ଏକ ଆଳସ୍ୟଭରା ଖରାଦିନିଆ ଅପରାହ୍ଣ । ଜେଜେମା’ କୁସୁମ ବନକୁଣ୍ଡ୍ରେ, ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ, ମୋ ପାଖରେ ଏକ ଚେୟାରରେ ବସି ଏକ ତୋରଣ (କବାଟରେ ଝୁଲା ଯାଉଥିବା ସାଜସଜା) ବୁଣୁଥିଲେ । କଲେଜ ଛୁଟି ଥିବାରୁ ମୁଁ ଘରେ ରହି ସମୟ ଉପଭୋଗ କରୁଥିଲି । ବାହାରେ ପ୍ରବଳ ଗରମ ଯୋଗୁଁ ପଦାକୁ ବାହାରିବା ସମ୍ଭବ ନଥିଲା । ମୁମ୍ବାଇରେ ତାପମାତ୍ରା ୩୯.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା - ଯାହା ଥିଲା ଦଶ ବର୍ଷ ମଧ୍ୟରେ ସର୍ବାଧିକ । ମଧ୍ୟାହ୍ନ ଭୋଜନ ପରେ ଟିକେ ନିଦ ଲାଗୁଥିଲା, ଜେଜେମା’ ପୁରୁଣାଦିନର କଥା ମନେ ପକାଉଥିଲେ, ମୁଁ ଜେଜେମା’ଙ୍କ ସହ ତାଙ୍କ ସ୍ମୃତିର ଗଳିରେ ନିଜକୁ ହଜାଇ ଦେଇଥିଲି ।
‘‘ମୋର ଜନ୍ମ ମହାରାଷ୍ଟ୍ରର ସାତାରା ଜିଲ୍ଲାର ଏକ ଛୋଟ ଗାଁ ବାଡଗାଓଁରେ ହୋଇଥିଲା । ସେଠାରେ ୩୩ କୋଟି ଦେବାଦେବୀଙ୍କର ଏକ ପୁରାତନ ଜୟରାମ ସ୍ୱାମୀ ମନ୍ଦିର ଥିଲା । ମୁଁ ପଢୁଥିବା ସ୍କୁଲଟି ସେହି ମନ୍ଦିରର ବିଶାଳ ପ୍ରାଙ୍ଗଣରେ ଚାଲୁଥିଲା । ସେଠାରେ ଖେଳିବା ପାଇଁ ବହୁତ ଜାଗା ଥିଲା । କ୍ଲାସ ସରିବା ପରେ ଆମେ ହୁତୁହୁତୁ, କବାଡି ଏବଂ ଲଙ୍ଗଡ଼ି ଖେଳୁଥିଲୁ । ନାଗ ପଞ୍ଚମୀ ଦିନ କିଛି ଝିଅ ‘ଫୁଗଡ଼ି’ (ଏକ ଲୋକନୃତ୍ୟ) ଖେଳୁଥିଲେ ଏବଂ ଗୀତ ଗାଉଥିଲେ । ମୋର ଚାରି ଜଣ ସାନ ଭଉଣୀ ଏବଂ ମୁଁ ବହୁତ ମଜା କରୁଥିଲୁ ।
‘‘ସ୍କୁଲରେ କେବଳ ସପ୍ତମ ଶ୍ରେଣୀ ଯାଏଁ ଥିଲା । ତା'ପରେ ମୁଁ ବୁଣାବୁଣି ଏବଂ ସିଲେଇ ଶିଖିଲି । ମୁଁ ଚାଷ କାମରେ ମଧ୍ୟ ସାହାଯ୍ୟ କରୁଥିଲି । ମୋ ବାପାଙ୍କର ଏକ ଫାର୍ମ ଥିଲା । ଶେତି ହୋତି, ପଣ ମୁମ୍ବାଇ ଲା କାମାଲା ହୋତେ । ଅଫିସ ମଧ୍ୟେ କାମ କରାୟଚେ, ପିଅନ ମହଣୁନ [ତାଙ୍କର ଚାଷ ଜମି ଥିଲା, କିନ୍ତୁ ସେ ମୁମ୍ବାଇରେ କାମ କରୁଥିଲେ । ସେ ଏକ ଅଫିସରେ ପିଅନ ଭାବେ କାମ କରୁଥିଲେ] । ଆମ ପରିବାର ଗାଁରେ ରହୁଥିଲେ । ଜମି ଆମର ନିଜସ୍ୱ ଥିଲା । ଏବେ ବି ସେଇଟା ଆମ ପାଖରେ ଅଛି । ମୋ ଭାଇ ଦେଖାଶୁଣା କରୁଛି । ସେଠାରେ ତିନି ଏକର ଜମି ଅଛି । ସେ ସମୟରେ ଆଠ ଜଣ ବ୍ୟକ୍ତି ମିଶି ଜମିର ମାଲିକ ଥିଲେ - ମୋ ବାପା, ତାଙ୍କ ଭାଇମାନେ ଏବଂ ସମ୍ପର୍କୀୟମାନେ । ସେତେବେଳେ ପ୍ରାୟ ୨୩-୨୪ ଏକର ଜମି ଥିଲା ।
