ଗୋପାଲନଗରରେ ଜଣେ ସାନ୍ତାଳଙ୍କ ଛୋଟିଆ ଘରର ମାଟି କାନ୍ଥରେ ବଢ଼ିବାରେ ଲାଗିଛି ଜଙ୍ଗଲଟିଏ । ଛାତ ଭିତର ଦେଇ ଉପରକୁ ଉଠିଥିବା ଗଛଗୁଡ଼ିକ ଘର ପାଖରେ ଥିବା ନିମ୍ବ ଗଛର ଛତା ଭଳି ଝଙ୍କାଳିଆ ଉପର ଭାଗ ସହିତ ସାମିଲ ହୋଇଛନ୍ତି । ଯେଉଁ ବାଟରେ ଗୋଟିଏ ଅଣ୍ଡିରା ହରିଣ ତା’ର ଶିଙ୍ଗ ମେଲାଇ ଟହଲୁଥାଏ, ସେଇଠି ଲାଗିଥାଏ ଧାଡ଼ିକି ଧାଡ଼ି ଛୋଟ ଛୋଟ ଫୁଲଗଛ ଏବଂ ସେଇଠି ଉଡୁଥାଆନ୍ତି ଅପେକ୍ଷାକୃତ ବଡ଼ ବଡ଼ ପ୍ରଜାପତି । ଚକମକିଆ ରଙ୍ଗିନ ଡେଣାରେ ସଜେଇ ହୋଇ ବୁଲୁଥାଆନ୍ତି ବୁଲବୁଲ, କୁଣ୍ଡାଖିଆ, ହଳଦୀବସନ୍ତ ଓ ଶୁଆ ଭଳି ସୁଦୃଶ୍ୟ ଚଢ଼େଇମାନଙ୍କର ଏକ ବିଶେଷ ଗୋଷ୍ଠୀ । ଘରର ଅନାକର୍ଷଣୀୟ ଧଳା କାନ୍ଥ ପାଖରେ ଫଡ଼ଫଡ଼ ହୋଇ ଉଡୁଥାଆନ୍ତି ନିକଟବର୍ତ୍ତୀ ଇଲାମବାଜାର ଜଙ୍ଗଲରୁ ଆସିଥିବା ଏହି ଚଢ଼େଇମାନେ ।
ଏକଥା ଆଦୌ ନୁହେଁ ଯେ, କାନ୍ଥ ଉପରେ ଚଢ଼େଇମାନଙ୍କର କୋଳାହଳପୂର୍ଣ୍ଣ ଚଳପ୍ରଚଳ, କିମ୍ବା ମନ ଭିତରେ ସେହିଭଳି କିଛି ଭ୍ରମ ନେଇ ହଠାତ୍ ସତର୍କ ହୋଇ ଉଠନ୍ତି ୭୫ ବର୍ଷୀୟ ଚୁରକି ଟୁଡୁ । ଏହା ବି ନୁହେଁ ଯେ, ମେ ମାସ ଅପରାହ୍ନରେ, ଟିଣଛାତ ଉପରେ ଅଦିନିଆ ବର୍ଷାର ଟୁପୁରୁଟାପୁରୁ ସ୍ୱର ତାଙ୍କୁ ସଚେତନ କରାଇ ଦିଏ । କିନ୍ତୁ, ଘର ବାହାର ପଟ କାନ୍ଥରେ, ମାଟିରେ ତିଆରି କାନ୍ଥା ଭଳି ବିସ୍ତାରିତ ଚିତ୍ରରାଜି ପାଖ ଦେଇ ଆଗେଇ ଗଲାବେଳେ ଆମ ପାଦଶବ୍ଦ ତାଙ୍କୁ ସଜାଗ କରେ ।
ଇଲାମବାଜାର ବ୍ଲକର ଏହି ଗାଁ ଭିତର ଦେଇ ଲମ୍ବି ଯାଇଥିବା ପିଚୁ ରାସ୍ତାର ଉଭୟ ପଟେ ଲଗାଲଗି ହୋଇ ରହିଛି ସାନ୍ତାଳମାନଙ୍କର ଏମିତି ଅନେକ ମାଟିଘର । ଏଇ ରାସ୍ତା ଦେଇ ଗଲାବେଳେ ଆମକୁ ଆକର୍ଷିତ କରେ ସବୁ ଘରର ବାହାର କାନ୍ଥରେ ଅଙ୍କାଯାଇଥିବା ଅନେକ ରଙ୍ଗିନ ଭିତ୍ତିଚିତ୍ର ।
