ଗୋଟିଏ ମରୁଭୂମି, କିମ୍ବା ଗୁଜରାଟୀରେ ଆମେ ଯାହାକୁ କହୁ ରଣ, ସଂଲଗ୍ନ ଏକ ଗାଁ। ମୋ ଆଗରେ ଠିଆ ହୁଅନ୍ତି ଜଣେ ଲୋକ: ଅର୍ଦ୍ଧମୁଦ୍ରିତ ଆଖି, ପାଚିଲା କେଶ, ଦୁଇ ଗୋଡ଼ରେ କର୍କଶ ଓ ଶକ୍ତ ତଳିପାଦ, ତ୍ୱଚାରେ ଖରା ତାତିର ଲେପ, ସେହି ଏକା ରଙ୍ଗର ଓଠ ଓ ଗାଲ, ବଳିଷ୍ଠ ଶରୀରରେ ଲୁଣର ଛିଟା । ଯେ କେହି ତତ୍କ୍ଷଣାତ୍ ତାଙ୍କୁ ଚିହ୍ନି ପାରିବେ: ସେ ହେଉଛନ୍ତି ଜଣେ ଅଗରିୟା, ଲୁଣ କିଆରିର ଜଣେ ଶ୍ରମିକ ।
ଖାରାଗୋଡ଼ାର ମରୁଭୂମିରେ ବାଲି ନାହିଁ, ଚାରିଆଡ଼େ କେବଳ ଲୁଣାମାଟି । ବର୍ଷା ଋତୁରେ ଏହା ପାଣିରେ ଭରିଯାଏ । ଏବଂ ତା’ପରେ କେବଳ ମାଟିକାଦୁଅ । ଦିନକୁ ଦିନ ଗରମ ବଢ଼ିବାରେ ଲାଗେ ଏବଂ ଆପଣ ଦେଖିବେ ଯେ, ଅତି ଶୀଘ୍ର ମରୁଭୂମି ସାରା ଜମି ରହିଥିବ କେବଳ ଶୁଖିଲା ମାଟି । ଦୂର ଦିଗ୍ବଳୟ ଯାଏ ଗୋଟିଏ ହେଲେ ଗଛ ଦେଖିବାକୁ ମିଳେନି, ଏଠିସେଠି କେବଳ କେତେକ କଣ୍ଟାବୁଦା ଯାହା ଥାଏ । ଏ ସଂପର୍କରେ ଶୁଣିଲା ମାତ୍ରେ ହିଁ ଅଣନିଃଶ୍ୱାସୀ ଲାଗେ । ଏଠାରେ କାମ କରିବା କଥା କଳ୍ପନା କରନ୍ତୁ ତ ! ଆପଣ ଏଠାରେ ଚାଲିଥିବେ ତ ଚାଲିଥିବେ ଏବଂ ଶେଷରେ ଏମିତି ଲାଗିବ ଯେମିତି କୌଣସି ସ୍ଥାନରେ ପହଞ୍ଚି ପାରିନାହାନ୍ତି । ଏବଂ ଏହା ସହିତ ଜୀବନକୁ ଘୋଷାଡ଼ି ଘୋଷାଡ଼ି ନେବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ।
“ଏ ରାସ୍ତା ଅଚିହ୍ନା ଲାଗେନି ସତ,
ତଥାପି ମୁଁ ହଜି ଯାଏ ମରୁଭୂମିରେ ।
ମୁଁ ଚାଲିଲି ମୋ ପୂର୍ବଜଙ୍କ ବାଟରେ
ତଥାପି ମୁଁ ହଜି ଯାଏ ମରୁଭୂମିରେ ।”
ଲୁଣ କ୍ଷେତର ଶ୍ରମିକମାନଙ୍କ ପାରମ୍ପରିକ ଜୀବନର ଦୁଃଖ ଦୁର୍ଦ୍ଦଶାକୁ ଶବ୍ଦରୂପ ଦେବାକୁ ଯାଇ ରଣ୍ର ୬୫ ବର୍ଷୀୟ କବି ଡି.କେ. ବାଣିଆ କହନ୍ତି, “ଏ ଅଞ୍ଚଳର ପ୍ରାୟ ୯୯ ପ୍ରତିଶତ ଅଗରିୟା ‘ଚୁମ୍ବାଳିଆ କୋଳି’ ନାମକ ବିମୁକ୍ତ ଜନଜାତି ଅନ୍ତର୍ଭୁକ୍ତ ।” ସେମାନେ ଅହମ୍ମଦାବାଦ ଜିଲ୍ଲାର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଉପଖଣ୍ଡ ବୀରାମଗାମ ଉପଖଣ୍ଡର ଚୁମ୍ବାଲେ ଅଞ୍ଚଳରୁ ଆସିଥିବା କାରଣରୁ ସେମାନଙ୍କୁ ଚୁମ୍ବାଳିଆ କୁହାଯାଏ । ଗୁଜରାଟୀ ଭାଷାରେ ଚୁମ୍ବାଲିସ ଶବ୍ଦର ଅର୍ଥ ୪୪- ଯାହା ସେ ଅଞ୍ଚଳର ୪୪ ଖଣ୍ଡ ଗାଁକୁ ବୁଝାଇଥାଏ । ଏହି ଜନଜାତି ସଂପ୍ରଦାୟର ଲୋକେ ଦାରିଦ୍ର୍ୟ ଓ ନୈରାଶ୍ୟ ମଧ୍ୟରେ କାଳାତିପାତ କରନ୍ତି; ପ୍ରତିଟି ଘରେ ରହିଛି ଜୀବନ ସଂଘର୍ଷର ଏକ କାହାଣୀ । ସେଥିରୁ କେତେକ କାହାଣୀ ଖୁବ୍ ହୃଦୟ ବିଦାରକ । କେବେ ବା କେମିତି ଅନ୍ୟମାନଙ୍କ ଦୃଷ୍ଟିରେ ପଡ଼େ ସଂଘର୍ଷଭରା ଏହି ଜୀବନ । ତଥାପି ଏହାକୁ ଆଦରି ନେବାକୁ ବାଧ୍ୟ ହୋଇ ବଞ୍ଚିବାରେ ଲାଗିଛନ୍ତି ସେମାନେ ।