‘‘ଏହି ଆଠ ଜଣ ଜମି ମାଲିକ ମାଣ୍ଡିଆ, ଚିନାବାଦାମ ଏବଂ ମୁଗ ଆଦି ବୁଣିବା ପାଇଁ ଦୁଇଜଣ ମରାଠା ଶ୍ରମିକଙ୍କୁ ମଜୁରୀ ଦେଇ ରଖିଥିଲେ । ଆମେ ଚିନାବାଦାମ ଅମଳ କରୁଥିଲୁ, ବୁଟ ତୋଳୁଥିଲୁ କିମ୍ବା ପନିପରିବା ହେଲେ ତାକୁ ସଂଗ୍ରହ କରୁଥିଲୁ - ବାଙ୍ଗି ମହଣା [ବାଇଗଣ], ପାବତାଚ୍ୟା ଶେଙ୍ଗା [ସଜନା ଛୁଇଁ], ହରଭରାଚି ଭାଜି [ବୁଟ ଶାଗ] । ଏହି ସବୁ କାମ କରୁ କରୁ ମୁଁ କେତେବେଳେ ୨୦ ବର୍ଷର ହୋଇଗଲି ତାହା ଜାଣିପାରିଲି ନାହିଁ ।
‘‘ଶୀଘ୍ର ମୋ ବିବାହ ପାଇଁ ଆଲୋଚନା ଆରମ୍ଭ ହୋଇଗଲା । ମୁମ୍ବାଇରୁ ଏକ ପ୍ରସ୍ତାବ ଆସିଲା ଏବଂ ମୋ ବିବାହ ସ୍ଥିର ହେଲା । ୧୯୬୫ ମସିହାରେ ଆମେ ସମସ୍ତେ ମୁମ୍ବାଇ ଅଭିମୁଖେ ବାହାରିଲୁ । ମୁଁ, ମୋ ବାପାମା’ ଏବଂ ଭାଇଭଉଣୀ, ଦାଦା, ଖୁଡ଼ି, ଆମେ ସମସ୍ତେ ଗଲୁ । ବାଡଗାଓଁରୁ ରହମତପୁର ପର୍ଯ୍ୟନ୍ତ ବସ୍ରେ ଏବଂ ସେଠାରୁ ମୁମ୍ବାଇକୁ ରାତି ଟ୍ରେନ୍ରେ ।
‘‘ଗାଁ ଛାଡ଼ି ବାହାରକୁ ଏହା ମୋର ପ୍ରଥମ ଯାତ୍ରା ଥିଲା ଏବଂ ମୁମ୍ବାଇକୁ ମଧ୍ୟ ପ୍ରଥମ ଥର । ମୁମ୍ବାଇଚି ଗର୍ଦି ପାହୁନ ଥୋଡେ ଗଡବଡଲ୍ୟାସାରେ ଝାଲେ [ଏହି ବଡ଼ ସହରର ଭିଡ଼ ଦେଖି ମୁଁ ଟିକେ ବିବ୍ରତ ହୋଇଗଲି] । ସେଠାରେ ପହଞ୍ଚିବାର ଦ୍ୱିତୀୟ ଦିନରେ ମୋର ବିବାହ ହେଲା ଏବଂ ମୁଁ ଅନ୍ଧେରୀରେ ଥିବା ମୋ ଶାଶୁଘରକୁ ଆସିଲି । ମୋ ସ୍ୱାମୀ କର୍ଣ୍ଣାଟକର ଥିଲେ । ସେ ଏକ ଅଟୋମୋବାଇଲ୍ କମ୍ପାନୀରେ ଲାଇନମ୍ୟାନ ଭାବେ କାମ କରୁଥିଲେ । ମୁଁ ଗହଣା ତିଆରି କାମ ଆରମ୍ଭ କଲି, ମଙ୍ଗଳସୂତ୍ର ବୁଣିଲି । ଏହିପରି ଭାବେ ଆମର ବୈବାହିକ ଜୀବନ ଆରମ୍ଭ ହେଲା । ଦୁଇ ପୁଅ ଏବଂ ଜଣେ ଝିଅ । ଆଉ ଏବେ ଦୁଇ ଜଣ ନାତୁଣୀ ଏବଂ ଦୁଇ ଜଣ ନାତି ।’’ - ଅତି ଆଗ୍ରହରେ ସବୁକଥା ବନେଇଚୁନେଇ କହୁଥିଲେ ଜେଜେମା’ ।
ମୁଁ ଜେଜେମା’ଙ୍କୁ ପଚାରିଲି: ‘‘ଆଉ ତମେ ମୁମ୍ବାଇ ବାହାରକୁ ବି ଯାଇଛ, ନୁହେଁ କି?’’
