ଯେତେବେଳେ କେରଳର ୯ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସେମାନଙ୍କ ମାଲାୟାଲମ ଭାଷା ପ୍ରଶ୍ନପତ୍ର ଖୋଲିଲେ, ସେଥିରେ ଗୋଟିଏ କବିତା ରହିଥିଲା, ଯାହାର ଶୀର୍ଷକ ତାନିଚିରିକ୍କୁମ୍ବଲ (ମୁଁ ଯେବେ ଏକାକୀ ଥାଏ) । କବିତାର ପ୍ରତି ଧାଡ଼ିରେ ରହିଛି ନିରବତା, ନିଃସଙ୍ଗତା ଏବଂ ଏକା ଏକା ରହୁଥିବା ବେଳେ ମନରେ ବସା ବାନ୍ଧୁଥିବା ନିର୍ମଳ ଭାବଧାରାର କାହାଣୀ । ପରୀକ୍ଷା ଦେଉଥିବା ଲକ୍ଷ ଲକ୍ଷ କିଶୋର କିଶୋରୀ ଜାଣନ୍ତି ନାହିଁ ଯେ ସେମାନେ ଯେଉଁ କବିତା ପଢୁଛନ୍ତି, ତାହାର ସ୍ରଷ୍ଟା ଜଣେ ଯୁବ କବୟିତ୍ରୀ, ପି.ଏ. ସେବା ।
ସେହି ବର୍ଷ, ୨୦୨୩ରେ, ସେବା ପ୍ରକାଶ କରାଇଲେ- ବିରଲ ପାଜୁତିଲେ ଆକାଶାଙ୍ଗଲ, ଯାହାକି ସାମାଜିକ ପ୍ରତିଫଳନ, କବିତା ଏବଂ ଚାକ୍ଷୁଷ ଭାବପ୍ରକାଶ ସମ୍ବଳିତ ଏକ ବହି । ଏଥିରେ ବି ପ୍ରତିଫଳିତ ହୋଇଥିଲା ‘ସ୍ପାଇନାଲ ମସ୍କୁଲାର ଆଟ୍ରୋଫି’ (SMA)- ଏକ ବିରଳ ଆନୁବଂଶିକ ଶାରୀରିକ ସ୍ଥିତି, ଯାହା ଯୋଗୁଁ ମାଂସପେଶୀଗୁଡ଼ିକ ଦୁର୍ବଳ ହେବାରେ ଲାଗେ- ପ୍ରପୀଡ଼ିତ ତାଙ୍କ ଜୀବନଧାରା । SMA ରୋଗୀମାନେ ଧୀରେ ଧୀରେ ନିଜ ଶରୀର ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି, ଏବଂ ପରିଶେଷରେ ଅବସ୍ଥା ଏମିତି ହୁଏ ଯେ, ଗୋଟିଏ ଟ୍ୟୁବ୍ ମାଧ୍ୟମରେ ଶ୍ୱାସକ୍ରିୟା ଅନିବାର୍ଯ୍ୟ ହୋଇପଡ଼େ ।
ନା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ, ନା ଦୂର ଦୂରାନ୍ତର ପାଠକମାନେ ଏକଥା ଜାଣିଥିଲେ ଯେ ଏହି ରଚୟିତା ଜଣକ ବର୍ଷ ବର୍ଷ ହେଲା ତାଙ୍କ କୋଠରି ବାହାରକୁ ଯାଇନାହାନ୍ତି । ତାଙ୍କ ଶ୍ୱାସନଳୀରେ ଟ୍ୟୁବ୍ଟିଏ ଲାଗିଥିବା ଅବସ୍ଥାରେ ଚିତ୍ ହୋଇ ଶୋଇ ରହି ସେ ଏହି ଧାଡ଼ିଗୁଡ଼ିକ ଲେଖିଥିଲେ । ଛଅ ବର୍ଷରୁ ଅଧିକ କାଳ ହେଲା ସେବାଙ୍କର ଶ୍ୱାସକ୍ରିୟା, ଗୋଟିଏ ‘ଟ୍ରାକିଓଷ୍ଟମୀ ଟ୍ୟୁବ୍’ ମାଧ୍ୟମରେ ଚାଲିଛି। ସେ ଚାଲି ପାରିବେନି, ବସିପାରିବେନି କିମ୍ବା କଠିନ ଉଦ୍ୟମ ନ କରି ଖାଦ୍ୟ ଗିଳି ପାରିବେନି ।
