‘‘ମୁଁ ଏଠାରେ କ’ଣ କରୁଛି? ହଁ, ମୁଁ ପାଖରେ ହିଁ ରୁହେ,’’ ୨୦୦ ମିଟର ଦୂରରେ ଥିବା ତାଙ୍କ ଘର ଆଡ଼କୁ ହାତ ଦେଖାଇ ସୁଖରାମ କୁମେଟୀ କୁହନ୍ତି। ସୁଖରାମ ଅନୁମାନ କରନ୍ତି ଯେ ତାଙ୍କ ବୟସ ୬୦ ପାଖାପାଖି ହେବ ଏବଂ ସେ ଏବେ ଜେଜେବାପା ହୋଇସାରିଲେଣି। ରାସ୍ତା କଡ଼ରେ ପଡ଼ିଥିବା ଗୋଟିଏ ପଥର ଉପରେ ହାଲୁକା ଛାଇରେ ସେ ବସିଛନ୍ତି। ତେବେ ତାଙ୍କ ଚାରିପାଖରେ ଥିବା ଜିନିଷସବୁ ଆମ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥାଏ।
ସେଥିରେ ପ୍ରାୟ ୨୦ ଲିଟର କ୍ଷମତା ବିଶିଷ୍ଟ ଗୋଟିଏ ବଡ଼ ଜେରୀ କ୍ୟାନ୍ ରହିଛି ଯାହା ଭିତରେ ଧଳା ତରଳ ପଦାର୍ଥ ଅଛି। ଏହା ପାଖରେ, ଗୋଟିଏ ଭଙ୍ଗା ଓ ଭିନ୍ନ ଭିନ୍ନ କୋଣ ଥିବା ପ୍ଲାଷ୍ଟିକ୍ ବାଲଟିରେ ପାଣି ଭର୍ତ୍ତି ହୋଇ ରହିଛି ଯାହା ବୋଧହୁଏ ଗୋଟିଏ ଦଶନ୍ଧି ପୂର୍ବରୁ ରଙ୍ଗ ହୋଇଥିଲା। ଏଥିରେ କିଛି ଉଜ୍ଜ୍ୱଳ ରଙ୍ଗର ଡବା ଭାସୁଛି। ମାଟି ଉପରେ ପଡ଼ି ରହିଥିବା ଲାଲ ପ୍ଲାଷ୍ଟିକ ଗିଲାସ ବ୍ୟତୀତ ଦୁଇଟି ମଗ୍ ଅଛି ଯାହା ଗ୍ରାହକଙ୍କ ପାଇଁ ରଙ୍ଗ କୋଡ୍ ହୋଇଥିବା ପ୍ରତୀୟମାନ ହେଉଛି । ରଙ୍ଗଛଡ଼ା ହଳଦିଆ ଜେରୀ କ୍ୟାନ ଉପରେ ଗୋଟିଏ ଫିକା ଗୋଲାପୀ ମଗ୍ ରଖାଯାଇଛି। ଆଉ ଗୋଟିଏ ଫିରୋଜା ନୀଳ ରଙ୍ଗର ମଗ୍ ରଖାଯାଇଛି।
ଆପଣ ନାରାୟଣପୁର ଜିଲ୍ଲା ମୁଖ୍ୟାଳୟରୁ ଗାଡ଼ି ଚଲାଇ ଆସିଲେ ଛତିଶଗଡ଼ ବସ୍ତର କ୍ଷେତ୍ରର ଅଭୁଜମାଡ଼ରେ ପ୍ରବେଶ କରିବା ମାତ୍ରେ ଦ୍ୱିତୀୟ ଗାଁ ରୂପେ ଏହି ଗାଁ କୁଡୋଲିରେ ପହଞ୍ଚିବେ।
ସୁଖରାମ ଟିକିଏ ଅଧୈର୍ଯ୍ୟ ହୋଇ ସେ କ’ଣ କରୁଛନ୍ତି ତାହା ଆମକୁ ବୁଝାଇବା ଲାଗି ଚେଷ୍ଟା କରୁଛନ୍ତି। ଆମ ଦଳରେ କେବଳ ମୁଁ ହିଁ ଏକମାତ୍ର ଯିଏ ଏହାକୁ ବୁଝିପାରୁନାହିଁ।
‘‘ସଲଫି, ସଲଫି…’’ ମୋ ଅଜ୍ଞତାକୁ ଦେଖି ଆଖି ବୁଲାଇ ସେ କୁହନ୍ତି। ଆମେ ଦୁଇ ଜଣ ଧରିଥିବା କ୍ୟାମେରା ଆଡ଼କୁ ମୁଁ ଦେଖୁଥାଏ। କିନ୍ତୁ ସେ ଆମକୁ ସେଲ୍ଫି ନେବାକୁ ଡାକୁନଥା’ନ୍ତି।





