‘‘ଅକ୍ଟୋବର ୨୯ ତାରିଖ ଦିନ, ଆମକୁ (ଭିଲାଲା ଆଦିବାସୀଙ୍କୁ) ‘ଭୂଦାନ’ ଯୋଜନା ଅଧୀନରେ ଆବଣ୍ଟିତ ୩୩ ଏକର କୃଷି ଜମିକୁ ବଞ୍ଜାରାମାନେ ଜବରଦଖଲ କରୁଥିବା ନେଇ ଗଲସିଂହ ଅଭିଯୋଗ କରିଥିଲେ। ସେମାନେ ଜମି ଉପରେ ଝୁମ୍ପୁଡ଼ି ନିର୍ମାଣ କରି ଅକ୍ତିଆର ଜାହିର କରିବାକୁ ଉଦ୍ୟମ କରୁଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ବଞ୍ଜାରାମାନେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ ଏବଂ ଦୁଇ ଦିନ ପରେ ଗଲସିଂହଙ୍କ ଉପରେ ଅତି ନିର୍ଦ୍ଦୟ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଇନ୍ଦୋରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଏକ ମାସର ଚିକିତ୍ସା ପରେ ତାଙ୍କର ଦେହାନ୍ତ ହୋଇଥିଲା।’’ ଗୁନା ଜିଲ୍ଲାର ପାନେହଟି ଗ୍ରାମରେ ୨୦୨୪ ମସିହାରେ ଘଟିଥିବା ଏହି ହିଂସାତ୍ମକ ସଂଘର୍ଷକୁ ମନେ ପକାଇ କଲ୍ଲୁ ଭିଲାଲା କୁହନ୍ତି, ‘‘ଆମେ ପ୍ରଶାସନ ନିକଟରେ ଏକାଧିକ ବାର ଅଭିଯୋଗ କରିଥିଲୁ। ମାତ୍ର, ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ ଓ ରାଜନୈତିକ ଚାପ ଯୋଗୁଁ କୌଣସି ପଦକ୍ଷେପ ନିଆଗଲା ନାହିଁ।’’ ଏହି ଘଟଣାଟି ଏପରି ଏକ ଭୂମିକୁ ନେଇ ସୃଷ୍ଟି ହୋଇଥିଲା, ଯାହାର ଆଇନଗତ ମାଲିକାନା ଅସ୍ପଷ୍ଟ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ହିଂସାତ୍ମକ ଆକ୍ରମଣରେ କଲ୍ଲୁ ଭିଲାଲା ନିଜେ ମଧ୍ୟ ଆହତ ହୋଇଥିଲେ।
ଗଲସିଂହଙ୍କ ମୃତ୍ୟୁ ଖବର ପରେ ଭିଲାଲା ଆଦିବାସୀ ଏବଂ ବଞ୍ଜାରା ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ବିବାଦ ଦେଖାଦେଲା। ଏହାର ପରିଣାମ ସ୍ୱରୂପ ୧୦ଟି ବଞ୍ଜାରା ଘର ନିଆଁ ଲଗାଇ ଦିଆଗଲା। ଉଭୟ ସମୁଦାୟର ଅନେକ ପରିବାର ବାସହୀନ ହୋଇପଡ଼ିଲେ। ଭୟରେ ବହୁ ଲୋକ ଗାଁ ଛାଡ଼ି ପଳାଇଲେ ଏବଂ ଶୀତୁଆ ରାତିରେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଲେ।
‘‘ଆମ ପୂର୍ବଜଙ୍କୁ ଭୂଦାନ ପଟ୍ଟା ମିଳିଥିଲା,’’ ୪୬ ବର୍ଷୀୟ ଗଲସିଂହ ଭିଲାଲା ୨୦୨୪ ଆରମ୍ଭରେ ଏହି ସମ୍ବାଦଦାତାଙ୍କୁ ଦେଖାହେବା ବେଳେ କହିଥିଲେ। ‘‘ସେମାନେ ପ୍ରାୟ ୫୦-୫୫ ବର୍ଷ ପୂର୍ବରୁ ଏଠାରେ ସ୍ଥାୟୀଭାବେ ବସବାସ କରି ରହି ଆସୁଛନ୍ତି। ଆଜି ଏହି ପଟ୍ଟାଗୁଡ଼ିକ ‘ଭୂ-ସ୍ୱାମିତ୍ୱ ପଟ୍ଟା’ (ଜମି ମାଲିକାନା ଦଲିଲ) ଭାବରେ ଜଣାଶୁଣା। କିନ୍ତୁ ଏତେ ବର୍ଷ ପରେ ବି ଆମେ ଜମିର ପ୍ରକୃତ ମାଲିକାନା ପାଇବାରେ ବିଫଳ ହୋଇଛୁ। ଏହି ଅଞ୍ଚଳର ସମସ୍ତ ଭିଲ୍, ଭିଲାଲା (ଭିଲ୍ ସମୁଦାୟର ଉପଜାତି) ଏବଂ ସହରିଆ ଆଦିବାସୀଙ୍କ ପାଇଁ ଏହା ଏକ ଜ୍ୱଳନ୍ତ ସମସ୍ୟା। ବାମୋରୀ ତହସିଲରେ ଅନେକ ଆଦିବାସୀ ଅଛନ୍ତି, ଯେଉଁମାନଙ୍କ ଜମିକୁ ଦବଙ୍ଗ (ସ୍ଥାନୀୟ ପ୍ରଭାବଶାଳୀ ଜମିଦାରମାନେ) ଦଖଲ କରି ରଖିଛନ୍ତି।’’
ସେତେବେଳେ ସେ ବୁଝାଇଥିଲେ, ‘‘ଅନେକ ଭୂଦାନ ପଟ୍ଟା ଗ୍ରାମର ଖସଡ଼ା (ପ୍ଲଟ ନମ୍ବର) ଅନ୍ତର୍ଭୁକ୍ତ ହୋଇଥିଲା, ଆଉ ଅନ୍ୟମାନେ ସେଗୁଡ଼ିକୁ ଜବରଦଖଲ କରି ନେଇଛନ୍ତି। ପଟୱାରୀ କିମ୍ବା ତହସିଲଦାର, କେହି ବି ଆଜି ପର୍ଯ୍ୟନ୍ତ ଆମ ପାଇଁ ଜମି ଚିହ୍ନଟ (demarcation) କରି ପାରିନାହାନ୍ତି।’’ ରାଜସ୍ୱ ଅଧିକାରୀମାନେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରିବାରୁ ସମୁଦାୟ ମଧ୍ୟରେ ନିରନ୍ତର ସଂଘର୍ଷ ଲାଗି ରହିଛି। ଗଲସିଂହ ଏହି କଥା କହିବାର କିଛି ମାସ ପରେ ହିଁ ସେହିଭଳି ଏକ ଅଘଟଣରେ ନିଜ ଜୀବନ ହରାଇଥିଲେ।
ଏହି ସମସ୍ତ ସଂଘର୍ଷର ମୁଖ୍ୟ କାରଣ ହେଉଛି ଜମିକୁ ନେଇ ଜଟିଳ ଓ ଦୀର୍ଘଦିନ ଧରି ଚାଲିଥିବା ବିବାଦ, ଯାହା ଏକ ବହୁସ୍ତରୀୟ ସମସ୍ୟାର ରୂପ ନେଇଛି। ଏହି ଅଞ୍ଚଳରେ ଜାରି ରହିଥିବା ବିବାଦ ଯୋଗୁଁ ଆଦିବାସୀମାନଙ୍କୁ ପରସ୍ପର ବିରୋଧରେ ଠିଆ କରିବା ସହ ଅନ୍ୟ ଆଦିବାସୀ ସମ୍ପ୍ରଦାୟ, ସ୍ୱଳ୍ପ ଆୟକାରୀ ଅନ୍ୟ ପଛୁଆ ବର୍ଗ, ପ୍ରଭାବଶାଳୀ ଜମିଦାର, ବନ ବିଭାଗର ଅଧିକାରୀ ଏବଂ ରାଜନେତାମାନଙ୍କ ସହିତ ସଂଘର୍ଷ ଆଡ଼କୁ ଠେଲି ଦେଇଛି।
ଏହି ସମ୍ବାଦଦାତା ୨୦୨୨ ମସିହାରୁ ଆଦିବାସୀ ଜମିକୁ ନେଇ ହେଉଥିବା ଏହିପରି ଅନେକ ସଂଘର୍ଷକୁ ନିକଟରୁ ଲକ୍ଷ୍ୟ କରିଆସୁଛନ୍ତି। ସେହି ବର୍ଷ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ଧନୋରିଆ ଗ୍ରାମର ରାମପ୍ୟାରୀଙ୍କୁ ପ୍ରଭାବଶାଳୀ-ଜାତିର ଜମିଦାରମାନେ ତାଙ୍କ ନିଜ କ୍ଷେତରେ ଜୀଅନ୍ତା ଜାଳି ଦେଇଥିଲେ। ବିଡ଼ମ୍ବନାର ବିଷୟ, ନିଜ ଜମିର ଅଧିକାର ପାଇଁ ସେ ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ଏକ ଆଇନଗତ ଲଢ଼େଇ ଜିତିବା ପରେ ହିଁ ଏଭଳି ଜଘନ୍ୟ ଅପରାଧର ଶିକାର ହୋଇଥିଲେ। ଜମି ଅଧିକାରକୁ ନେଇ ହେଉଥିବା ଏହିପରି ହିଂସାତ୍ମକ ସଂଘର୍ଷ ତାଙ୍କ ମୃତ୍ୟୁ ପୂର୍ବରୁ ମଧ୍ୟ ଜାରି ଥିଲା ଏବଂ ଆଜି ବି ସେହିପରି ଉଗ୍ର ରୂପ ଦେଖିବାକୁ ମିଳୁଛି।’’















