ମାଛିୱାଲା ଗାଁର ଲୋକମାନେ ଦୁର୍ବିପାକ ସମୟରେ ବଣ୍ଟନ କରାଯାଉଥିବା ରିଲିଫ ସାମଗ୍ରୀରେ ପ୍ରସ୍ତୁତ କପେ ଚା’ ଏହି ରିପୋର୍ଟରକୁ ପିଇବାକୁ ଦେଲେ । ରାବି ନଦୀ ତା’ର କୂଳ ଲଙ୍ଘିବା ଦ୍ଵାରା ସଂଘଟିତ ସର୍ବବ୍ୟାପି ବନ୍ୟା ଲୋକଙ୍କ ଘର ଉଜାଡ଼ିଲା, ସେମାନଙ୍କ ଜମି ପାଣି କାଦୁଅରେ ଭରିଗଲା, ଏବଂ ସେମାନଙ୍କୁ ଅସହାୟ କରିଦେଲା ଓ ସେମାନେ ଯାଇ ଅସ୍ଥାୟୀ ଟେଣ୍ଟରେ ରହିଲେ ।
ଅଗଷ୍ଟ ମାସର ସେହି ବନ୍ୟାରେ ସେମାନେ ପ୍ରାୟ ସବୁକିଛି ହରାଇଲେ ।
ସରବଜିତ କୌର ରାମଦାସ ବ୍ଲକର ମାଛିୱାଲା ଗାଁ ବାହାରେ ଗୋଟିଏ ଝୁଗ୍ଗି (ଅସ୍ଥାୟୀ ଘର) ଭିତରେ ବସିଛନ୍ତି, ଯାହା ପାଖରେ ପୂର୍ବରୁ ଥିବା ତାଙ୍କ ଘରକୁ ରାବି ନଦୀ ଭସେଇ ନେଲା । କୌର ମୁହଁରେ କୌଣସି ମତେ ଶୁଖିଲା ହସ ଟିକେ ଖେଳେଇ ଜୀବନ କେମିତି ଦାରୁଣ ଅବସ୍ଥାରେ ପକେଇଲା ତା’ର ବର୍ଣ୍ଣନା କରୁଥିଲେ ।
“ଆମେ ରାତି ସାରା ବୁନ୍ଧକୁ [ଲୋକେ ତିଆରି କରିଥିବା ବନ୍ଧକୁ] ଅଧିକ ମଜବୁତ କରିବାକୁ ଚେଷ୍ଟା କରୁଥିଲୁ”, ସେହି ୧୮-ବର୍ଷୀୟା ଝିଅ ଜଣକ ‘ପରୀ’କୁ କହନ୍ତି । “ଅଗଷ୍ଟ ୨୭ ତାରିଖ [୨୦୨୫] ଦିନ ସକାଳ ଛ’ଟା ବେଳକୁ ଡାକବାଜି ଯନ୍ତ୍ର ଦ୍ଵାରା ଗୁରୁଦ୍ୱାରାରୁ ଘୋଷଣା କରାଗଲା ଯେ ଧୁସି [ମାଟିରେ ତିଆରି ଗୋଟିଏ ବନ୍ଧ] ଭାଙ୍ଗି ଯାଇଛି – ଯାହାକୁ ଲୋକେ ଶୁଣିଲେ ଓ ଗାଁ ସାରା ପ୍ରସାର କଲେ । ଆମେ ସମସ୍ତେ ଉଚ୍ଚ ସ୍ଥାନ ଦେଖି ଆଶ୍ରୟ ନେବାକୁ ଧାଇଁଲୁ” ।
ଅମୃତସର ଜିଲ୍ଲାର ମାଛିୱାଲା ହେଉଛି ଗୋଟିଏ ଛୋଟ ଗାଁ ଯାହାର ଜନସଂଖ୍ୟା ପ୍ରାୟ ୧,୧୮୬ (ଜନଗଣନା ୨୦୧୧), ସେମାନେ ହେଉଛନ୍ତି ମୁଖ୍ୟତଃ ଜାଠ ଶିଖ ଓ ରାଇ ଶିଖ ସଂପ୍ରଦାୟର, ଓ ପଞ୍ଜାବରେ ରାଇ ଶିଖମାନଙ୍କୁ ଅନୁସୂଚିତ ଜାତି ରୁପେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଦଳିତ ପରିବାରଗୁଡ଼ିକ ଖଣ୍ଡେ ଖଣ୍ଡେ ଛୋଟ ଜମିରେ ଚାଷ କରି ଓ ଅନ୍ୟମାନଙ୍କ ଚାଷ ଜମିରେ କୃଷି ଶ୍ରମିକ ଭାବେ କାମ କରି ଜୀବିକା ନିର୍ବାହ କରନ୍ତି ।
ସରବଜିତଙ୍କ ପରିବାର ହେଉଛି ଭୂମିହୀନ ରାଇ ଶିଖ ସଂପ୍ରଦାୟର ଓ ସେମାନେ କୃଷି ଶ୍ରମିକ ଭାବେ ଜୀବନ ବଞ୍ଚନ୍ତି । ତାଙ୍କ ମା’ ମଧ୍ୟ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିଲେ, ଯେ କି ଛ’ ମାସ ତଳେ ମରିଗଲେ; ତାଙ୍କ ବାପା ଅପସ୍ମାର ବା ବାତ ରୋଗରେ ପୀଡ଼ିତ ଓ କାମ କରିପାରନ୍ତି ନାହିଁ । ଦୁଇ ଭାଇ ଓ ଗୋଟିଏ ଭଉଣୀଙ୍କୁ ନେଇ ସେମାନଙ୍କ ପରିବାରର ସମସ୍ତେ ଶ୍ରମିକ ଭାବେ କାମ କରି ଘର ଚଳାନ୍ତି ।
ବନ୍ୟା ଯୋଗୁଁ ଗାଁଟି ତିନି ଚାରି ଦିନ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିଲା, ପାଣି ସ୍ତର ୮ ଫୁଟ ଉଚ୍ଚତାକୁ ଛୁଇଁଲା । ଏହା ଚାଷ ଜମିର ଶ୍ରମିକମାନଙ୍କ ସାଧାରଣ ଘରଗୁଡ଼ିକୁ ଭାଙ୍ଗିରୁଜି ଦେଲା, ପାଚି ଆସୁଥିବା ଖରିଫ ଧାନ ଫସଲକୁ ନଷ୍ଟ କରିଦେଲା, ଓ ଜମିରେ କାଦୁଅ ଭରିଦେଲା । ବିରାଟ ଇଉକାଲିପଟସ ଗଛଗୁଡ଼ିକୁ ମୂଳରୁ ଉପାଡ଼ି ଦେଲା ।
















