ଏହି ରିପୋର୍ଟ ପୁଲିଜର ସେଣ୍ଟର ସହାୟତାରେ ପ୍ରସ୍ତୁତ ପାର୍ଥ ଏମ୍.ଏନ୍.ଙ୍କ ଏକ ଶୃଙ୍ଖଳର ଏକ ଅଂଶ
ଐଶ୍ୱରୀୟ ଚମତ୍କାରିତା ବଳରେ ଗୁରୁତର ମାନସିକ ରୋଗରେ ପୀଡ଼ିତ ତାଙ୍କର ଜଣେ ଝିଅର ଚିକିତ୍ସା ସନ୍ଧାନରେ ୧୦୦ କିଲୋମିଟରରୁ ଅଧିକ ଦୂରରୁ ଆସିଥିଲେ ୭୫ ବର୍ଷୀୟା ଆସମା ଖାନ । ଏହା ଭିତରେ ୧୨ ବର୍ଷରୁ ଅଧିକ ବିତିଗଲାଣି, କିନ୍ତୁ ଉଭୟ ମାଆ ଓ ଝିଅ ଆଜି ଯାଏଁ ଘରକୁ ଫେରିନାହାନ୍ତି।
ମହାରାଷ୍ଟ୍ରର ମରାଠୱାଡ଼ା କ୍ଷେତ୍ର ଅନ୍ତର୍ଗତ ସମ୍ଭାଜୀ ନଗର (ପୂର୍ବ ନାଁ ଔରଙ୍ଗାବାଦ) ଜିଲ୍ଲାର ଏକ ଗାଁରେ, ଗୋଟିଏ ଶ୍ରମିକ ପରିବାରରେ ଜନ୍ମିତ ଫାତିମାଙ୍କର ପିଲାଦିନ ଥିଲା ସମସ୍ୟା ଜର୍ଜ୍ଜରିତ । ବାରମ୍ବାର ତାଙ୍କର ମୁଣ୍ଡ ବୁଲାଉଥିଲା ଏବଂ ସେ ଅଚେତ ହୋଇ ପଡୁଥିଲେ । ଦିନକୁ ଦିନ ଏହି ସମସ୍ୟା ଜଟିଳ ହେବାରେ ଲାଗିଲା ଏବଂ ବେଳେବେଳେ ତାହା ହିଂସାତ୍ମକ କାଣ୍ଡରେ ପରିଣତ ହେଲା ।
“ଆମେ ତାକୁ ଜଣକ ପରେ ଆଉ ଜଣେ ଡାକ୍ତର ପାଖକୁ ନେଇଗଲୁ,” ଆସମା କହନ୍ତି । “ତା’ର ଚିକିତ୍ସା ଲାଗି ଆମେ ଆମର ଗୃହପାଳିତ ପଶୁମାନଙ୍କୁ ବିକିଦେଲୁ, କିନ୍ତୁ କିଛି ଫଳ ମିଳିଲାନି । ଦିନକୁ ଦିନ ତା’ର ଅବସ୍ଥା ବିଗିଡ଼ିବାରେ ଲାଗିଲା ଏବଂ ଗୋଟିଏ ସମୟରେ ଆମେ ଜାଣିପାରିଲୁ ଯେ ବାସ୍ତବ ଜଗତ ସହିତ ତା’ର ସଂପର୍କ ତୁଟିଯିବାରେ ଲାଗିଛି ।”
ଦିନେ, ଫାତିମା କାହାରିକୁ ଚିହ୍ନି ପାରିଲେନି ଏବଂ ଗଭୀର ମାନସିକ ଅବସାଦଗ୍ରସ୍ତ ହୋଇଗଲେ । ତାଙ୍କ ବୟସ ତିରିଶ ଡେଇଁ ସାରିଥିଲା ଏବଂ ତାଙ୍କ ଚିକିତ୍ସା ଲାଗି ବାପାମାଆଙ୍କ ପାଖରେ ବିକଳ୍ପ ଉପାୟ ଶେଷ ହୋଇଆସୁଥିଲା । ତାଙ୍କର ଏଭଳି ମାନସିକ ସ୍ୱାସ୍ଥ୍ୟର ଅଧୋଗତି ଯୋଗୁଁ ତାଙ୍କ ବାପାମାଆ ବିଚଳିତ ହୋଇପଡ଼ିଥିଲେ । ତା’ ସହିତ ନିଜ ପରିବାର ପାଇଁ ସେମାନଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ବି ଯୋଗାଡ଼ କରିବାକୁ ପଡୁଥିଲା ।
“ସେ ତା’ର ଲୁଗାପଟା ଚିରିଦେଉଥାଏ, ଏବଂ ତାକୁ କେମିତି ନିୟନ୍ତ୍ରିତ କରିହେବ ସେ କଥା ଆମେ ଜାଣି ନଥିଲୁ,” ପୁରୁଣା କଥା ମନେ ପକାଇ ଆସମା କହନ୍ତି । ଏମିତି ଏକ ସମୟରେ ଜଣେ ପଡ଼ୋଶୀ ଏକ ଅଭିନବ ପ୍ରସ୍ତାବଟିଏ ଦେଲେ ।
ତାଙ୍କ ନିଜ ଗାଁରୁ ୧୦୦ କିଲୋମିଟରରୁ ଅଧିକ ଦୂରରେ ଆଉ ଗୋଟିଏ ଗାଁ ପଡ଼ିବ, ଯେଉଁଠି ରହିଛି ୧୧୭ ବର୍ଷ ପୁରୁଣା ଏକ ପୂଜାପୀଠ । କିମ୍ବଦନ୍ତୀ ଅନୁସାରେ, ପ୍ରାୟ ୧୯ଶ ଶତାବ୍ଦୀର ଶେଷ ଭାଗରେ ହଜରତ ହାଜି ଅବଦୁର ରେହମାନ ଶାହ, ଯିଏ କି ସୈଲାନି ଶାହ ବାବା ନାମରେ ବି ପରିଚିତ, ପିମ୍ପଲଗାଓଁ ସରାଇକୁ ଆସିଥିଲେ ।ବିଦର୍ଭ ଅଞ୍ଚଳରେ ଅବସ୍ଥିତ ବୁଲଢ଼ାନା ସହରଠାରୁ ୨୦ କିଲୋମିଟର ଦୂରରେ ଏହି ଗାଁ । ‘ଦୁଷ୍ଟାତ୍ମା କବଳିତ’ ଲୋକଙ୍କୁ ମୁକ୍ତି ଦେବାରେ ସୈଲାନି ବାବାଙ୍କର ସୁଖ୍ୟାତି ଥିଲା । ଏବଂ ତାଙ୍କରି ସ୍ମୃତିରେ ଏହି ଦରଗାହ ୧୯୦୮ ମସିହାରେ ସ୍ଥାପିତ ହୋଇଥିଲା- ସେହି ବର୍ଷ ସେ ପ୍ରାଣତ୍ୟାଗ କରିଥିଲେ ।
ସେବେଠାରୁ, ପ୍ରତି ବର୍ଷ ମାର୍ଚ୍ଚ ମାସରେ ଏଠାରେ ବାର୍ଷିକ ଉର୍ସ ଉତ୍ସବ ପାଳିତ ହେଉଛି ଏବଂ ଏଥିରେ ଲକ୍ଷ ଲକ୍ଷ ଭକ୍ତ ଯୋଗ ଦେଉଛନ୍ତି ।









