ଧୂଳି ଏବଂ ଦୁଃଖରେ ଆଚ୍ଛନ୍ନ ହୋଇଛି ଗରିବ ନଗରର ବାୟୁମଣ୍ଡଳ।
ମେ’ ୧୯-୨୩, ୨୦୨୬ରେ କାର୍ଯ୍ୟକାରୀ ହୋଇଥିବା ଏକ ଜବରଦଖଲ-ବିରୋଧୀ ଅଭିଯାନ ମୁମ୍ବାଇର ବାନ୍ଦ୍ରା ଇଷ୍ଟ୍ରେ ପ୍ରାୟ ୫୦୦ କୁଡ଼ିଆ ଘର ନଷ୍ଟ କରିଦେଇଛି। ଏଗୁଡ଼ିକ ହେଉଛି ଦିନମଜୁରିଆ ଏବଂ ଘରୋଇ ସହାୟକ ଶ୍ରମିକମାନଙ୍କର ଘର।
ଅବଶେଷ ଚାରିଆଡ଼େ ପଡ଼ିରହିଛି।
ଗୋଟିଏ ତାର୍ପୋଲିନ୍ ତଳେ ଆଲିଆ ଶେଖ୍, ରୁକ୍ସାର୍ ଖାନ୍ ଅଫ୍ସର, ଆସ୍ମା ଶେଖ୍ ଏବଂ ହୀନା ଖାନ୍ ଏକାଠି ବସିଛନ୍ତି। ମୁଖ୍ୟତଃ ମୁସଲମାନ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଏହି ସ୍ଥାନ ଯାହା କେଇ ଦଶନ୍ଧି ଧରି ସେମାନଙ୍କର ଘର ହୋଇଥିଲା ତାହାର ସମ୍ମୁଖରେ ଥିବା ରାସ୍ତାର ଫୁଟ୍ପାଥ୍ରେ ଶୋଉଛନ୍ତି।
ମେ’ ୧୭ ତାରିଖ ସନ୍ଧ୍ୟାରେ ଗରିବ ନଗରର ବାସିନ୍ଦାମାନେ ଏକ ନୋଟିସ୍ ପାଇଲେ ଯେ ବାନ୍ଦ୍ରା ଜଙ୍କସନ୍ ଚାରି ପାଖରେ ଥିବା ବସ୍ତିଗୁଡ଼ିକ ଦୁଇ ଦିନ ମଧ୍ୟରେ ଉଚ୍ଛେଦ କରାଯିବ।
ଏଠାରେ ଅଧିକାଂଶ ବାସିନ୍ଦାଙ୍କ ଦ୍ୱାରା ପାଳନ କରାଯାଉଥିବା ଇଦ୍ ପର୍ବ ଅଳ୍ପ କେଇଦିନ ପରେ ଥିଲା। ଜଣେ ୫୨ ବର୍ଷ ବୟସ୍କା ଗୃହିଣୀ ଆଲିଆ ଏହି ସମ୍ବାଦଦାତାଙ୍କୁ ପଚାରନ୍ତି, ‘‘ଇନ୍ସାନ୍ କି ଇନ୍ସାନିୟତ୍ କାହାଁ ହେଁ [ମଣିଷର ମାନବିକତା କେଉଁଠି ଅଛି]? ସେ ତାଙ୍କ ବୋହୂ ଏବଂ ତିନି ନାତିନାତୁଣୀଙ୍କ ପାଇଁ ଆଣିଥିବା ନୂଆ ପୋଷାକ ତାଙ୍କର ଅବଶିଷ୍ଟ ଜିନିଷ ମଧ୍ୟରେ ପ୍ୟାକ୍ ହୋଇରହିଛି।
















