ଆମ ଝିଅ କଞ୍ଚା ଲଙ୍କା କ୍ଷେତରେ କାନ୍ଦେ
ବାପା, ମୋ ପାଇଁ ବାହାଘର ଠିକ୍ କରି ଦିଅ, ସେ କୁହେ, ମୋ ବାହାଘର କରେଇ ଦିଅ।
ଆମେ ପରସ୍ପରକୁ ପାଇଯାଇଛୁ, ଦାଦା, ତା’ ସହ ମୋର ବାହାଘର କରେଇ ଦିଅ।
ବାପା, ମୋ ପାଇଁ ବାହାଘର ଠିକ୍ କରି ଦିଅ, ସେ କୁହନ୍ତି, ମୋର ବାହାଘର କରେଇ ଦିଅ।
ଲକ୍ଷେଶ୍ୱରୀ ବାଈ ଖଡ଼ିଆ ଗାଇବା ସମୟରେ ଆଉ ଗୋଟିଏ ଦୁନିଆରେ ପହଞ୍ଚିଯାଆନ୍ତି, ତଳକୁ ଚାହିଁ ସେ ହାତରେ ଧରିଥିବା ମାଇକ୍ରୋଫୋନ୍ ଉପରେ ଦୃଷ୍ଟି ପକାନ୍ତି। ଏହା ତାଙ୍କ ପାଇଁ ଗୋଟିଏ ଅସ୍ୱାଭାବିକ ମୁହୂର୍ତ୍ତ। ଲକ୍ଷେଶ୍ୱରୀଙ୍କ ଆଖପାଖରେ ଥିବା ବହୁତ କମ୍ ଲୋକ ତାଙ୍କୁ ଏହି ଭାଷାରେ ଗୀତ ଗାଉଥିବା କିମ୍ବା କଥା ହେଉଥିବା ଶୁଣିବାରେ ରୁଚି ରଖନ୍ତି। ଆମେ ସେହି ଭାଷାରେ ଏବେ ତାଙ୍କ କଥାକୁ ରେକର୍ଡ କରୁଛୁ। କିନ୍ତୁ ପ୍ରତ୍ୟେକ ଶବ୍ଦ ସହିତ, ତାଙ୍କର ମନ ମାତ୍ର ଗୋଟିଏ ମିଲିସେକେଣ୍ଡରେ ୧୬୦ କିଲୋମିଟର ଦୂର ରାୟଗଡ଼ ପହଞ୍ଚିଯାଏ, ଯେଉଁଠି ଏହି ଶବ୍ଦଗୁଡ଼ିକ ତାଙ୍କର ବାଲ୍ୟଜୀବନକୁ ପରିପୂର୍ଣ୍ଣ କରି ଦେଇଥିଲା।
‘‘ମୁଁ ଏବେ କାହା ସହ କଥା ହେବି? ସେଇଠି ମୋର ଶାଶୁ ଘର ଲୋକମାନେ ଆଉ ନାହାନ୍ତି। ମୁଁ ପିଲାମାନଙ୍କୁ କୁହେ, ‘ମୋ ସହିତ ତୁମମାନଙ୍କର ମାତୃଭାଷାରେ କଥା ହୁଅ ଏବଂ ମୋଠାରୁ ଶିଖ।’ କିନ୍ତୁ ଏ ପିଲାମାନେ ଶୁଣିବେ କୁଆଡ଼ୁ? ନାତିମାନଙ୍କ କଥା ଛାଡ଼, ସାରା ଗାଁରେ ମୁଁ ହିଁ ଏକମାତ୍ର ଖଡ଼ିଆ ଭାଷାରେ କଥା ହୁଏ,’’ ଯନ୍ତ୍ରଣାସିକ୍ତ ସ୍ୱରରେ ପାଟନଦାଦର ଗାଁର ଏହି ୫୫ ବୟସ୍କ ଏହି ଆଦିବାସୀ ମହିଳା ଜଣଙ୍କ କୁହନ୍ତି।
ମହାସମୁନ୍ଦ ଜିଲ୍ଲାର ଏହି ଗାଁରେ ‘ଜୁନା’ ନାମରେ ପରିଚିତ ଲକ୍ଷେଶ୍ୱରୀ ବାଇ ବୁଧୁୱା ଖଡ଼ିଆଙ୍କୁ ବାହା ହେବା ପରେ ଏଠାରେ ରହିଗଲେ। ତାଙ୍କୁ ଏବେ ୬୦ ବର୍ଷ ହୋଇସାରିଲାଣି। ରାଜ୍ୟ ସରକାରଙ୍କଠାରୁ ମିଳିଥିବା ଦୁଇ ଏକର ଜମିରୁ ଘର ଖର୍ଚ୍ଚ ଚାଲିପାରେ ନାହିଁ, ସେଥିପାଇଁ ସ୍ୱାମୀ-ସ୍ତ୍ରୀ ଦୁହେଁ କୃଷି ଶ୍ରମିକ ଭାବେ କାମ କରନ୍ତି। ଲକ୍ଷେଶ୍ୱରୀ କୁହନ୍ତି, ‘‘ଯେତେବେଳେ ମୁଁ ରାୟଗଡ଼ରୁ ଏଠାକୁ ଆସିଲି ନିଜ ଶାଶୁଘର ଲୋକଙ୍କ ସହିତ ଖଡ଼ିଆ ଭାଷାରେ କଥା ହେଉଥିଲି। ଏବେ ସେମାନେ ଚାଲିଯିବା ପରେ ମୋ ପାଖରେ ଏମିତି କେହି ନାହାନ୍ତି, ଯାହା ସହ ମୁଁ ଏହି ଭାଷାରେ କଥା ହୋଇପାରିବି। ତାଙ୍କ ସ୍ୱାମୀ ବୁଧୁୱା କୁହନ୍ତି, ‘‘ମୁଁ ଶବ୍ଦଗୁଡ଼ିକୁ ଠିକ୍ ଭାବେ ଉଚ୍ଚାରଣ କରିପାରେ ନାହିଁ, ସେଥିପାଇଁ ମୁଁ ଏହି ଭାଷା ବ୍ୟବହାର କରେ ନାହିଁ। ଏଠାରେ ଛତିଶଗଡ଼ି ଭାଷା ଚାଲିଥାଏ। ଏହି ଭାଷାକୁ ବୁଝିବ କିଏ?’’




