“ଆମେ ସରକାରଙ୍କ ଯୋଜନା ବାବଦରେ କିପରି ଜାଣିପାରିବୁ? ଆମ ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ରହିଛି ସେ ସମ୍ପର୍କରେ ଜଣାଇବା ପାଇଁ ମଧ୍ୟ କେହି ନାହାନ୍ତି,” ବୋଲି ମହାରାଷ୍ଟ୍ର ଧାରାଶିବ ଜିଲ୍ଲାର ୪୨ବର୍ଷୀୟ ସଞ୍ଜୀବନୀ ବେଡଗେ କହିଛନ୍ତି। ସେ ତୁଲଜାପୁର ତାଲୁକା ଅନ୍ତର୍ଗତ ଜାଲକୋଟ ଗ୍ରାମର ଜଣେ କୃଷକ ହୋଇଥିବା ବେଳେ ତାଙ୍କର ସ୍ଵଳ୍ପ ରୋଜଗାରକୁ ବୃଦ୍ଧି କରିବା ପାଇଁ ଅନ୍ୟମାନଙ୍କ କ୍ଷେତରେ ମଧ୍ୟ କୃଷି ଶ୍ରମିକ ଭାବେ କାମ କରିଥାନ୍ତି। ୨୦୨୦ ମସିହାରୁ ସେ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଉଦ୍ୟମ କରି ଆସୁଛନ୍ତି-ହେଲେ ପ୍ରତିଥର କୌଣସି ନା କୌଣସି କାରଣରୁ ସେ ଏଥିରେ ବିଫଳ ହେଉଛନ୍ତି। “ମୋର ସ୍ଵାମୀ ଶଙ୍କର ୨୦୨୦ ମସିହା ଜାନୁଆରୀ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ-ତା’ର କିଛିଦିନ ପୂର୍ବରୁ ଲକ୍ଡାଉନ ଆରମ୍ଭ ହୋଇଥିଲା,” ବୋଲି ସଞ୍ଜୀବନୀ କହିଛନ୍ତି। “ଜଣେ ବ୍ୟକ୍ତି ତାଙ୍କ ଜୀବନ ହାରିଦେଲେ ସିନା ଋଣ ଶୁଝିଲା ନାହିଁ। ଋଣ ବୋଝ ସହି ନପାରି ମୋ’ ସ୍ଵାମୀ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ପ୍ରତିଦିନ ସେହି ବୋଝ ବୋହି ମୁଁ ଜୀବନ ବଞ୍ଚୁଛି।”
ତାଙ୍କ ଦିବଙ୍ଗତ ସ୍ଵାମୀଙ୍କର ବାପା ଅର୍ଥାତ ଶ୍ଵଶୁରଙ୍କର ଗୋଟିଏ ପାଞ୍ଚ ଏକର ବିଶିଷ୍ଟ ଜମି ଜାଲକୋଟରେ ଅଛି ଏବଂ ସେଥିରେ ଶଙ୍କର ଏବଂ ତାଙ୍କର ତିନି ଭାଇ ମିଶି ଚାଷ କାମ କରୁଥିଲେ। “ଆମ ଜମି ବର୍ଷାଶ୍ରିତ ହୋଇଥିବା ବେଳେ ଜମିକୁ ଜଳସେଚନ ସୁବିଧା ମଧ୍ୟ ନାହିଁ, ତଥାପି ଭଲ ଆୟ ଆଶାରେ ଆମେ ଅଧିକ ପାଣି ଆବଶ୍ୟକ କରୁଥିବା ଫସଲ କରିଥାଉ,” ବୋଲି ସଞ୍ଜୀବନୀ କହିଥିଲେ। “ବର୍ଷାଦିନେ ସୋୟାବିନ ଏବଂ ତୁର୍ ଚାଷ କରୁଥିବା ବେଳେ ଜୱାର, ଗହମ ଏବଂ ବୁଟ ଚାଷ ଦୀପାବଳି ପରେ କରିଥାଉ।”
୨୦୧୧ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଜୱାର, ଗହମ ଏବଂ ବୁଟ କ୍ଵିଣ୍ଟାଲ ପିଛା ୨,୨୦୦ ଟଙ୍କା ଏବଂ ସୋୟାବିନ ଏବଂ ତୁର୍ କ୍ଵିଣ୍ଟାଲ ପିଛା ପ୍ରାୟ ୫୦୦୦ ଟଙ୍କା ରହିଥିଲା। ପରିବାର ଲୋକଙ୍କ ବ୍ୟବହାର ପାଇଁ ରଖିବା ପରେ ପାଖାପାଖି ୪ କ୍ଵିଣ୍ଟାଲ ରବି ଫସଲ ଯାହାର ଆନୁମାନିକ ମୂଲ୍ୟ ୨୬,୪୦୦ ହେବ ଏବଂ ୫ କ୍ଵିଣ୍ଟାଲ ସୋୟାବିନ ଏବଂ ତୁର୍ ଯାହାର ଆନୁମାନିକ ମୂଲ୍ୟ ୫୦,୦୦୦ଟଙ୍କା। ଅର୍ଥାତ ଉଭୟ ଟଙ୍କା ମିଶିଲେ ବାର୍ଷିକ ପାଖାପାଖି ୭୬,୪୦୦ ଟଙ୍କାର ଆୟ। ଏହି ଟଙ୍କା ସମାନ ଭାଗରେ ଚାରି ଭାଇଙ୍କ ପରିବାର ମଧ୍ୟରେ ବାଣ୍ଟି ଦିଆଯାଉଥିଲା ବୋଲି ଜାଲକୋଟରେ ମତେ ସଞ୍ଜୀବନୀ କହିଥିଲେ।
“ଆମେ ସମସ୍ତେ ଯେଉଁ କଚ୍ଚାଘରରେ (ମାଟି ଓ ନଡ଼ାରେ ତିଆରି ଛପର ଘର) ରହୁଥିଲୁ ସେଥିରେ ଅନେକ ସମସ୍ୟା ରହିଥିଲା,” ସେ ବର୍ଣ୍ଣନା କରି କହିଥିଲେ, “ବିଶେଷକରି ବର୍ଷାଦିନେ-ଛାତରୁ ପାଣି ଗଳିଥାଏ, ଏବଂ ଏହାଦ୍ଵାରା ଆମ ପିଲାମାନଙ୍କର ଦେହ ଅଧିକାଂଶ ସମୟ ଖରାପ ରହୁଥିଲା। ଆଉ ଚିକିତ୍ସା ଖର୍ଚ୍ଚ ଅତ୍ୟନ୍ତ ବ୍ୟୟବହୁଳ।”