‘‘କନ୍ୟାକୁମାରୀ, କଲିକତା, ଜୟପୁର, କାଶୀ, କାଶ୍ମୀର । ଏପରିକି ତୋ ଜେଜେବାପାଙ୍କ ସହ ସିଙ୍ଗାପୁର ଏବଂ ନେପାଳ ମଧ୍ୟ ଯାଇଛି ।’’
କିନ୍ତୁ ତମର ପ୍ରିୟ ଯାତ୍ରା କେଉଁଠିକୁ ଥିଲା ଆଜି (ଜେଜେମା’)?
"କାଶୀକୁ, ଯେଉଁଠିକୁ ମୁଁ ମୁମ୍ବାଇ ଆସିବାର ୩୦ ବର୍ଷ ପରେ ମୋ ମା’ ଓ ଭଉଣୀଙ୍କ ସହ ଯାଇଥିଲି । ଏଥିରେ କେବଳ ମହିଳାମାନେ ଯାଇଥିଲେ । ଅନେକ ସମୟରେ ମୋ ନଣନ୍ଦ ଏହିପରି ଯାତ୍ରାରେ ଯାଉଥିଲେ । ସେ ମତେ ଏହା ବିଷୟରେ କହିଲେ ଏବଂ ସାଙ୍ଗରେ ଯିବାକୁ ପଚାରିଲେ । ମୁଁ ରାଜି ହୋଇଗଲି ।’’
ଜେଜେବାପା କ’ଣ କହିଲେ? ତମକୁ ଭୟ ଲାଗୁ ନଥିଲା କି? ମୋ ମନରେ ଅନେକ ପ୍ରଶ୍ନ ଥିଲା । ଜେଜେମା’ ଯେଉଁ କାହାଣୀ କହୁଥିଲେ ତାହା ହଠାତ୍ ରୋମାଞ୍ଚକର ହୋଇଉଠିଲା । ସାରା ଜୀବନ ମୁଁ ତାଙ୍କୁ ଜଣେ କୋମଳମତୀ, ଦୟାଳୁ ଏବଂ ସ୍ନେହୀ ମଣିଷ ଭାବେ ଦେଖୁଥିଲି, ଯିଏ ରୋଷେଇ କରନ୍ତି, ବୁଣାବୁଣି କରନ୍ତି, ହସି ଦିଅନ୍ତି ଏବଂ ପରିବାର ପାଇଁ କାମ କରନ୍ତି । ଜଣେ ମହିଳା ଯିଏ ସବୁବେଳେ ଘରେ ରହୁଥିଲେ, ପ୍ରକୃତ ଅର୍ଥରେ ଜଣେ ଗୃହିଣୀ । କିନ୍ତୁ ଏବେ ହଠାତ୍, ମୁଁ ସେହି ସାହସୀ ଏବଂ ଅବିଶ୍ୱସନୀୟ ଦୁଃସାହସ ବିଷୟରେ ଜାଣୁଥିଲି ଯାହା ସେ ସାଢ଼େ ତିନି ଦଶକ ପୂର୍ବେ ନିଜ ମାଆ ଏବଂ ଭଉଣୀଙ୍କ ସହ ମିଶି କରିଥିଲେ । ସେ ବିଷୟରେ ମୁଁ ଅଧିକ ଜାଣିବାକୁ ଚାହୁଁଥିଲି ।
