ଅରତତୋଣ୍ଡି ଗାଁର ଅଣଓସାରିଆ ଗଳି ରାସ୍ତାରୁ ଭାସି ଆସୁଥିଲା ମାଦକତା ଭରା ମିଠା ମିଠା, ମନ ମତାଣିଆ ବାସ୍ନା ।
ଗାଁର ପ୍ରତିଟି ଘରର ଦାଣ୍ଡ ଅଗଣାରେ ବାଉଁଶ ଚଟେଇରେ, ନରମ ପଟିରେ ଏବଂ ମାଟି ଚଟାଣରେ ଶୁଖୁଥିଲା ହଳଦିଆ, ସବୁଜ ଏବଂ ବାଦାମୀ ଭଳି ଚମତ୍କାର ରଙ୍ଗର ଗଦା ଗଦା ମହୁଲ ଫୁଲ । ତାଜା ତାଜା ତୋଳାଯାଇଥିବା ହଳଦିଆ ଓ ସବୁଜ ରଙ୍ଗର ଫୁଲଗୁଡ଼ିକ ଖରାରେ ଶୁଖି ଟାଣ ହୋଇଯିବା ସହିତ ଏହାର ରଙ୍ଗ ବାଦାମୀ ହୋଇଯାଏ ।
ନିର୍ବାଚନ ପାଖେଇ ଆସିଲାଣି ଏବଂ ମହାରାଷ୍ଟ୍ରର ଗୋନ୍ଦିଆରେ ଅନୁଭୂତ ହେଲାଣି ମହୁଲ ଫୁଲର ଋତୁ ।
“ଏପ୍ରିଲରେ ମହୁଲ ଏବଂ ମେ’ରେ କେନ୍ଦୁପତ୍ର,” କହନ୍ତି ସାର୍ଥିକା କୈଳାସ ଆଡ଼େ । “ଆମର ଏଠି ଏଇଆ ହିଁ ଅଛି ।” ବଡ଼ ବଡ଼ ମହୁଆ ଗଛରୁ ଖସି ପଡୁଥିବା ଏହି କୋମଳ ଫୁଲ ଗୋଟାଇ ଆଣିବା ଲାଗି ପ୍ରତିଦିନ ସକାଳେ ୩୫ ବର୍ଷୀୟ ସାର୍ଥିକା ଏବଂ ମାନା ଓ ଗୋଣ୍ଡ ସଂପ୍ରଦାୟର ଅନ୍ୟ କେତେକ ଗ୍ରାମବାସୀ ଆଖପାଖ ଜଙ୍ଗଲରେ ୪-୫ ଘଣ୍ଟା ବିତାଇ ଦିଅନ୍ତି । ଏ ସମୟରେ ମହୁଲ ଗଛର ପତ୍ର ଲାଲ ପଡ଼ି ଗଲାଣି । ମଧ୍ୟାହ୍ନ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ସେଲ୍ସିୟସରେ ପହଞ୍ଚିଲା ବେଳକୁ ଅସହ୍ୟ ତାତି ଅନୁଭୂତ ହୁଏ ।
ପ୍ରତି ମହୁଆ ଗଛରୁ ହାରାହାରି ୪ରୁ ୬ କିଲୋଗ୍ରାମ ପର୍ଯ୍ୟନ୍ତ ଫୁଲ ବାହାରେ । ଅରତତୋଣ୍ଡି (ସ୍ଥାନୀୟ ଲୋକେ ଅରକତୋଣ୍ଡି ବି କହନ୍ତି) ଗାଁର ଲୋକେ ଏହି ଫୁଲକୁ ବାଉଁଶ ଟୋକେଇ କିମ୍ବା ପ୍ଲାଷ୍ଟି୍ କ ବସ୍ତାରେ ସଂଗ୍ରହ କରି ଘରକୁ ଆଣନ୍ତି ଏବଂ ଖରାରେ ଶୁଖାଇ ଦିଅନ୍ତି । ଗୋଟିଏ କିଲୋ ଶୁଖିଲା ମହୁଲ ଫୁଲ ୩୫ରୁ ୪୦ ଟଙ୍କା ଦରରେ ବିକ୍ରି ହୁଏ ଏବଂ ଜଣେ ବ୍ୟକ୍ତି ପ୍ରତିଦିନ ୫-୭ କିଲୋ ମହୁଲ ସଂଗ୍ରହ କରିପାରନ୍ତି ।
