ତାଙ୍କ ମୋବାଇଲ ଫୋନ୍ ଉପଯୋଗ କରି ଏକ ସୃଜନଶୀଳ ଜଗତକୁ ସୃଷ୍ଟି କରିଛନ୍ତି ୨୭ ବର୍ଷୀୟା ସେବା । ୨୦୧୮ରେ, ସେ ତାଙ୍କ ରଚନାକୁ ଅନ୍ଲାଇନ୍ରେ ପୋଷ୍ଟ କରିବା ଆରମ୍ଭ କଲେ । ପାଞ୍ଚ ଇଞ୍ଚର ମୋବାଇଲ ସ୍କ୍ରିନ୍ ଉପରେ ତାଙ୍କ ସୃଷ୍ଟିକୁ ସ୍ଥାନିତ କରାଇବା ଲାଗି ତାଙ୍କୁ ପ୍ରବଳ ଉଦ୍ୟମ କରିବାକୁ ପଡୁଥିଲା ।
ସାମାଜିକ ଗଣମାଧ୍ୟମରେ ତାଙ୍କ ସୃଷ୍ଟି ଉପରେ ପି. ବେନୁଗୋପାଲଙ୍କ ଆଖି ପଡ଼ିଲା । “ତାଙ୍କ ଶବ୍ଦରେ ତୀକ୍ଷ୍ଣ ଇସ୍ପାତର ଧାର,” ତିରୁବନନ୍ତପୁରମର ଏହି ସାମ୍ବାଦିକ କହନ୍ତି । “ସେ ଏମିତି ଲେଖନ୍ତି, ଯେମିତି କି କେହି ଜଣେ ଶହେ ବର୍ଷ ହେଲା ବଞ୍ଚିରହିଛନ୍ତି, ତଥାପି ସେଥିରେ କୋମଳ ଭାବ ଭରି ରହିଥାଏ ।” ଆଜି ବି ଯେତେବେଳେ ସେବା ଥକି ଯାଇଥାଆନ୍ତି, ଟାଇପ୍ କରିବା ଏବଂ ସଂପାଦନାରେ ସେ ତାଙ୍କର ସହାୟତା କରନ୍ତି । “ଉଭୟ ମାଲାୟାଲମ ଏବଂ ଇଂରାଜୀରେ ସେ ଅତି ସୁନ୍ଦର ଭାବରେ ଲେଖନ୍ତି, ତାଙ୍କ ହାତ ଥକିଯାଇଥିବା ବେଳେ ମୁଁ କେବଳ ମୋର ଆଙ୍ଗୁଠି ଚଳାଇଥାଏ ।”
ମଣିଷର ଆଶା ଉପରେ, ଟ୍ରାପ୍ଡ ଇନ୍ ଏ କେଜ୍ ବଟ୍ ୱାର୍ଡସ ବ୍ରେକ୍ ଫ୍ରି ଶୀର୍ଷକ ତାଙ୍କ ଲେଖା, ୨୦୨୩ର ନୂଆବର୍ଷ ଦିନ ଦି ଟେଲିଗ୍ରାଫ୍ର ମୁଖ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା । ସଂପାଦକ ଆର. ରାଜଗୋପାଲ ଫେସ୍ବୁକ୍ରେ ତାଙ୍କ ଲେଖାକୁ ଦେଖିଥିଲେ ଏବଂ ଏହାକୁ ପ୍ରକାଶ କରିବାକୁ ଚାହିଁଥିଲେ । ପରେ ପରେ, ମାଲାୟାଲମ ଭାଷାରେ ଲିଖିତ ତାଙ୍କ ରଚନାବଳୀକୁ ଏକତ୍ର କରି ବିରଲ ପାଜୁତିଲେ ଆକାଶଙ୍ଗଲ (ଆଙ୍ଗୁଠି ଫାଙ୍କରେ ଆକାଶ ଅବଲୋକନ) ଶୀର୍ଷକ ବହି ପ୍ରକାଶିତ ହୋଇଥିଲା । ୨୦୨୩ ଜାନୁଆରୀରେ, ଏର୍ଣ୍ଣାକୁଲମ ପ୍ରେସ୍ କ୍ଲବ୍ ପରିସରରେ କେରଳର ଶିଳ୍ପମନ୍ତ୍ରୀ ପି. ରାଜୀବ ଏହାର ଉନ୍ମୋଚନ କରିଥିଲେ । ତାଙ୍କ କୋଠରିରେ ରହି ସେ ତାଙ୍କ ମାଆଙ୍କ ଫୋନ୍ରୁ ଏହି କାର୍ଯ୍ୟକ୍ରମ ଦେଖିଥିଲେ ।
“ସେ କହି ଚାଲିଥିଲା, ‘ଦେଖ ଆମ୍ମା, ମୋ ଆକାଶ ଏବେ ଅନ୍ୟମାନଙ୍କ ପାଖରେ ପହଞ୍ଚୁଛି’,” ‘ପରୀ’କୁ ତାଙ୍କ ମାଆ ସାବିରା କହିଲେ ।










