ଛୋଟୁ ଯାଦବ କହନ୍ତି, ‘‘ଲୋକମାନେ ଚିନ୍ତା କରନ୍ତି ଆମେ ଗୋଟିଏ ପରୀକ୍ଷା କିମ୍ବା ଗୋଟିଏ ଚାକିରି କାରଣରୁ ଆସିଛୁ [ପ୍ରଦର୍ଶନ ପାଇଁ]। ଆମେ ଆସିଛୁ କାରଣ ପ୍ରତି ବର୍ଷ ଏହା ବିଶ୍ୱାସ କରିବା କଷ୍ଟକର ହେଉଛି ଯେ ଆମ ଭବିଷ୍ୟତର ମୂଲ୍ୟ ଅଛି’’।
ଏହି ୨୭ ବର୍ଷ ବୟସ୍କ ଯୁବକ ବିହାରର ସିୱାନରୁ ଗୋଟିଏ ଟ୍ରେନ୍ର ସାଧାରଣ ଡବାରେ ଚାପି ହୋଇ ଦୁଇ ଦିନ କାଳ ଯାତ୍ରା କରି ଦିଲ୍ଲୀ ଆସିଛନ୍ତି। ଛୋଟୁ କହନ୍ତି, ‘‘ଆମ ଗାଁରେ ଯୁବ ବର୍ଗକୁ ବାଧ୍ୟ ହୋଇ ଅନ୍ୟ ସ୍ଥାନକୁ ଯିବାକୁ ପଡ଼େ କିମ୍ବା ସୁଯୋଗ ଆସିବାକୁ ଅପେକ୍ଷା କରିବାକୁ ପଡ଼େ ଯାହା କେବେ ଆସେ ନାହିଁ।’’
‘‘ଚଲୋ ସଂସଦ [ସଂସଦ ଚାଲ]!’’ ଥିଲା କକ୍ରୋଜ୍ ଜନତା ପାର୍ଟି (ସିଜେପି) ଦ୍ୱାରା ଜୁଲାଇ ୨୦, ୨୦୨୬ରେ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଅବସରରେ ଭାରତୀୟ ଯୁବ ପୀଢ଼ିର ସମସ୍ୟାକୁ ସିଧାସଳଖ ସଂସଦକୁ ନେବା ପାଇଁ ଏକ ଡାକରା ଦ୍ୱାରା ଆରମ୍ଭ ହୋଇଥିଲା।
ଏହି ପ୍ରତିବାଦ ଏବେ ସିଜେପିଠାରୁ ବହୁତ ଆଗକୁ ଚାଲି ଯାଇଛି ଏବଂ ସାରା ଦେଶର ସହରଗୁଡ଼ିକରେ ଏକ ଆନ୍ଦୋଳନର ରୂପ ନେଇଛି।
ବାରମ୍ବାର ଘଟୁଥିବା ପ୍ରଶ୍ନ ପତ୍ର ପ୍ରଘଟ ଘଟଣାଗୁଡ଼ିକ ବେରୋଜଗାର, ସରକାରୀ ନିଯୁକ୍ତିରେ ବିଳମ୍ବ ବିପକ୍ଷରେ ଏକ ବ୍ୟାପକ ଅଭିଯାନ ଏବଂ ଆନ୍ଦୋଳନକାରୀମାନେ ଏହାକୁ ସାର୍ବଜନୀନ ଅନୁଷ୍ଠାନ, ବୃହତ୍ ବ୍ୟବସ୍ଥା ଏବଂ ପ୍ରଶାସନ ଉପରେ ବିଶ୍ୱାସ ପ୍ରତି ଅଧିକରୁ ଅଧିକ ଗମ୍ଭୀର ହେଉଥିବା ସଙ୍କଟ ଭାବରେ ବର୍ଣ୍ଣନା କରନ୍ତି। ଏହି ଅଭିଯାନ ସଂକୁଚିତ ହେଉଥିବା ସୁଯୋଗ, ଗ୍ରାମଗୁଡ଼ିକରୁ ପଳାୟନ ବୃଦ୍ଧି ଏବଂ ଯୁବପୀଢ଼ି, ବିଶେଷକରି ଗ୍ରାମୀଣ ଭାରତର ଯୁବ ପୀଢ଼ିର ସେମାନଙ୍କ ଭବିଷ୍ୟତକୁ ଗଢ଼ିବାର ନିଷ୍ପତ୍ତିରୁ ତାଙ୍କୁ ବଞ୍ଚିତ କରାଯାଉଥିବାର ଅନୁଭବ ପ୍ରତି ହତାଶାକୁ ସ୍ୱର ଦେବା ପାଇଁ ଏକ ମଞ୍ଚ ପାଲଟିଛି।
ପାଲି ସ୍ଥିତ ସରକାରୀ ଡାକ୍ତରୀ ମହାବିଦ୍ୟାଳୟର ଶେଷ ବର୍ଷ ଡାକ୍ତରୀ ଛାତ୍ର ୨୫ ବର୍ଷ ବୟସ୍କ ଧୀରମ୍ କୁହନ୍ତି, ‘‘ମୁଁ ଦିଲ୍ଲୀ ଆସିଛି, କାରଣ ମୁଁ ଚାହେଁ ନାହିଁ ଯେ ମୋ ଗାଁ ପରି ଅନ୍ୟ ଗାଁଗୁଡ଼ିକର ଯୁବ ପିଢ଼ି ଭବିଷ୍ୟତ ପ୍ରତି ନିଜର ବିଶ୍ୱାସ ନ ହରାନ୍ତୁ।’’ ସେ ତାଙ୍କର ସାଙ୍ଗ ହ୍ୟୁମାନିଟିଜ୍ର ଛାତ୍ର ଆଶୁ ରାମ, ୨୪ଙ୍କ ସହ ଆସିଛନ୍ତି। ଏହି ଦୁଇ ଜଣ ୧୫ ଘଣ୍ଟାର ଯାତ୍ରା ପରେ ଜୁଲାଇ ୧୯ର ମଧ୍ୟାହ୍ନରେ ଦିଲ୍ଲୀରେ ପହଞ୍ଚିଥିଲେ।


