“ଆଜିକାଲି ପିଲାମାନେ ଫୋନ୍ ଓ ଖବରକାଗଜରୁ ଶିଖି ନୂଆ ନୂଆ ଡିଜାଇନ କରୁଛନ୍ତି । ଆଗରୁ ଆମ ସମୟରେ ଏତେ ପ୍ରକାର ଡିଜାଇନ୍ କୋଉଠି ଥିଲା ? ଆମେ ଖାଲି କ୍ଷେତରୁ ମାଟି ନେଇ ଆସୁ ଏବଂ କାନ୍ଥରେ ରଙ୍ଗ ଛାଟି ଦେଉ,” ତାଙ୍କ କୋଠରିରୁ ବାହାରକୁ ବାହାରି ଘରର ପ୍ରବେଶ ଦ୍ୱାରରେ ପହଞ୍ଚୁ ପହଞ୍ଚୁ ଚୁରକି ଟୁଡୁ କହନ୍ତି । ଯେଉଁଭଳି ସହଜ ସ୍ୱରରେ ସେ କଥାବାର୍ତ୍ତା ଆରମ୍ଭ କରନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ବାରି ହୁଏ ଯେ, ତାଙ୍କ ସୁସଜ୍ଜିତ ଘରକାନ୍ଥର ଫଟୋ ଉଠାଇବାକୁ ଅନେକ ସମୟରେ ଗାଁକୁ ଆସୁଥିବା ଅନୁସନ୍ଧିତ୍ସୁ ପର୍ଯ୍ୟଟକମାନଙ୍କ ସହିତ କଥାବାର୍ତ୍ତା କରିବାରେ ସେ ଅଭ୍ୟସ୍ତ ।
ସେ ଆମ ପ୍ରଶ୍ନ ପଚାରିବାକୁ ଅପେକ୍ଷା କରନ୍ତି ନାହିଁ, ବରଂ ଯେଉଁ ବିଷୟରେ ଆମର ଆଗ୍ରହ ରହିଛି ବୋଲି ସେ ମନେ କରନ୍ତି, ସିଧାସଳଖ ସେହି ବିଷୟ ଭିତରକୁ ଚାଲିଯାଆନ୍ତି । “ହାଡ଼ିର ତେଲ (ରନ୍ଧା ବାସନରୁ କୋରି ବାହାର କରାଯାଉଥିବା ପୋଡ଼ା ତେଲର ଅବଶେଷ) ମିଶାଇ ପ୍ରସ୍ତୁତ କରାଯାଏ ଧଳା ମାଟି, ନାଲି ମାଟି, କଳା ମାଟି (ରଙ୍ଗ)- ଆଗରୁ ଏହି ସବୁ ରଙ୍ଗ ଥିଲା।” କ୍ଷଣକ ପାଇଁ ଅଟକି ଯାଆନ୍ତି ସେ, ଏବଂ ପୁଣି ଆରମ୍ଭ କରନ୍ତି । “ପ୍ରଥମେ କାନ୍ଥରୁ ପୁରୁଣା ମାଟିର ପରସ୍ତ ରାମ୍ପି ବାହାର କରିଦିଆଯାଏ । ତା’ପରେ ନୂଆ କାଦୁଅର ପରସ୍ତ ଦେଇ ପଲସ୍ତରା କରାଯାଏ ଏବଂ ତା’ପରେ ଆମେ ଆଉ ଏକ ପରସ୍ତ ଲଗାଇ ଥାଉ । ଶେଷରେ, ଆମେ କାନ୍ଥର ଧାରକୁ ଖଡ଼ିମାଟି (ଚୂନପଥର ବା ଚକ୍) ଦେଇ ରଙ୍ଗ କରିଥାଉ ।
ପୂର୍ବ ବର୍ଦ୍ଧମାନର ଆକୁଲିଆ ଗାଁ ତାଙ୍କର ଜନ୍ମସ୍ଥାନ ଏବଂ ପିଲାଦିନର କଥା ମନେ ପକାଇ ଅତୀତକୁ ଝୁରି ହୁଅନ୍ତି ଚୁରକି । କିନ୍ତୁ ସାନ୍ତାଳ ସଂପ୍ରଦାୟର ଦ୍ରୁତ ପରିବର୍ତ୍ତନଶୀଳ ଜୀବନଧାରା ଏବଂ ପରିବର୍ତ୍ତନକୁ ଆଦରି ନେବାରେ ନୂତନ ପିଢ଼ିର ଢଙ୍ଗ ସଂପର୍କରେ ସେ ବେଶ୍ ସଚେତନ । ଏବେ ସେ ଗୋପାଲନଗରରେ ତାଙ୍କ ଝିଅ ସହିତ ରହୁଛନ୍ତି । ବୋଲପୁରରୁ ଇଲାମବାଜାର ଜଙ୍ଗଲକୁ ଯିବା ରାସ୍ତାରେ ପଡୁଥିବା ଶ୍ରୀନିକେତନ ରୋଡ୍ ବାମପଟେ ଅବସ୍ଥିତ ଏହି ଗାଁରେ ରହୁଥିବା ୩୦୪ଟି ପରିବାର ଭିତରୁ ଗୋଟିଏ ସେମାନଙ୍କର ।


















