“ଆମେ ଯିବାକୁ ପ୍ରସ୍ତୁତ ନୁହଁ । କୁଆଡ଼େ ଯିବୁ? ଗୃହହୀନ ଲୋକଙ୍କ ଭଳି ଆମକୁ ଏଣେତେଣେ ବୁଲିବାକୁ ପଡ଼ିବ,” ମୁନ୍ନାଲାଲ କୁର୍ମି କହନ୍ତି । ସେ ସର୍ସେଲା ରୟତୱାଡ଼ି ଗାଁର ଜଣେ ଚାଷୀ- ମଧ୍ୟ ପ୍ରଦେଶର ଦାମୋହ ଜିଲ୍ଲାରେ ଭାରତର ୫୩ତମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ- ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭ (VDTR) ସ୍ଥାପନ ସକାଶେ ଲୋପ ପାଇବାକୁ ଯାଉଥିବା ୯୩ଟି ଗାଁରୁ ଗୋଟିଏ ହେଲା ସର୍ସେଲା । ପ୍ରକଳ୍ପର ଏକ ନୂଆ ଦିଗ: ଯେ କୌଣସି ସମୟରେ ଏଠାକୁ ଚିତାବାଘମାନଙ୍କର ଆଗମନ ସମ୍ଭାବନା ରହିଛି ।
ନିକଟରେ ବାଘମାନଙ୍କ ବାସସ୍ଥଳୀ ରୂପେ ନିର୍ଦ୍ଧାରିତ ୫୮ଟି ଅଭୟାରଣ୍ୟ ଅଞ୍ଚଳରୁ ଗୋଟିଏ ହେଲା ବୀରାଙ୍ଗନା ଦୁର୍ଗାବତୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (VDTR); ଏଥିରୁ ଦୁଇଟି ଚିତାବାଘମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ସବୁ ସଂରକ୍ଷିତ ଅଞ୍ଚଳରେ ମଣିଷମାନଙ୍କର ପ୍ରବେଶ ନିଷେଧ - ଏହା କେବଳ ବନ୍ୟପ୍ରାଣୀମାନଙ୍କ ପାଇଁ ।
ପାଖାପାଖି ୮୦,୦୦୦ ବର୍ଗ କିଲୋମିଟର – ବା ଭାରତର ମୋଟାମୋଟି ୧୦ ପ୍ରତିଶତ ବନାଞ୍ଚଳ ଉପରେ ଏହି ସଂରକ୍ଷିତ ପ୍ରକଳ୍ପ ଗଢ଼ିବା ପାଇଁ ମୋଟ ୨୫୭ଟି ଗାଁକୁଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି, ଗାଁ ଲୋକଙ୍କୁ ବାସଚ୍ୟୁତ କରାଯାଇଛି ବୋଲି ୨୦୨୫ ଡିସେମ୍ବରରେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଲୋକସଭାରେ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ସଂରକ୍ଷଣ ପ୍ରକଳ୍ପ ଭିତରେ ଥିବା ଆଉ ୭୩୦ଟି ଗାଁକୁ ମଧ୍ୟ ଉଚ୍ଛେଦ କରାଯିବ ।
ଏହି ନୂତନ ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ଲୋପ ପାଇବାକୁ ବସିଥିବା ଆଉ ଏକ ଗାଁ ହେଉଛି ଦାବା । “ଆମେ କେଉଁଠି ରହିବୁ ? କ’ଣ ଖାଇବୁ ?” ନୌରାଦେହି ଅଭୟାରଣ୍ୟ କଡ଼ରେ ଅବସ୍ଥିତ ଏହି ଗାଁର ରାଧାରାଣୀ ଗୋଣ୍ଡ ପଚାରନ୍ତି । ଶୀତଦିନିଆ ଖରାରେ ଦାଣ୍ଡ ଅଗଣାରେ ବସି ଅମଳ ହୋଇ ଆସିଥିବା ଗହମ ବାଛିବାରେ ଲାଗିଛନ୍ତି ଏହି ୭୫ ବର୍ଷ ବୟସ୍କା ବୃଦ୍ଧା ଜଣକ । ଦେଖିଲେ ହିଁ ଜାଣିହୁଏ ତାଙ୍କ ବିଚଳିତ ମନୋଭାବ ।
ସଂରକ୍ଷିତ ଅଞ୍ଚଳର ଭିତ୍ତି ହେଉଛି ‘ଦୁର୍ଗ ସଂରକ୍ଷଣ’ – ଅର୍ଥାତ୍ କେବଳ ବନ୍ୟପ୍ରାଣୀଙ୍କ ଲାଗି ସୁରକ୍ଷିତ ଅଞ୍ଚଳ । ପରିବେଶ ବିଜ୍ଞାନୀମାନେ କହନ୍ତି ଯେ, ଏହା ଏକ ଅତି ସରଳ ଧାରଣା ଉପରେ ଆଧାରିତ ମତାମତ ଯେ, ବାଘ ଓ ମଣିଷ ଏକାଠି ରହିପାରିବେ ନାହିଁ । କିନ୍ତୁ ବାସ୍ତବ ତଥ୍ୟ: ଭାରତର ବନବାସୀ ସଂପ୍ରଦାୟ ସବୁ ସମୟରେ ବନ୍ୟପ୍ରାଣୀଙ୍କର ଅତି ନିକଟରେ ରହିଆସିଛନ୍ତି । “ଆମେ ହିଁ ଜଙ୍ଗଲ ଓ ଜୀବଜନ୍ତୁଙ୍କର ଦେଖାରଖା କରୁ । ସେମାନେ ଆମକୁ ବାହାର କରିଦେଉଛନ୍ତି, ଏବଂ ଠିକ୍ ଏହି ଜାଗାରେ ସେମାନେ ପର୍ଯ୍ୟଟକମାନଙ୍କ ପାଇଁ ଗୋଟିଏ ଅତିଥି ଭବନ ଗଢ଼ିବେ,” ଜନକା ବାଇ କହନ୍ତି । ୨୦୧୫ରେ ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସଂପ୍ରସାରଣରେ ବିଲୀନ ହୋଇଯାଇଥିଲା ତାଙ୍କ ଗାଁ ଉମରାବନ ।























