୨୦୨୩ ମସିହା ଏପ୍ରିଲ ୩୦ ତାରିଖ ଦିନ ହିମାଳୟ ପର୍ବତମାଳାର ଧଉଲାଧାର ପାର୍ବତ୍ୟ ଶୃଙ୍ଖଳରେ ଅବସ୍ଥିତ ଧର୍ମଶାଳା (ଧରମଶାଳା ବୋଲି ମଧ୍ୟ ଲେଖାଯାଏ) ସହରରେ ଆୟୋଜିତ ହୋଇଥିଲା ପ୍ରଥମ ‘ପ୍ରାଇଡ୍ ମାର୍ଚ୍ଚ୍’ - ସମଲିଙ୍ଗୀ ସମାଜର ସ୍ୱାଭିମାନ ପଦଯାତ୍ରା ।
‘ଏହି ଘର ତୁମ ପାଇଁ, ମୋ ପାଇଁ, ପୁରୁଷଙ୍କ ପାଇଁ, ମହିଳାଙ୍କ ପାଇଁ ସେମାନେ ଏବଂ ସେମାନଙ୍କ ପାଇଁ’- ଏହିଭଳି ବିଭିନ୍ନ ସ୍ଲୋଗାନ୍ ଲେଖା ଥିବା ପ୍ଲାକାର୍ଡ ହାତରେ ଧରିଥିବା ଲୋକମାନେ ମୁଖ୍ୟ ବଜାରରୁ ବାହାରି ଧର୍ମଶାଳାର ତିବ୍ବତୀୟ ଜନବସତି ମ୍ୟାକଲୋଡଗଞ୍ଜରେ ଅବସ୍ଥିତ ଦଲାଇ ଲାମାଙ୍କ ମନ୍ଦିର ଅଭିମୁଖେ ପଦଯାତ୍ରାରେ ଆଗେଇ ଯାଇଥିଲେ । ପରେ ଏହି ପଦଯାତ୍ରା ସହରର ଏକ ବ୍ୟସ୍ତବହୁଳ ବ୍ୟାବସାୟିକ ଅଞ୍ଚଳ କୋତୱାଲି ବଜାରରେ ପ୍ରବେଶ କରିଥିଲା । ଏହା ଥିଲା ହିମାଚଳ ପ୍ରଦେଶରେ ସମଲିଙ୍ଗୀ ବା LGBTQIA+ ସମାଜ ପ୍ରତି ସମର୍ଥନ ପ୍ରଦର୍ଶନ ପୂର୍ବକ ପ୍ରଥମ ସର୍ବସାଧାରଣ ସମାବେଶ ଏବଂ ଏଥିରେ ଭାଗ ନେଇଥିବା ଅଧିକାଂଶ ବ୍ୟକ୍ତି ରାଜ୍ୟର ଗ୍ରାମାଞ୍ଚଳ ତଥା ଛୋଟ ଛୋଟ ସହରରୁ ଆସିଥିଲେ।
“ଆମେ ଅଜିବ୍ (ଅଜବ୍) ଶବ୍ଦଟିକୁ ଗର୍ବର ସହ ବ୍ୟବହାର କରୁ,” ବୋଲି କହନ୍ତି ଡନ୍ ହସର, ପଦଯାତ୍ରାର ଅନ୍ୟତମ ସଂଗଠକ ଏବଂ ହିମାଚଳ କ୍ୟୁୟର ଫାଉଣ୍ଡେସନ୍ (HQF) ନାମକ ସଂସ୍ଥାର ସହ-ସଂସ୍ଥାପକ । ସେମାନଙ୍କ ପସନ୍ଦ ସଂପର୍କରେ ବୁଝାଇବାକୁ ଯାଇ ୩୦ ବର୍ଷୀୟ ଡନ୍ ଆହୁରି କହନ୍ତି, “କ୍ୟୁୟରନେସ୍ (ଯୌନ ସମ୍ବନ୍ଧ ପ୍ରସଙ୍ଗରେ ବିଚିତ୍ରତା) ଶବ୍ଦର ଅର୍ଥ ବର୍ଣ୍ଣନା କରିବା ପାଇଁ ଆମେ ଇଂଲିଶ ଶବ୍ଦଗୁଡ଼ିଏ ବ୍ୟବହାର କରୁ । କିନ୍ତୁ ହିନ୍ଦୀ ବା ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ କ’ଣ କୁହାଯିବ? ଆଞ୍ଚଳିକ ଭାଷାରେ ରହିଥିବା କେତେକ ଗୀତ ଏବଂ ଗପ ଉପଯୋଗ କରି ଆମେ କ୍ୟୁୟରନେସ୍ ଏବଂ ଫ୍ଲୁଇଡିଟି (ଯୌନ ସମ୍ବନ୍ଧ କ୍ଷେତ୍ରରେ ବିବିଧତା) ସଂପର୍କରେ କହିଥାଉ ।”
ସୂଚନା ପାଇବାର ଖୁବ୍ କମ୍ ସମୟ ମଧ୍ୟରେ ଦିଲ୍ଲୀ, ଚଣ୍ଡୀଗଡ଼, କୋଲକାତା, ମୁମ୍ବାଇ ଏବଂ ରାଜ୍ୟର ଛୋଟ ଛୋଟ ସହରରୁ ୩୦୦ ଲୋକ ଏହି ପଦଯାତ୍ରାରେ ଭାଗ ନେବାକୁ ଆସି ଏକାଠି ହୋଇଥିଲେ । ଏହି ‘ପ୍ରାଇଡ୍ ମାର୍ଚ୍ଚ’ରେ ଅଂଶଗ୍ରହଣ କରିଥିବା ଶିମଲା ବିଶ୍ୱବିଦ୍ୟାଳୟର ୨୦ ବର୍ଷୀୟ ଛାତ୍ର ଆୟୁଷ କହିଲେ, “ଏଠାରେ (ହିମାଚଳ ପ୍ରଦେଶରେ) କେହି ହେଲେ ଏ ବିଷୟରେ (କ୍ୟୁୟର ବା ସମଲିଙ୍ଗୀ ହୋଇଥିବା) କଥାବାର୍ତ୍ତା କରନ୍ତି ନାହିଁ ।” ସ୍କୁଲରେ ଥିବା ସମୟରେ ଆୟୁଷଙ୍କ ପାଇଁ ଗାଧୁଆ ଘରକୁ ଯିବା କଷ୍ଟକର ହୋଇପଡ଼ିଥିଲା । “ମୋ ଶ୍ରେଣୀର ପିଲାମାନେ ମୋତେ ଚିଡ଼ାନ୍ତି ଏବଂ ଧମକଚମକ ଦିଅନ୍ତି । ଅନଲାଇନରେ ଏହି ସଂପ୍ରଦାୟକୁ ପାଇବା ପରେ ମୁଁ ନିଜେ ନିଜକୁ ସୁରକ୍ଷିତ ଅନୁଭବ କଲି । ଯେଉଁ ଲୋକମାନେ ମୋତେ ବୁଝିପାରନ୍ତି, ସେମାନଙ୍କ ସହ ମିଶିବା ଲାଗି ଏହା ମୋତେ ସୁଯୋଗ ଦେଲା ।”
ଏହି ସବୁ ଆଲୋଚନାକୁ କଲେଜରେ ପହଞ୍ଚାଇବା ଦିଗରେ ଉଦ୍ୟମ କରୁଛନ୍ତି ଆୟୁଷ । ଏ ସଂପର୍କିତ ଖୋଲାଖୋଲି ଆଲୋଚନା କରିବା ସକାଶେ ଜଣେ ଅଧ୍ୟାପକଙ୍କୁ ଉପଦେଷ୍ଟା ଭାବରେ ରଖି ସେ ଏକ ମଞ୍ଚ ପ୍ରସ୍ତୁତ କରିଛନ୍ତି । ଲୋକେ ଲିଙ୍ଗ ଏବଂ ଯୌନାଚାର ସଂପର୍କରେ ଶିକ୍ଷାଲାଭ କରିବାକୁ ଏଠାକୁ ଆସନ୍ତି ଏବଂ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ନିଜ ନିଜର ଅନୁଭୂତି ବର୍ଣ୍ଣନା କରନ୍ତି ।
























