“ଭୋଗୋଲ ସୋବାଇ ବାନିଏ ପାଇ, ମନୋସାର ଡ୍ୟାଲା ସୁଦୁ ଆମରାଇ ବାନାଇ (ସୋଲରୁ ଯେ କେହି କଦମ ଫୁଲ ବନେଇ ପାରିବେ, କିନ୍ତୁ କେବଳ ଆମେ ହିଁ ମନସାଙ୍କ ଡ୍ୟାଲା ତିଆରି କରୁ),” ପାଟିରେ ପାନ ଖଣ୍ଡେ ପୂରାଇ ଦେଉ ଦେଉ ହସି ହସି କହନ୍ତି ଆନେଶ୍ୱରୀ ବର୍ମନ ।
ଆଣ୍ଠୁ ଉପର ଯାଏଁ ଶାଢ଼ି ପିନ୍ଧି, ମୁଣ୍ଡରେ ଭଲ ଭାବରେ ଖୋସା ବାନ୍ଧିଥିବା ୫୮ ବର୍ଷୀୟା ଆନେଶ୍ୱରୀ ତାଙ୍କ ଆଞ୍ଚଲ (ଶାଢ଼ିର କାନି)ରେ ହାତ ଓ ମୁହଁ ପୋଛି ନିଅନ୍ତି ଏବଂ ଏଇ ମାତ୍ର ପହଁରି ସଫା କରିଥିବା ତାଙ୍କ ଘର ଅଗଣାର ସିମେଣ୍ଟରେ ତିଆରି ଅଂଶରେ ବସି ପଡ଼ନ୍ତି । ଆଗକୁ ଏହି ନିପୁଣ ସୋଲ କାରିଗରଙ୍କ ପାଇଁ ଘରକାମ ଓ କାରିଗରୀ ଭିତରେ କାଟିବାକୁ ଥାଏ ଆଉ ଗୋଟିଏ ଦିନ ।
ଜଳାଶୟରେ ବଢୁଥିବା ଏକ ପ୍ରକାର ଲତାର କାଣ୍ଡ, ସୋଲ (Aeschynomene aspera L)ରୁ ତିଆରି ହୁଏ ଧାର୍ମିକ ରୀତିନୀତି ଏବଂ ସାଜସଜ୍ଜା ସାମଗ୍ରୀ । ପଶ୍ଚିମ ବଙ୍ଗର ଅନେକ ପ୍ରସିଦ୍ଧ ହସ୍ତଶିଳ୍ପ ମଧ୍ୟରୁ ଏହି ସୋଲ କାରିଗରୀ ଅନ୍ୟତମ । ଉତ୍ତର ବଙ୍ଗର କୋଚ ବିହାର ଜିଲ୍ଲା ଅନ୍ତର୍ଗତ, ୪,୪୬୭ ଲୋକସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ସିଦ୍ଧେଶ୍ୱରୀ ଗାଁର ଅନେକ ପରିବାର ଜୀବିକା ନିର୍ବାହ ଲାଗି ଏହି ସୋଲ କାରିଗରୀ ଉପରେ ନିର୍ଭର କରନ୍ତି । ହେଲେ, କୁଚ ବିହାର- ଦ୍ୱିତୀୟ ବ୍ଲକ୍ ପରିସରଭୁକ୍ତ ଏହି ଗାଁରେ ଆନେଶ୍ୱରୀଙ୍କ ପରିବାର ଭଳି ଅଳ୍ପ କେତେକ ପରିବାର ହିଁ ମନସାଙ୍କ ଡ୍ୟାଲା ଗଢ଼ିବାର କଳାକୌଶଳକୁ ଉତ୍ତରାଧିକାର ସୂତ୍ରରେ ହାସଲ କରିଛନ୍ତି । ମନସାଙ୍କ ଡ୍ୟାଲା ହେଉଛି – ସୋଲ କାଠିର ନରମ ଓ ସଚ୍ଛିଦ୍ର ଭିତର ଅଂଶରେ ତିଆରି ଏକ ମେଢ଼, ଯେଉଁଥିରେ ସର୍ପଦେବୀ ମନସାଙ୍କର ଏକ ଚିତ୍ରିତ ପ୍ରତିମା ରହିଥାଏ ।
“ଯଦି ଆପଣଙ୍କ ପରିବାରରେ ଏହି ପରମ୍ପରା ନାହିଁ, ତେବେ ଆପଣ ଏହା ଗଢ଼ିବାକୁ ଅନୁମତି ପାଇବେ ନାହିଁ । କିନ୍ତୁ ଆମେ ଏହାକୁ ଗଢ଼ି ପାରିବୁ । ଆମ ପରିବାରରେ ଏହା ଅଛି,” ରାଜବଂଶୀ ସଂପ୍ରଦାୟ (ପଶ୍ଚିମ ବଙ୍ଗରେ ଅଧିସୂଚିତ ଜାତି ରୂପେ ତାଲିକାଭୁକ୍ତ) ଅନ୍ତର୍ଭୁକ୍ତ ତାଙ୍କ ସ୍ୱାମୀଙ୍କ ପରିବାରରେ ବଂଶାନୁକ୍ରମେ ଚଳି ଆସୁଥିବା ଏହି ଧାର୍ମିକ ରୀତିନୀତି ସଂପର୍କରେ ଗର୍ବର ସହ ସେ କହନ୍ତି ।

























