ମୋନାଙ୍କ ଆଖି ଦୁଇଟି ବନ୍ଦ। ଗୋଟିଏ ହାତରେ ସେ ଧରିଛନ୍ତି ତତଲା ରଡ, ଅନ୍ୟ ହାତରେ ଫମ୍ପା ବାଉଁଶ ନଳୀ। ଘର ଭିତରେ ଧୂଆଁ ଭରି ହେଇ ରହିଛି। ତାଙ୍କ ଆଖି ଦୁଇଟି ତଥାପି ବନ୍ଦ, ତତଲା ଲୁହାରଡକୁ ବାଉଁଶ ନଳୀରେ ଫୋଡ଼ି ସେ ଗୋଟିଏ କଣା କରନ୍ତି, ଆଉ ଗୋଟିଏ ଓ ପୁଣି ଆଉ ଗୋଟିଏ। ସମୁଦାୟ ଛ’ଟି।
ସେ ଆଖି ଖୋଲନ୍ତି, କହନ୍ତି, “ବଇଁଶୀଟିଏ ତିଆରି କରିବା ପାଇଁ ଦକ୍ଷତା ଦରକାର ଓ ବହୁ ସଂଖ୍ୟାରେ କରିବାକୁ ଅଧିକ ବେଗରେ କରିବା ଦରକାର”। ତା’ପରେ ସେ ହସି ଉଠନ୍ତି ଓ ଯୋଗ କରନ୍ତି, “ପୁରୁଷମାନେ ଏହା କରି ପାରିବେ ନାହିଁ। ଏହା କଷ୍ଟକର କାମ!”
ମୋନା (ସେ ଏହି ନାମ ବ୍ୟବହାର କରିବାକୁ ଅଧିକ ପସନ୍ଦ କରନ୍ତି) ହେଉଛନ୍ତି ବଇଁଶୀ ତିଆରି କରିବାରେ ତୃତୀୟ ପିଢ଼ିର ଜଣେ। “ବଂଶୀ ହେଉଛି ଏକ ସରଳ, ତେବେ ସୂକ୍ଷ୍ମ ବାଦ୍ୟଯନ୍ତ୍ର”, କହନ୍ତି ୩୫ ବର୍ଷ ବୟସ୍କା ମୋନା, “କଣାଗୁଡ଼ିକ ବିନା ଏହା କେବଳ ଖଣ୍ଡେ ପୋଲା ବାଉଁଶ, କିନ୍ତୁ ସଠିକ ଭାବେ କଣା ହେଲେ, ଏଥିରେ ସମସ୍ତ ସାଙ୍ଗିତୀକ ମୂର୍ଚ୍ଛନା ରହିଛି, ଏହା ଶ୍ରୀ କୃଷ୍ଣଙ୍କର ପ୍ରତୀକ”।
ସେ ଗୋଟିଏ ଚଟାଣ ପଲସ୍ତରା ହେଇନଥିବା ଘର ମଝିରେ ଅଙ୍ଗାର ଜଳୁଥିବା ମାଟି ଚୁଲା ପାଖକୁ ବସିଛନ୍ତି। ସେହି ଘରର ଛାତ ଉପରେ ଥିବା ଏକମାତ୍ର ଝରକା ଦେଇ ସୂର୍ଯ୍ୟାଲୋକ ଭିତରେ ପଡ଼ିଛି, ବାହାରେ, ଆକାଶରେ ଗୁଡ଼ି ସବୁ ଉଡ଼ୁଛି।













