“ପିଲାଦିନେ ମୁଁ ଖୁବ୍ ସୁନ୍ଦର ଥିଲି । କିନ୍ତୁ ଏବେ ମୋ ନିଜର ଯତ୍ନ ନେବାକୁ ମୋ ପାଖରେ ସମୟ ନାହିଁ,” ସେ ରହୁଥିବା ଭଡ଼ାଘରର ପାହାଚ ଉପରେ ବସି, ଅବସରର କେତୋଟି ମୁହୂର୍ତ୍ତକୁ ଉପଭୋଗ କରୁ କରୁ ଦୀର୍ଘଶ୍ୱାସ ପକାଇ କହନ୍ତି ନୁର୍ (ପରିବର୍ତ୍ତିତ ନାମ) ।
ତାଙ୍କୁ ୨୨ ବର୍ଷ ହୋଇଥିବା ବେଳରୁ କାମ କରିଆସୁଥିବା ନୁର୍, ନିର୍ମାଣସ୍ଥଳୀରେ ଶ୍ରମିକ ଭାବରେ ଏବଂ ଫ୍ୟାକ୍ଟରୀରେ କାମ କରିଛନ୍ତି. ଏବଂ ତା’ପରେ ଜଣେ ଘରୋଇ କର୍ମଚାରୀ ଭାବରେ କାମ କରିବା ପରେ ଏବେ ସେ ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ସଫେଇ କର୍ମୀ ଭାବରେ କାମ କରୁଛନ୍ତି । “ଦିଲ୍ଲୀରେ ଆସି ପହଞ୍ଚିବା ଦିନଠାରୁ ଆଜି ଯାଏଁ, ମୁଁ ଖାଲି କାମ କରିଆସୁଛି,” ସେ ‘ପରୀ’କୁ କହନ୍ତି ।
ରୋହିଣୀ ସେକ୍ଟର ୧୫ରେ ଥିବା ଏହି ହସ୍ପିଟାଲରେ ନୁର୍ ନର୍ସିଂ କାମରେ ସହାୟତା କରିବା ସହିତ ସଫାସଫି କାମ କରନ୍ତି ।ସେ ରୋଗୀଙ୍କ କୋଠରିକୁ ସଫା କରନ୍ତି ଏବଂ ଦରକାର ବେଳେ ସେମାନଙ୍କ ପାଇଁ ଖାଦ୍ୟ ଓ ପାଣି ନେଇ ଆସନ୍ତି । ରୋଗୀଙ୍କ ନିୟମିତ ଚିକିତ୍ସା ଅବସରରେ ବ୍ୟାଣ୍ଡେଜ୍ କରିବା ଲାଗି ଦରକାର ହେଲେ ସେ ନର୍ସମାନଙ୍କ ସହିତ ଯୋଗ ଦିଅନ୍ତି । “ମୁଁ ଦିନକୁ ପ୍ରାୟ ୧୨-୧୩ ଘଣ୍ଟା କାମ କରେ । ମାସକୁ ୧୧,୦୦୦ ଟଙ୍କା ରୋଜଗାର କରେ । କିନ୍ତୁ ଦିଲ୍ଲୀ ଭଳି ସହରରେ ତିଷ୍ଠି ରହିବାକୁ ହେଲେ ସେତକ ଯଥେଷ୍ଟ ନୁହେଁ,” ସେ କହନ୍ତି । ମୋତେ ଘରଭଡ଼ା, ପାଣି ଓ ବିଦ୍ୟୁତ୍ ଖର୍ଚ୍ଚ ଦେବାକୁ ହୁଏ ।” ଏ ସବୁ ମିଶି ମାସକୁ ପ୍ରାୟ ୯,୬୦୦ ଟଙ୍କା ହୁଏ, ନୁର୍ କହନ୍ତି ।
୨୦୦୪ରେ ନୁର୍ ତାଙ୍କ ମୌସୀ (ମାଉସୀ) ଓ ସ୍ୱାମୀଙ୍କ ସହିତ ଦିଲ୍ଲୀ ଆସିଥିଲେ । ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା ଏବଂ ସେ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ଦେବା ଲାଗି ଗର୍ଭବତୀ ଥିଲେ । କାମ ଓ ଆଉ ଭଲ ରୋଜଗାର ସନ୍ଧାନରେ ବିହାରର ସୁଲିନ୍ଦାବାଦରୁ ରାଜଧାନୀ ନଗରୀକୁ ଆସିଥିଲେ ଏହି ପରିବାର । ଆଉ ଟିକେ ଭଲରେ ଜୀବନ କାଟିବାକୁ ଚାହୁଁଥିଲେ ନୁର୍ ।
୧୯୯୧ରୁ୨୦୦୧ ମଧ୍ୟରେ ଦିଲ୍ଲୀ-ଜାତୀୟ ରାଜଧାନୀ କ୍ଷେତ୍ରକୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ହିସାବକୁ ନେଲେ ବିହାରରୁ ଆସିଥିବା ଶ୍ରମିକଙ୍କ ସଂଖ୍ୟା ଥିଲା ଦ୍ୱିତୀୟ ସର୍ବାଧିକ । ପର୍ଯ୍ୟାୟକ୍ରମିକ ଶ୍ରମ ବଳ ସର୍ଭେ (୨୦୨୪)ରୁ ମିଳିଥିବା ତଥ୍ୟ ଅନୁସାରେ ଏହି ସଂଖ୍ୟା ଏବେ ବି ଅପରିବର୍ତ୍ତିତ ରହିଛି । ଏହି ସର୍ଭେ ଅନୁସାରେ, ମୁଖ୍ୟତଃ କାମଧନ୍ଦା ଲାଗି ୧୧ ଲକ୍ଷରୁ ଅଧିକ ଲୋକ ବିହାରରୁ ଦିଲ୍ଲୀକୁ ଚାଲି ଆସିଛନ୍ତି ।
ଦିଲ୍ଲୀରେ ପହଞ୍ଚିବା ପରେ ନୁର୍ଙ୍କ ପରିବାର କାଶ୍ମିରୀ ଗେଟ୍ ନିକଟ ଝୁଗ୍ଗି (ଅସ୍ଥାୟୀ କୁଡ଼ିଆ)ରେ ରହିବାରେ ଲାଗିଲେ । ଗର୍ଭବତୀ ଯୁବତୀ ବୋହୂ ଜଣକ ପ୍ରଥମେ ଗୋଟିଏ କୋଠାବାଡ଼ି ନିର୍ମାଣସ୍ଥଳରେ ଶ୍ରମିକ ଭାବରେ କାମ ଆରମ୍ଭ କଲେ ଏବଂ ପରେ ସେ ସ୍ୱରୂପ ନଗରର ଏକ ଫ୍ୟାକ୍ଟ୍ରିରେ କାମ କଲେ ।








