ଅଗଷ୍ଟ ୨୦୨୩ରେ ଆଫିୟା ଖାତୁନଙ୍କ ଗୀତ ଗାଇବା ଭାଇରାଲ୍ ହୋଇଯାଇଥିଲା।
ସଂଯୋଗବଶତଃ ଏପରି ଘଟିଥିଲା: ଏକ୍ସ (ପୂର୍ବତନ ଟ୍ୱିଟ୍ଟର)ର ଜଣେ ୟୁଜର୍ ତାଙ୍କର ଗୋଟିଏ ଭିଡିଓକୁ ଶେୟାର କରି ଦେଇଥିଲେ। ଏଥିରେ ଆସାମର ବଙ୍ଗଳା ଭାଷୀ ମୁସଲିମଙ୍କ କଥିତ ଭାଷାରେ ଖାତୁନ ଗୀତ ଗାଉଥିବା ଦେଖାଯାଇଥିଲା। ତାଙ୍କ ସହିତ ତାଙ୍କର ଦୁଇ ପୁଅ ଦତୋରା (ବଙ୍ଗଳା ଲୋକ ଗୀତରେ ବ୍ୟବହାର କରାଯାଉଥିବା ତାର ଲାଗିଥିବା ବାଦ୍ୟ ଯନ୍ତ୍ର) ଏବଂ ଢୋଲ ବଜାଉଥିଲେ।
ତାଙ୍କ ଗୀତ ପଦଗୁଡ଼ିକ ଥିଲା:
ଜୋନୋତାରେ ଇଶୋବାଇ ମିଲେ ଥାନା’ ଏଥାନା’ ଈଜାରଦିଲେ, ହିମନ୍ତୋସୋରକାର ବୁଲେ ଦୋଇୟୋଷୀ ରେହ।
ଜୋନୋତାରେଜଲାହିୟା, ହିମନ୍ତୋରେଜୋନତ୍ରୋନା, ଜୋନୋତା ଈଶୋଇତିଏର ପାରେ ନା।
ଆର୍ କୋତୋ ଜଲାଇବେ ବୋଲୋ ନା,
ଆର୍ କୋତୋ ଜଲାଇବେ ବୋଲୋ ନା
(ଲୋକମାନେ ମିଳିତ ଭାବେ ଗୋଟିଏ ପରେ ଗୋଟିଏ ଥାନାରେ ପୁଲିସରେ ଅଭିଯୋଗ କରୁଛନ୍ତି; ସେମାନେ କହୁଛନ୍ତି ହେମନ୍ତ ସରକାର ଦୋଷୀ।
ଲୋକମାନଙ୍କୁ ନିର୍ଯାତନା ଦିଆଯାଉଛି, ହିମନ୍ତଙ୍କ ଅତ୍ୟାଚାରକୁ ଦେଖ। ଲୋକମାନେ ଆଉ ସହ୍ୟ କରିପାରୁନାହାନ୍ତି।
ଆଉ କେତେ ଦିନ ଆମକୁ ଏମିତି ନିର୍ଯାତନା ଦେବ ମୋତେ କୁହ?
ଆଉ କେତେ ଦିନ ଆମକୁ ଏମିତି ନିର୍ଯାତନା ଦେବ ମୋତେ କୁହ?)
ବାଲ୍ୟବିବାହ ରୋକିବା ଲାଗି ରାଜ୍ୟ ବ୍ୟାପି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧୀନରେ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କର ଗଣଗିରଫଦାରୀ ପ୍ରତିବାଦରେ ଗାଇଥିବା ଏହି ଗୀତ ବିଷୟରେ ସେ ଆମକୁ କହିଛନ୍ତି।
‘‘ମୋ ସମାଜର ଲୋକଙ୍କ ମଧ୍ୟରେ ରହିଥିବା ଗଭୀର ଅସନ୍ତୋଷ ଏବଂ ସାମୂହିକ ସଂଘର୍ଷରୁ ଏହି ଗୀତ ଜନ୍ମ ନେଇଛି,’’ ଖାତୁନ କୁହନ୍ତି। ‘‘କାହାକୁ ନିଜର ସ୍ୱର ଉତ୍ତୋଳନ କରିବାର ଥିଲା।’’ ଫେବୃଆରୀ ୨୦୨୩ରେ ବାଲ୍ୟ ବିବାହ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନରେ ଆସାମରେ ୩,୯୦୦ ଲୋକଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ଆହୁରି ଶତାଧିକ ଲୋକଙ୍କୁ ଗିରଫ କରାଯାଇଛି ଏବଂ ଏମାନଙ୍କ ମଧ୍ୟରେ ବହୁସଂଖ୍ୟାରେ ବଙ୍ଗାଳୀ ମୁସଲମାନ ରହିଛନ୍ତି ।










