କୋରାଲ୍ ଗଛ (ଏରିଥ୍ରୀନା ଭାରିଏଗାଟା) ଫୁଲରେ ଭରିଯାଏ। ନାଗାଲାଣ୍ଡର ମୋନ୍ ଗାଁରେ, ଏହି ଅଗ୍ନିମୟ ଲାଲରଙ୍ଗର ଫୁଲଗୁଡ଼ିକ ବସନ୍ତ ଆଗମନର ସଙ୍କେତ ଦେଇଥାଏ, ଆଉ ଏହା ସହ ଆରମ୍ଭ ହୋଇଥାଏ ବାର୍ଷିକ ଉତ୍ସବ ‘ଆଓଲେଙ୍ଗ’।
୬୨ ବର୍ଷୀୟା ନିଏଲେଇ କୋଂୟାକ୍ ତାଙ୍କ ନାତି ସହିତ ଏଠାକୁ ଆସିଛନ୍ତି। କୋଂୟାକ୍ ଛାତ୍ର ସଂଘ ବିଲଡିଂର ବାରଣ୍ଡାରେ ବସି ସେ ହସି ହସି କହନ୍ତି, ‘‘ଏଠାକୁ ଆସିଥିବାରୁ ମୁଁ ବହୁତ ଉତ୍ସାହିତ ଏବଂ ସମସ୍ତ କାର୍ଯ୍ୟକ୍ରମ ଦେଖିବି।’’ କିନ୍ତୁ ସେ ସବୁଠୁ ଅଧିକ ଅପେକ୍ଷା କରିଛନ୍ତି ଭୋଜି ଖାଇବା ପାଇଁ। ‘‘ମୁଁ ସବୁଠାରୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବି – ଜାଉ ଭାତ, ମାଂସ, ଚଟଣି ଏବଂ ଫଳ,’’ - କୁହନ୍ତି ନିଏଲେଇ।
ଏହି ଉତ୍ସବରେ ସଙ୍ଗୀତ, ନୃତ୍ୟ ଏବଂ ପାରମ୍ପରିକ ଖେଳ ହେବ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି କଙ୍ଗ୍-କେଇ-ହାମ୍-ଆଜକ୍ ମିକ୍ (ବାଉଁଶ ଖୁଣ୍ଟ ଦୌଡ଼), ଖାମ୍ ତୁତ୍ (କାଠ ଡ୍ରମ୍ ବଜାଇବା) ଏବଂ ୱେନ୍ ଖେନ୍ ମିକ୍ (ଅଗ୍ନି ପ୍ରଜ୍ଵଳନ) ଏଥିରେ ସାମିଲ ହେବ।
କୋଂୟାକ୍ ଜନଜାତିଙ୍କ ଦ୍ୱାରା ପାଳିତ ଏହି ‘ଆଓଲେଙ୍ଗ’ ଉତ୍ସବ ଛଅ ଦିନ ଧରି ଚାଲିଥାଏ। ମାର୍ଚ୍ଚ-ଏପ୍ରିଲ ମାସ ବସନ୍ତ ଋତୁରେ ଉତ୍ସବ ପାଳନ କରାଯାଏ। ନୂଆ ଝୁମ୍ ଚାଷ ଜମିରେ ବିହନ ବୁଣିବା ପରେ ଏହି ସମୁଦାୟର ଲୋକେ ଭଲ ଅମଳ ପାଇଁ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଏକାଠି ହୋଇ ଉତ୍ସବ ପାଳନ୍ତି। ଏହି ଅଞ୍ଚଳରେ ଧାନ ହେଉଛି ମୁଖ୍ୟ ଫସଲ ଏବଂ ସ୍ଥାନାନ୍ତରିତ ଚାଷ ଏବେ ମଧ୍ୟ ବହୁଳ ଭାବରେ ପ୍ରଚଳିତ।
କୋଂୟାକ୍ ସମୁଦାୟର ଲୋକମାନେ ଏବେ ବି ବଂଶାନୁକ୍ରମିକ ଗ୍ରାମ ମୁଖ୍ୟ ବା 'ଅଙ୍ଗ'ମାନଙ୍କୁ ବହୁତ ଗୁରୁତ୍ଵ ଦିଅନ୍ତି ଏବଂ ନିକଟରେ, ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ଗ୍ରାମ ପରିଷଦ ମଧ୍ୟ କାର୍ଯ୍ୟ କରୁଛି। ‘ଅଙ୍ଗ’ଙ୍କ ଘର ପାଖ ପଡ଼ିଆରେ ପରିବାରଗୁଡ଼ିକ ‘ଆଓଲେଙ୍ଗ’ ବା ସ୍ଥାନୀୟ ଭାଷାରେ 'ଓୟା'ର ବାର୍ଷିକ ଉତ୍ସବ ପାଳନ ପାଇଁ ଏକାଠି ହୋଇଛନ୍ତି।


