“ରାତିରେ ବାଦଲ ଫାଟିଗଲା ଏବଂ ସବୁ କିଛି ଧୋଇ ହୋଇଗଲା... ଆପଣ ନିଜେ ଦେଖନ୍ତୁ । ସବୁ ଭାସି ଯାଇଛି । ଆମେ ଆମ ଘର ଏବଂ ଚାରିଟି ଗାଈଗୋରୁ ... ସବୁ କିଛି ହରାଇ ସାରିଛୁ ।” ବୁଲି ବୁଲି ଆମକୁ ତାଙ୍କ ଟିଣ ଘରର କାନ୍ଥ ଓ ଛାତ ଦେଖାଇବା ବେଳେ କହନ୍ତି ଶ୍ରୀକବାଲ ଭାରତ ମୋରେ ।“ପାଣି ଆମ ଅଣ୍ଟା ଯାଏ ଉଠି ଯାଇଥିଲା । ଆମ ପୁଅ ଆମକୁ ଡାକି ଉଠାଇ ଦେବାରୁ ଆମେମାନେ ବଞ୍ଚିଗଲୁ। କିନ୍ତୁ ସେଇ ପାଣି,” ସେ କହି ଚାଲନ୍ତି ।
ମୋରେ ମାବସି ତାଙ୍କ ଘରର ଯାହା କିଛି ଜିନିଷ ପାଇଲେ ସେଗୁଡ଼ିକୁ ଧାତବ ଥାକରେ ରଖିଦେଲେ । ତାଙ୍କ ଘରର ମାଟି ଚଟାଣ ସଂପୂର୍ଣ୍ଣ ଭାବରେ ଧୋଇ ହୋଇଯାଇଛି ଏବଂ ପଛରେ ରହିଯାଇଛି ଏକ ବାଲିଆ ଏବଂ ଆବୁଡ଼ାଖାବୁଡ଼ା ଚଟାଣ ।
୨୦୨୫ ସେପ୍ଟେମ୍ବର ୨୧ ତାରିଖ ଦିନ ଧାରାଶିବ (ପୂର୍ବରୁ ଓସମାନାବାଦ) ଜିଲ୍ଲାର ଭୁମ ବ୍ଲକ୍ ଅନ୍ତର୍ଗତ ଚିଞ୍ଚପୁର ଢଗେ ଗାଁରେ ପ୍ରବଳ ଲଗାଣ ବର୍ଷା ହୋଇଥିଲା । ଏହି ଗାଁ ଗୋଦାବରୀ ନଦୀର ଉପନଦୀ ବାଣଗଙ୍ଗା ନଦୀକୂଳରେ ଅବସ୍ଥିତ । ପରଦିନ, ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ଦିନ ବି ରାତି ସାରା ପ୍ରବଳ ବର୍ଷା ହୋଇଥିଲା । ସମଗ୍ର ଗାଁ ପାଣିରେ ବୁଡ଼ି ଯାଇଥିଲା । “ଆମ ଜୀବନକାଳରେ ଏମିତି ଆମେ କେବେହେଲେ ଦେଖି ନଥିଲୁ,” ବୋଲି ଲୋକେ ଏହି ଜଳମଗ୍ନ ସ୍ଥିତିକୁ ବର୍ଣ୍ଣନା କରି କହନ୍ତି ।
ଆମକୁ ନଈ ଦେଖାଇ ଦିଅନ୍ତି ସୂର୍ଯ୍ୟକାନ୍ତ ମୋରେ । ତାଙ୍କର ଗୋଟିଏ ଲେଖାଏଁ ଏକରର ଦୁଇଟି ଅଙ୍ଗୁର ବଗିଚା ସମେତ ନଈକୂଳର ସବୁ କ୍ଷେତ ଧୋଇଯାଇଛି । “ଶେଷ ମୁହୂର୍ତ୍ତରେ ଆମେ ଆମ ଗାଈଗୋରୁଙ୍କୁ ବଞ୍ଚାଇ ପାରିଲୁ । ସେମାନେ ବେକ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିଥିଲେ । ମୁଁ ସେମାନଙ୍କୁ ଖୋଲିଦେଲି ଏବଂ ସେମାନେ ବଞ୍ଚିଗଲେ,” ମୋରେ କହନ୍ତି । “କିନ୍ତୁ ସେହି ଟିଣଘରେ ଯାହା ସବୁ ଥିଲା ଭିଜିଗଲା । ବସ୍ତା ବସ୍ତା ଯଅ, ମୁଙ୍ଗ (ମୁଗ), ଉଡ଼ିଦ (ବିରି) ଏବଂ ଚୀନାବାଦାମ, ସବୁକିଛି । ସବୁ କଡ଼ବା, ଗୋଖାଦ୍ୟ ପାଇଁ ରଖାଯାଇଥିବା ପେନ୍ଥା ପେନ୍ଥା ଯଅ କିମ୍ବା ମକା, ଧୋଇ ହୋଇଗଲା ।”
ଦେଢ଼ ଏକର ଜମିରେ ପିଆଜ ଲଗାଇଥିଲେ ମୋରେ । ଏବେ ସେହି କ୍ଷେତରେ ଖାଲି ଗୋଡ଼ି ଆଉ ପଥର ଜମି ରହିଛି । ପାଣିର ତୀବ୍ର ସୁଅରେ ପିଆଜ ଚାରା ଏବଂ ଜମି ଉପର ଭାଗର ଉର୍ବର ମାଟି ପରସ୍ତ ଧୋଇ ହୋଇଯାଇଛି ।