"କାୟ ନାୟ, ଝା ମହଣୁନ ସାଙ୍ଗିତଲା । ତ୍ୟାଞ୍ଚି ବହିନାଚ ନା ତି, ବହିନି ବରୋବର ଜାତେସ ତର ଜା । ତ୍ୟା ବାୟକାଞ୍ଚି ସହଲ ହୋତି, ତେ ୟେଉ ଶକତ ନଭତେ । [କିଛି ନାହିଁ । ମୋ ସ୍ୱାମୀ କହିଲେ, ଯାଅ । ଏହା ତାଙ୍କ ଭଉଣୀଙ୍କ ସହ ଥିଲା, ଠିକ୍ ନା’? ଯଦି ତମେ ମୋ ଭଉଣୀ ସହିତ ଯାଉଛ, ତେବେ ଏହା କେବଳ ମହିଳାମାନଙ୍କର ଯାତ୍ରା ଥିବାରୁ ସେ ଆସି ପାରିନଥାନ୍ତେ । ଆଉ, ମୋର ଯିବାକୁ ବହୁତ ଇଚ୍ଛା ଥିଲା । କୌଣସି ଭୟ କିମ୍ବା ଚିନ୍ତା ନଥିଲା] । ଫିରାୟଲା ଜାୟଚୟ ମଗ ଭିତି କସଲି ବାଟନାର [ଯଦି ତୁମେ ଭ୍ରମଣ ପାଇଁ ଯାଉଛ, ତେବେ ଭୟ କାହିଁକି ଲାଗିବ?]
‘‘ସେତେବେଳେ ମୋତେ ୫୦ ବର୍ଷ ବୟସ ହୋଇଥିଲା । ଶାଳନ ଆଜି (ତାଙ୍କ ଭଉଣୀ) ଦୁଇ ବର୍ଷ ସାନ ଥିଲେ । ମୋ ମାଆଙ୍କୁ ପ୍ରାୟ ୭୨ ବର୍ଷ ହୋଇଥିବ । ପହିଲି ଲୋକା କଟକ ହୋତି ନା ରେ । ଆତା ଆମହି କସା କଟକ ନାହି ଆହେ ୟେଭଡା । ଆମଚି ଆଇ କଟକ ହୋତି ଶେବଟ ପର୍ଯ୍ୟନ୍ତ ଚାଲତ ହୋତି ଚାଙ୍ଗଲି । [ପୂର୍ବରୁ ଲୋକମାନେ ବହୁତ ଶକ୍ତ ଏବଂ ସୁସ୍ଥ ସବଳ ଥିଲେ । ଆମେ ଏବେ ସେତେଟା ସୁସ୍ଥ ସବଳ ନୁହେଁ । ମୋ ମାଆ ଶକ୍ତିଶାଳୀ ଥିଲେ ଏବଂ ସେ ଶେଷ ପର୍ଯ୍ୟନ୍ତ ଭଲ ଭାବେ ଚାଲୁଥିଲେ ।] ଆମେ ୪୫ ଜଣ ମହିଳା ସେହି ବସ୍ରେ ଥିଲୁ ଯାହାକୁ ଆମେ ୧୫ ଦିନରୁ ଅଧିକ ପାଇଁ ବୁକ୍ କରିଥିଲୁ । ମୋର ଦୁଇ ପୁଅ ମିଶି ମୋତେ ଯିବାଆସିବା ଖର୍ଚ୍ଚ ପାଇଁ ୪ ହଜାର ଟଙ୍କା ଦେଇଥିଲେ । ଆମେ କାଶୀ, ଉଜ୍ଜୟିନୀ, ମଥୁରା ଆଦି ୨୭ଟି ତୀର୍ଥ ସ୍ଥଳ ଦର୍ଶନ କରିଥିଲୁ...’’
ମୁଁ ଆଖି ବଡ଼ ବଡ଼ କରି ଜେଜେ-ମା’ଙ୍କ ଆଉ ଏକ କାହାଣୀ ଶୁଣିବା ପାଇଁ ପ୍ରସ୍ତୁତ ଥିଲି...


