କାଠ କାରିଗରୀର ଦୁଇ ଦଶନ୍ଧିର ଯାତ୍ରାରେ, ବଲବୀର ବିଶ୍ୱକର୍ମା ସାତଟି ମନ୍ଦିର ନିର୍ମାଣ କରିସାରିଛନ୍ତି। ଉତ୍ତରାଖଣ୍ଡର ଏହି ପାର୍ବତ୍ୟ ଅଞ୍ଚଳର ନିର୍ମାଣ ଶୈଳୀ ସମ୍ବନ୍ଧରେ ଏମିତି କିଛି କଥା ନାହିଁ ଯାହା ସେ ଜାଣିନାହାନ୍ତି।
‘‘ୟେ ହମରା ଖାନଦାନୀ କାମ୍ ହେ, ବାପ୍ ଦାଦା କେ ଟାଇମ୍ ସେ (ଏହା ଆମର ପାରମ୍ପରିକ କାମ, ବାପ-ଦାଦାଙ୍କ ସମୟରୁ ଚାଲିଆସିଛି),’’ ବଲବୀର ନିଜର ହାତୁଡ଼ି ଏବଂ ଛେଣିକୁ ଉଷୁମ ଦେବଦାରୁ କାଠ ଉପରେ ରଖି ‘ପରୀ’ ସହିତ କଥା ହେବା ପାଇଁ ଟିକେ ଅଟକି ଯାଇ କୁହନ୍ତି।
ଆମେ ଏବେ ଜୌନସାର ଅଞ୍ଚଳରେ ଅଛୁ। ପାହାଡ଼ ପର୍ବତ ଉପରୁ ସକାଳର ଉଷୁମ ସୂର୍ଯ୍ୟକିରଣ ଖେଳିଯାଇଛି ଏବଂ ମହାସୁ ଦେବତାଙ୍କ ମନ୍ଦିରର ଶିଖରକୁ ଆଲୋକିତ କରୁଛି, ଯାହା ‘ପରୀ’ ଟିମ୍ ସେଠାରେ ପହଞ୍ଚିବା ସମୟରେ ଅର୍ଥାତ୍ ୨୦୨୫ ଶେଷଭାଗରେ ନିର୍ମାଣାଧୀନ ଥିଲା।
‘‘ମନ୍ଦିର ବନାନେ କି ଶୁରୁୱାତ୍ ହମେଶା ନିଚେ ସେ ହୋତି। ପହିଲେ ବେସ୍ ବନେଗା ଫିର୍ ଉପର କା। ସବସେ ଜରୁରି ହେ ପିଲାର୍ ଯିସ୍ପେ ଢାଞ୍ଚା ଖାଡା ହୋଗା (ମନ୍ଦିର ନିର୍ମାଣ ସର୍ବଦା ତଳୁ ଆରମ୍ଭ ହୋଇଥାଏ। ପ୍ରଥମେ ଭିତ୍ତିଭୂମି ତିଆରି ହୁଏ, ତା’ପରେ ଉପର ଅଂଶ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସେହି ଖୁମ୍ବ, ଯାହା ଉପରେ ସମଗ୍ର ଢାଞ୍ଚା ଠିଆ ହେବ),’’ ବଲବୀର ସଂରଚନାର ଚାରିପଟୁ ଦେଖାଇ ଆମକୁ ବୁଝାଇ ଦିଅନ୍ତି।
ଏହି ମୁଖ୍ୟ କାରିଗର ମନେ ପକାଇ କୁହନ୍ତି ଯେ, ଥାଇନା ଗାଁରେ ଗୋଟିଏ ମନ୍ଦିର ପାଇଁ ସବୁଠାରୁ ଅଧିକ ନଅ ବର୍ଷ ସମୟ ଲାଗିଥିଲା - କାରଣ ସେଥିରେ ଅନେକ ସାଜସଜ୍ଜାମୂଳକ କାରୁକାର୍ଯ୍ୟ ଥିଲା। ଛୋଟ ମନ୍ଦିରଗୁଡ଼ିକ ଗୋଟିଏରୁ ଦୁଇ ବର୍ଷ ମଧ୍ୟରେ ଶେଷ ହୋଇପାରିବ।























