କ୍ରିଷ୍ଣା ରାଣୀ ଜାଣିଥିଲେ ଯେ ଏପ୍ରିଲ୍ ମାସ ହେଉଛି ସବୁଠାରୁ ଉଦାର ମାସ। ଏହି ସମୟ ବେଳକୁ ପଞ୍ଜାବରେ ଗହମ ଅମଳ ଋତୁ ଶେଷ ହୋଇ ଆସୁଥାଏ ତାଙ୍କର ହାତ ବୁଣା ଝୁଡ଼ି - ପଞ୍ଜାବରେ ଯାହାକୁ କୁହାଯାଏ ଛାଜ୍ର ଚାହିଦା ପୁଣି ଥରେ ବୃଦ୍ଧି ପାଇଥାଏ। ଅଳ୍ପ କିଛି ସମୟ ପାଇଁ ତାଙ୍କର ଆୟ ବଢ଼ି ଯାଇଥାଏ ତାହା ସହିତ ତାଙ୍କର ଆତ୍ମ ବଳ ଓ ଆତ୍ମ ନିର୍ଭରଶୀଳତା ମଧ୍ୟ ବୃଦ୍ଧି ପାଇଥାଏ।
7 ବର୍ଷ ଧରି ଏପ୍ରିଲ୍ ମାସର ଦୈନନ୍ଦିନ କାର୍ଯ୍ୟଧାରା କ୍ରିଷ୍ଣା ରାଣୀଙ୍କ ପାଇଁ ଏହିପରି ଥିଲା। ସକାଳ 5ଟାରୁ ଦିନ ଆରମ୍ଭ ହେଉଥିଲା ଆଉ ତା’ପରେ ସେ ସକାଳ 6ଟାରେ ବସ୍ ଧରି ଫଜିକା ଜିଲ୍ଲାରେ ତାଙ୍କ ଗାଁ ଟାହଲି ୱାଲା ବୋଡଲାରୁ ବାହାରି ପାରୁଥିଲେ। ମୁଣ୍ଡ ଉପରେ ବୋଝେ ଛାଜ୍ ମୁଣ୍ଡାଇ ସେ ସାରା ଦିନ ଆଖପାଖ ଗାଁ ଗଣ୍ଡାରେ ବୁଲି ତାଙ୍କର ଝୁଡ଼ି ବିକ୍ରି କରୁଥିଲେ।
ଆଜିକାଲି ଯୁଗରେ ତାଙ୍କର ଗ୍ରାହକ ହେଉଛନ୍ତି କେବଳ ବୟସ୍କ ମହିଳାମାନେ ଯେଉଁମାନେ କି ତାଙ୍କର ପରିଚିତ ଶବ୍ଦରେ ତାଙ୍କୁ ସମ୍ବୋଧନ କରିଥାନ୍ତି: ‘‘ବେବେ, କିଥେ ଛାଜ୍ ଚକି ଫିରଦି ହେବ? ଆଜକାଲ୍ କି କୁଡିୟାନୁ ଛାଜ୍ ଫଡ଼ାନ୍ ଭି ନହିଁ ଆନ୍ଦେ [ଆଲୋ, ଛାଜ୍ ନେଇ କୁଆଡ଼େ ଯାଉଛୁ? ଆଜିକାଲିକା ଝିଅମାନେ ସେଗୁଡ଼ିକ କେମିତି ଧରିବାକୁ ହୁଏ ସେତିକି ବି ଜାଣନ୍ତି ନାହିଁ]।”
ସେମାନଙ୍କର କଥା ବା ଛାଜ୍ କିଣିବା ପାଇଁ ଗ୍ରାହକଙ୍କ ସଂଖ୍ୟା କମିଯିବା କେବେ ବି ତାଙ୍କୁ ନିରୁତ୍ସାହିତ କରିନାହିଁ। ଗତ ୪୦ ବର୍ଷ ମଧ୍ୟରେ କ୍ରିଷ୍ଣା ରାଣୀ କେବେ ବି ତାଙ୍କ ପରିବରର ଏହି କାରିଗରୀ ତ୍ୟାଗ କରିବା ବିଷୟରେ ଥରେ ବି ଚିନ୍ତା କରିନାହାନ୍ତି। ‘‘ମୁଁ କାହିଁକି ଏହାକୁ ଛାଡ଼ିବି? ଜିତନେ କୋଇ କାରଣ ଭଲା ନାହିଁ ସି, ଛଡ଼ନା କଡ଼େ ବାସ୍ତେ ସି? ଏଡେ ତେ ସି ରୋଟି [ଯେତେବେଳେ ମତେ ଦେବାକୁ କେହି ନଥିଲେ ଏହା ଥିଲା ମୋର ରୁଟି],” ଏ ବର୍ଷ ଫେବୃୟାରୀରେ ତାଙ୍କ ସହିତ ପ୍ରଥମ ସାକ୍ଷାତ ସମୟରେ ସେ ଏହା କହିଥିଲେ। ତାଙ୍କର ଝୁଗି ସମ୍ମୁଖରେ ବସି ୫୦ ବର୍ଷୀୟା ମହିଳା ଜଣକକ ଆଗାମୀ ଋତୁ ପାଇଁ ଛାଜ୍ ମାନ ବୁଣିବାରେ ବ୍ୟସ୍ତ ଥିଲେ।


![‘ଏହି ଗରମରେ ମୁଁ ବିକ୍ରି [ଛାଜ୍] କରିପାରୁ ନାହିଁ’](/_next/image?url=https%3A%2F%2Fproduction.ruralindiaonline.org%2Fuploads%2FHP_COVER_IMAGE_ST_I_am_unable_to_sell_chhaj_in_this_heat_1377533fb1.jpg&w=1080&q=80)
























