜଣେ ଗ୍ରାମ୍ୟ ସେବକ। ବଲୁତେଦାରୀରେ, ମହାର ଏବଂ ମାଙ୍ଗମାନେ ସମଗ୍ର ଗାଁର ସେବା କରୁଥିଲେ। କୋତୱାଲଙ୍କୁ ସ୍ଵଳ୍ପ ଅର୍ଥ ଦିଆଯାଉଥିଲା ଏବଂ ସେ ସରକାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ସଂଯୋଗକାରୀ ଭାବେ କାର୍ଯ୍ୟ କରୁଥିଲେ। ଜଣେ ତାଙ୍କୁ ରାଜ୍ୟ ଦ୍ୱାରା ନିଯୁକ୍ତ ସେଵକ ବୋଲି କହିପାରନ୍ତି। ଗଙ୍ଗାଧରଙ୍କ ପିତା ଏହି ପଦବୀ ପାଇଲେ ଏବଂ ଏହା ସହିତ କିଛି ସମ୍ମାନ ମଧ୍ୟ ପାଇଲେ। ‘ପାଦେ ଆଗକୁ ଵଢ଼ି’ ସେ ନିଜ ପିଲାମାନଙ୍କୁ ସ୍କୁଲରେ ଭର୍ତ୍ତି କଲେ।
ସମସ୍ତ ପିଲା-ଗଙ୍ଗାଧର, ତାଙ୍କର ବଡ଼ ଭାଇ ଏବଂ ପାଞ୍ଚ ଭଉଣୀ ସ୍କୁଲ୍ ଯିବା ଆରମ୍ଭ କଲେ। ଝିଅମାନେ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲେ। କିନ୍ତୁ ପୁଅମାନେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପହଞ୍ଚିଲେ। ସେମାନେ ‘ମାଙ୍ଗକି’ର ଜାତିଗତ ବୋଝକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏକ ନୂତନ ପଥ ବାଛିଲେ। ତାଙ୍କ ଭାଇ ବାପାଙ୍କ ସ୍ଥାନରେ କୋତୱାଲ ଭାବେ ନିଯୁକ୍ତ ହେଲେ। ଗଙ୍ଗାଧରଙ୍କ ପାଖରେ କୌଣସି ଚାକିରି କିମ୍ବା ଅନ୍ୟ କାମ ନଥିଲା। ସେ ଦିନମଜୁରିଆ ଭାବେ କାମ କରୁଥିଲେ ଏବଂ ତାଙ୍କର ଖାଲି ସମୟରେ ଭୀମ ଗୀତ ଗାଇବା ଆରମ୍ଭ କଲେ – ଯାହା ଆମ୍ବେଦକରଙ୍କ ଜୀବନୀ ଏବଂ କାର୍ଯ୍ୟକୁ ସମ୍ମାନ ଜଣାଉଥିବା ଗୀତ ଥିଲା।
ଗଙ୍ଗାଧର ସବୁବେଳେ ଗାଇବାକୁ ଭଲ ପାଉଥିଲେ ଏବଂ ସେ ବିଶ୍ୱାସ କରନ୍ତି ଯେ ଏହା ତାଙ୍କୁ ତାଙ୍କ ମା’ ଏବଂ ଭଉଣୀମାନଙ୍କଠାରୁ ମିଳିଛି। ସେମାନେ ସମସ୍ତେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରୁଥିଲେ ଏବଂ ବିଭିନ୍ନ ଦେବତାଙ୍କ ପାଇଁ ଭିନ୍ନ ଭିନ୍ନ ଦିନରେ ଉପବାସ କରିବା ସହିତ ଅନେକ ରୀତିନୀତି ଅନୁସରଣ କରୁଥିଲେ। ବାସ୍ତବରେ, ଅଧିକାଂଶ ମହିଳା ଉପବାସ କରି ଖାଦ୍ୟ ବଞ୍ଚାଉଥିଲେ। “ମୋ ମା’ ଏବଂ ଭଉଣୀମାନେ ଜଣେ ଗୋସାଇଙ୍କ ଅନୁଗାମୀ ଥିଲେ, ଯିଏ କି ଜିନ୍ତୁର [ପରଭଣୀଠାରୁ ୫୦ କିଲୋମିଟର ଦୂରରେ ଥିବା ଏକ ସହର] ର ଜଣେ ସନ୍ନ୍ୟାସୀ ଥିଲେ। ସେ ନିଜ ଶିଷ୍ୟମାନଙ୍କ ସହ ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଥିଲେ। ସେ ଜନ୍ମରୁ ମହାର ଥିଲେ, ବୌଦ୍ଧ ଧର୍ମ ଗ୍ରହଣ କରିନଥିଲେ।” “ସେମାନେ ରବିବାର ଦିନ ଧୂରପଦାମାୟଙ୍କ ପାଇଁ, ସୋମବାର ମହାଦେବଙ୍କ ପାଇଁ ଏବଂ ବୁଧବାର କୃଷ୍ଣଙ୍କ ପାଇଁ ଉପବାସ କରୁଥିଲେ।”