‘‘ଏଠାରେ ଏକ ବିଶାଳ ସଖୁଆ ଗାଛ (ଗଛ) ଥିଲା। ହିଜଲା ଗାଁ ଏବଂ ଏହାର ଆଖପାଖ ଲୋକମାନେ ଏହି ସ୍ଥାନରେ ଏକାଠି ହେଉଥିଲେ ଏବଂ ବୈସି (ବୈଠକ) କରୁଥିଲେ। ପ୍ରତିଦିନ ଏଠାରେ ଜମୁଥିବା ଭିଡ଼କୁ ଦେଖିବା ପରେ ଇଂରେଜମାନେ ଏହି ଗଛକୁ କାଟି ଦେବାକୁ ନିଷ୍ପତ୍ତି ନେଲେ... କିନ୍ତୁ ସେଥିରୁ ରକ୍ତ ଝରିଲା। ତା’ପରେ ଗଣ୍ଡି ପଥରରେ ପରିବର୍ତ୍ତିତ ହୋଇଗଲା।’’
ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ଯେଉଁଠି ଏହି ଗଛ ଥିଲା, ସେଠାରେ ବସି ରାଜେନ୍ଦ୍ର ବାସ୍କି ଶହ ଶହ ବର୍ଷ ପୁରୁଣା କାହାଣୀ ଶୁଣାଉଛନ୍ତି। ‘‘ସେହି ଗଛର ଗଣ୍ଡି,’’ ୩୦ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ କୁହନ୍ତି, ‘‘ଏବେ ଦେବତା ମାରାଙ୍ଗ ବୁରୁଙ୍କ ପୂଜା ପାଇଁ ଏକ ପବିତ୍ର ସ୍ଥାନ ପାଲଟିଛି। ସାନ୍ତାଳ (ଯେଉଁମାନଙ୍କୁ ସାନ୍ଥାଳ ମଧ୍ୟ କୁହାଯାଏ) ଆଦିବାସୀମାନେ ପୂଜା କରିବା ଲାଗି ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରୁ ଏହି ସ୍ଥାନକୁ ଆସନ୍ତି। ବାସ୍କି ଜଣେ ଚାଷୀ ଏବଂ ସେ ବର୍ତ୍ତମାନ ମାରାଙ୍ଗ ବୁରୁଙ୍କନାୟକୀ (ପୂଜାରୀ) ଅଟନ୍ତି।
ହିଜଲା ଗ୍ରାମ ସାନ୍ତାଳ ପରଗନା ଡିଭିଜନରେ ଏବଂ ଦୁମକା ସହର ବାହାରେ ଅବସ୍ଥିତ। ୨୦୧୧ର ଜନଗଣନା ଅନୁଯାୟୀ ଏଠାକାର ଜନସଂଖ୍ୟା ୬୪୦। ପ୍ରସିଦ୍ଧ ସାନ୍ତାଳ ହୁଲ୍ - ବ୍ରିଟିଶ ପ୍ରଶାସନ ବିରୋଧରେ ସାନ୍ତାଳମାନଙ୍କ ସବୁଠୁ ବଡ଼ ଆନ୍ଦୋଳନ ଥିଲା ଯାହାକି ୩୦ ଜୁନ୍ ୧୮୫୫ରେ ହିଜଲାଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ଭଗନାଡିହ ଗ୍ରାମ (ଯାହା ଭୋଗନାଡିହ ନାମରେ ମଧ୍ୟ ପ୍ରସିଦ୍ଧ)ରେ ସିଦୋ ଓ କାନ୍ହୁ ମୁର୍ମୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା।










