ଦୁର୍ଗା ଦୁର୍ଗା ବୋଲେ ଆମାର୍,
ଦୋଗ୍ଧୋହୋଲୋ କାୟା,
ଏକବାର୍ ଦେ ଗୋ ମା’,
ଚୋରୋନେରି ଛାୟା…
ମୋ ଶରୀର ଜଳି ଯାଉଛି,
‘ଦୁର୍ଗା, ଦୁର୍ଗା’ ମୁଁ ଡାକୁଛି,
ହେ ମା’, ଆପଣଙ୍କ କୃପା ଲାଭ କରିବା ଲାଗି
ମୁଁ ଆପଣଙ୍କୁ ବିନତି କରୁଛି।
ଦେବୀ ଦୁର୍ଗାଙ୍କ ପ୍ରଶସ୍ତି ଗାନ କରିବା ସମୟରେ କଳାକାର ବିଜୟ ଚିତ୍ରକରଙ୍କ କଣ୍ଠ ସ୍ୱର ଉଚ୍ଚ ହୋଇଯାଉଛି। ତାଙ୍କ ଭଳି ପାଇଟକାର କଳାକାର ସାଧାରଣତଃ ପ୍ରଥମେ ଗୀତ ଲେଖିଥା’ନ୍ତି ଏବଂ ତା’ପରେ ଚିତ୍ର ଆଙ୍କିଥାନ୍ତି - ଯାହାକି ୧୪ ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏହାକୁ କାହାଣୀ ଓ ସଙ୍ଗୀତ ସହିତ ଦର୍ଶକଙ୍କ ଆଗରେ ଉପସ୍ଥାପନ କରାଯାଇଥାଏ।
ବିଜୟ (୪୧) ଝାଡ଼ଖଣ୍ଡର ପୂର୍ବୀସିଂହଭୂମ ଜିଲ୍ଲା ଅନ୍ତର୍ଗତ ଆମାଡୋବି ଗାଁରେ ରୁହନ୍ତି। ସେ କୁହନ୍ତି, ପାଇଟକାର ଚିତ୍ରକଳାଗୁଡ଼ିକ ସ୍ଥାନୀୟ ସାନ୍ତାଳୀ କାହାଣୀ, ଗ୍ରାମୀଣ ଜୀବନ, ପ୍ରକୃତି ଓ ପୁରାଣ ଉପରେ ଆଧାରିତ ହୋଇଥାଏ। ‘‘ଆମର ମୁଖ୍ୟ ବିଷୟବସ୍ତୁ ହେଉଛି ଗ୍ରାମୀଣ ସଂସ୍କୃତି; ଆମ ଚାରି ପାଖରେ ଆମେ ଯାହା ଦେଖୁ, ତା’କୁ ଆମର କଳା ମାଧ୍ୟମରେ ପ୍ରତିଫଳିତ କରିଥାଉ,’’ ବିଜୟ କୁହନ୍ତି। ତାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିବା ବେଳେ ସେ ପାଇଟକାର ଚିତ୍ର ଆଙ୍କି ଆସୁଛନ୍ତି। ‘‘କରମା ନୃତ୍ୟ, ବାହା ନୃତ୍ୟ, କିମ୍ବା ରାମାୟଣ, ମହାଭାରତ, ଗୋଟିଏ ଗାଁ ଦୃଶ୍ୟର ଚିତ୍ର….’’ ସେ ସାନ୍ତାଳୀ ଚିତ୍ରକଳାର ବିଭିନ୍ନ ଭାଗକୁ ବର୍ଣ୍ଣନା କରିଥାନ୍ତି, ‘‘ଏଥିରେ ମହିଳାଙ୍କୁ ଘର କାମ କରୁଥିବା, ପୁରୁଷମାନେ ବଳଦ ନେଇ କ୍ଷେତକୁ ଯିବା ଏବଂ ଆକାଶରେ ପକ୍ଷୀମାନେ ଉଡ଼ିଯାଉଥିବା ପ୍ରଦର୍ଶିତ କରାଯାଇଛି।’’
‘‘ମୁଁ ମୋ ଜେଜେବାପାଙ୍କଠାରୁ ଏହି କଳା ଶିଖିଛି। ସେ ଜଣେ ପ୍ରସିଦ୍ଧ ଚିତ୍ରକର ଥିଲେ ଏବଂ ତତ୍କାଳୀନ ସମୟରେ କଲିକତା (କୋଲକାତା)ରୁ ଲୋକମାନେ ତାଙ୍କୁ ଶୁଣିବା (ଗୀତ ଗାଇ ନିଜ ଚିତ୍ର ବର୍ଣ୍ଣନା କରିବା) କୁ ଆସୁଥିଲେ।’’ ବିଜୟଙ୍କ ପରିବାରର ଅନେକ ପିଢ଼ି ପାଇଟକାର ଚିତ୍ରକର ଭାବେ ରହି ଆସିଛନ୍ତି ଏବଂ ସେ କୁହନ୍ତି, ‘‘ପାଟ୍ ୟୁକ୍ତାକାର୍, ମାନେ ପାଇଟକାର, ଇସିଲିୟେ ପାଇଟକାର ପେଣ୍ଟିଂ ଆୟା (ଏହାର ଆକାର ଏକ ପାଟ୍ ବା ପାଣ୍ଡୁଲିପି ଭଳି, ତେଣୁ ଏହାକୁ ପାଇଟକାର ନାମ ଦିଆଯାଇଛି)।’’
















