ସୋମେଶ୍ଵର ଏକନାଥ ସାଲଗାର ଗାଧେଇ ସାରି ତାଙ୍କ ତମ୍ବୁ ଆଗରେ ବସିଛନ୍ତି, ନଭେମ୍ବରର ହାଲ୍କା ଖରାରେ ବସି ଓଦା ବାଳକୁ କୁଣ୍ଡଉଛନ୍ତି। ଏହା ତାଙ୍କ ପାଇଁ କିଛିଟା ଅବସର ସମୟ – ତାଙ୍କର ଦିନ ଭୋର ୪ଟାରୁ ଆରମ୍ଭ ୧୨-୧୩ ଘଣ୍ଟା ପରେ ଶେଷ ହୁଏ।
ସୋମେଶ୍ଵର ଜଣେ ଫଡକାରୀ (ଆଖୁ କଟାଳି) ଓ ଶହଶହ ଶ୍ରମିକ ଓ ସେମାନଙ୍କ ପରିବାର ମଧ୍ୟରୁ ଗୋଟିଏ ଯେଉଁମାନେ କାମ ଖୋଜିଖୋଜି କୋହ୍ଲାପୁରରେ ଥିବା ବହୁ ସଂଖ୍ୟକ ଚିନି କାରଖାନାରେ ପହଞ୍ଚନ୍ତି। କୋହ୍ଲାପୁର ଜିଲ୍ଲାର ପରଗାଓଁ ଭାଡୋଲେଠାରେ ଥିବା ୱାର୍ନା ଚିନି କାରଖାନା ନିକଟରେ ଏହି ସବୁ ପରିବାରଗୁଡିକ ଟେଣ୍ଟ ବାନ୍ଧି ଆଖୁ କାଟିବାକୁ ଚାରି ପାଞ୍ଚ ମାସ ଧରି ରହନ୍ତି।
ସେମାନଙ୍କ ମଧ୍ୟରୁ ଅଧିକାଂଶ ମରୁଡିଗ୍ରସ୍ତ ମରାଠାୱାଡ଼ା ଅନ୍ତର୍ଗତ ବିଡ଼ ପରି ଅଞ୍ଚଳରୁ ଆସନ୍ତି। ସୋମେଶ୍ଵର ଭାଉ ବିଡ଼ ଜିଲ୍ଲାର ମୁଙ୍ଗିଠାରୁ ତାଙ୍କ ପରିବାର ସହ ଆସିଛନ୍ତି। ସର୍ବାଧିକ ଆଖୁଚାଷ ହେଉଥିବା କୋହ୍ଲାପୁର ଜିଲ୍ଲାରେ ପହଞ୍ଚିବା ପାଇଁ ସେମାନଙ୍କୁ ୬୫୦ କି.ମି. ବାଟ ତିନି ଦିନରେ ଅତିକ୍ରମ କରି ଆସିବାକୁ ପଡିଛି।
“ମୋ ସ୍ତ୍ରୀ ପରିମାଳା ସହ ଆମର ତିନି ପୁଅ ପ୍ରମୋଦ, ବିନୋଦ ଓ ଦଶରଥ ଆମ ସହ ଆସିଛନ୍ତି”, ସେ କହନ୍ତି। ସେମାନଙ୍କ ଆସବାବପତ୍ର ଓ ଦରକାରୀ ଜିନିଷ ସହ ଗୋଟିଏ ଟ୍ରାକ୍ଟର-ଟ୍ରଲିରେ ବସି ସେମାନେ ଆସିଛନ୍ତି। ଟେଣ୍ଟ ଭିତରେ ସଶ୍ୟଭର୍ତ୍ତି ଅଖା ବସ୍ତା ଥାକ ମାରି ରଖା ଯାଇଥିବା ସହ ଗୋଟିଏ ଗ୍ୟାସ୍ ସିଲିଣ୍ଡର ରହିଛି।
























