ଦୁଇ ସପ୍ତାହ ହେଲା, ବାଲୋ ମାଂଝି ଏବଂ ଅନ୍ୟ ନଅ ଜଣ ନିର୍ମାଣ ଶ୍ରମିକଙ୍କୁ ଯେଉଁ ଏକ ଅସ୍ୱାଭାବିକ କାମରେ ନିୟୋଜିତ କରାଯାଇଛି, ତାହା ହେଲା ଆଖପାଖ ଜଙ୍ଗଲରୁ ଜାଳେଣି କାଠ ଖୋଜି ଆଣିବା ।
“ପ୍ରତି ତିନି କି ଚାରି ଦିନରେ ଥରେ, ଆମେ ଭୋର ପାଞ୍ଚଟା ବେଳେ ଘରୁ ବାହାରି ପଡୁ । ଆଉ ଦିନ ଦି’ପହର ସୁଦ୍ଧା, ପ୍ରତ୍ୟେକ ଲୋକ ୧୦-୧୨ କିଲୋଗ୍ରାମ ଜାଳେଣି କାଠ ନେଇ ଫେରିଆସୁ,” ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଅରପା ପଞ୍ଚାୟତର ତାଙ୍କ ଘର ପାଖରେ ଖଟ ଉପରେ ବସିଥିବା ୫୫ ବର୍ଷୀୟ ବାଲୋ କହନ୍ତି ।
“ଆମେ ଆଣିଥିବା ଜାଳେଣି କାଠରେ ୧୦ ଜଣ ଲୋକଙ୍କ ପାଇଁ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ରନ୍ଧାରନ୍ଧି କରି ପାରିଲୁ,” ବାଲୋ କହନ୍ତି, “କିନ୍ତୁ, ଆମେ କେବଳ ଭାତ ଓ ଡାଲି କିମ୍ବା ତରକାରୀ ରାନ୍ଧୁଥିଲୁ । କାରଣ, ତିନି ପ୍ରକାର ରାନ୍ଧିବାକୁ ହେଲେ ଆଉ ଅଧିକ କାଠ ଜାଳିବାକୁ ପଡ଼ିବ ।”
ସେ କହୁଛନ୍ତି ତାମିଲନାଡୁର ଚେନ୍ନାଇ ସହରତଳି ଏକ ପ୍ରମୁଖ ବସତି ତାମ୍ବାରମର ଗୋଟିଏ ନିର୍ମାଣ ସ୍ଥଳୀରେ ସେ କାମ କରୁଥିବା ସମୟର କଥା ।
ସଂପ୍ରତି ‘ଲିକ୍ୟୁଫାଏଡ୍ ପେଟ୍ରୋଲିୟମ ଗ୍ୟାସ୍’ (ଏଲପିଜି) ସଂକଟର ମୁକାବିଲା ଲାଗି ବାଲୋ ଓ ତାଙ୍କ ସାଥୀ ପ୍ରବାସୀ ଶ୍ରମିକମାନେ ବାହାର କରିଥିବା ଏହି ଅସ୍ଥାୟୀ ସମାଧାନ ଉପାୟ ମାତ୍ର ଦୁଇ ସପ୍ତାହ ଲାଗି କାମ ଦେଲା । “ସବୁବେଳେ ଜାଳେଣି କାଠ ଖୋଜି ପାଇବା ସମ୍ଭବ ନୁହେଁ,” ସେ କହନ୍ତି ।








