“ଦିଦି, ଆମେ କ’ଣ ବାସ୍ତବରେ ଏଠାରେ ଆମ ନିଜ ଭାଷା ପଢ଼ିପାରିବା?” ହାତରେ ଏକ କୁଡ଼ୁଖ ପୁସ୍ତକ ଧରି ୧୫ ବର୍ଷୀୟ ଅଂଶ ଓରାଓଁ ମୋତେ ପଚାରିଲା ।
ଆମେ ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାରେ ଥିବା ଚା' ବଗିଚା ଶ୍ରମିକଙ୍କ ପିଲାମାନେ ପଢୁଥିବା ଏକ ବିଦ୍ୟାଳୟରେ ଉପସ୍ଥିତ ଅଛୁ ।ଅଂଶ’ର ବାପାମା' ଏବଂ ମୋର ବାପାମା' କାମ କରୁଥିବା ବଗିଚାଟି ଲିସ୍ ନଦୀକୂଳରେ ଅବସ୍ଥିତ ।
ଏଠାରେ ଥିବା ଅଧିକାଂଶ ଶ୍ରମିକଙ୍କ ପରି, ଆମ ପରିବାରଗୁଡ଼ିକ ଓରାଓଁ ଜନଜାତିର ଅଟନ୍ତି । ଆମ ପୂର୍ବପୁରୁଷମାନେ ଚାରି ପିଢ଼ି ପୂର୍ବରୁ ଛୋଟନାଗପୁର ମାଳ ଅଞ୍ଚଳରୁ ଆସିଥିଲେ - ଯାହାକି ବର୍ତ୍ତମାନ ଝାଡ଼ଖଣ୍ଡର ରାଞ୍ଚି, ଗୁମଲା ଏବଂ ସିମଡ଼େଗା ଜିଲ୍ଲା ଭାବେ ପରିଚିତ । ଘରେ ଆମେ ଏବେ ବି ଆମ ସମୁଦାୟର ଭାଷା କୁଡ଼ୁଖ କହୁ, କିନ୍ତୁ ବାହାରେ ଆମେ ହିନ୍ଦୀ ଓ ବଙ୍ଗଳା ଭାଷା କହିଥାଉ ।ତେଣୁ, ଅଂଶ ଆମ ମାତୃଭାଷାରେ ଲେଖା ଯାଇଥିବା କୌଣସି ପୁସ୍ତକ କେବେ ଦେଖିନାହିଁ ।
ମୁଁ ଏହିଠାରେ, ଲିସ୍ ନଦୀ ଚା' ବଗିଚା ଭିତରେ ଥିବା ପତିବାରିରେ ବଢ଼ିଛି । ଜନଗଣନା ହ୍ୟାଣ୍ଡବୁକ୍ ଏହି ନାମକୁ 'Lishriver' ବୋଲି ବନାନ କରେ, କିନ୍ତୁ ଗ୍ରାମବାସୀ ଏବଂ ସ୍ଥାନୀୟ ପ୍ରଶାସନ 'Leesh River' ବନାନ ବ୍ୟବହାର କରୁଛି ।



















