ତାଜା ତୋଳା ହୋଇ ହଳଦିଆ ତାରପୋଲିନ ଉପରେ ଗଦା ହେଇ ରହିଥିବା ଚେରିକୁ ଦୁଇ ଭାଇ, ଷାଠିଏ ବର୍ଷ ବୟସରୁ ଊର୍ଦ୍ଧ୍ଵ ଅବଦୁଲ ସଲାମ ଖାଁ ଓ ନସରୁଲାହ ଖାଁ ସେମାନଙ୍କର ଦୁଇ ଗୋଡ଼କୁ ଛନ୍ଦି ଅଭ୍ୟାସଗତ ଭାବେ ବସି ରହି ଯତ୍ନର ସହ ଫଳଗୁଡ଼ିକର ଆକାର ଅନୁଯାୟୀ ବାଛୁଛନ୍ତି । ତାରପୋଲିନ ଉପରେ ପଡୁଥିବା ସୂର୍ଯ୍ୟକିରଣର ପ୍ରତିଫଳିତ ଆଲୋକ ବର୍ତ୍ତମାନ ଗୋଟିଏ କଷ୍ଟକର ଋତୁ ସରି ଆସୁଥିବା ବେଳେ ସେମାନଙ୍କର କ୍ଳାନ୍ତ ଓ କଠିନ ମୁହଁଗୁଡ଼ିକୁ ଝଲସାଇ ଦେଉଥାଏ ।
କେନ୍ଦ୍ରୀୟ କାଶ୍ମୀରର ଗନ୍ଦେର୍ବଲ ଜିଲ୍ଲାସ୍ଥିତ ସୋରାଫ ର’ ଗାଁରେ ସେମାନଙ୍କର ଏକ ଏକରର ଚାରି ଭାଗରୁ ଭାଗେ ଜମିରେ ଥିବା ବଗିଚାଟି ନିହାତି ଛୋଟ ।
“ଏ ବର୍ଷଟି ଭାରି କଠିନ ହୋଇଛି”, ସେଦିନ ଜୁନ୍ ମାସର ଆଲୋକିତ ସକାଳ ବେଳା କହନ୍ତି ଅବଦୁଲ ସଲାମ । “ଆମେ ଗଲା ଚାଳିଶି ବର୍ଷ ହେଲା ଏହି କାମ କରୁଛୁ, କିନ୍ତୁ ଏମିତି ସମୟ ମୁଁ କେବେ ବି ଦେଖି ନଥିଲି । ଖରାପ ପାଗ ଓ ପର୍ଯ୍ୟଟକମାନଙ୍କ କମ୍ ଆଗମନ ଏକାଠି ମିଶି ଆମ ଅବସ୍ଥାକୁ କଷ୍ଟକର କରି ଦେଇଛି”, ଯୋଗ କରି କହନ୍ତି ୬୫-ବର୍ଷୀୟ ଅବଦୁଲ ।
ପଶତୁନ୍ ଗୋଷ୍ଠୀର ଏହି ଖାଁ ଭ୍ରାତୃଦ୍ୱୟ ଏ ବର୍ଷ ଆରମ୍ଭରେ ସୋରାଫ ର’ର ବିଭିନ୍ନ ସ୍ଥାନରେ ରହିଥିବା ସେମାନଙ୍କର ପ୍ରାୟ ଦୁଇ ଏକର ପରିମିତ ଚେରି ବଗିଚା ଲିଜ୍ରେ ନେଇଥିଲେ । ଏହି ଗାଁଟି ଶ୍ରୀନଗରଠାରୁ ଉତ୍ତରରେ ୪୯ କିଲୋମିଟର ଓ ସେମାନଙ୍କ ଘର ଥିବା ଗୋଟଲି ବାଗଠାରୁ ଗାଡ଼ିଯିବା ରାସ୍ତାରେ ୩୫ କି. ମି. ଦୂରରେ ଅବସ୍ଥିତ ।
ଅମଳ ବେଳେ ପରିବାର ସଦସ୍ୟ ଓ ମଜୁରିପ୍ରାପ୍ତ ଶ୍ରମିକ ଏକାଠି ମିଶି କାମ କରନ୍ତି, କିନ୍ତୁ ମାସ ମାସର ପରିଶ୍ରମ ପରେ ଏଥର କ୍ରେତାମାନଙ୍କ ସଂଖ୍ୟା ଅତି କମ୍ ।














