ଏହି ରିପୋର୍ଟ ପୁଲିଜର ସେଣ୍ଟର ସହାୟତାରେ ପରିଚାଳିତ ପାର୍ଥ ଏମ୍.ଏନ୍.ଙ୍କର ଏକ ଶୃଙ୍ଖଳର ଅଂଶବିଶେଷ
ଜଣେ ସଂପର୍କୀୟ ଭାଇଙ୍କ ପାଖରୁ ଆସିଥିବା ୟୁଟୁବ୍ ଚ୍ୟାନେଲର କେବଳ ଗୋଟିଏ ଲିଙ୍କ ଯୋଗୁଁ ଅମୋଲ ଖାଣ୍ଡେକର ତାଙ୍କ ମାସିକ ଆୟର ଦୁଇ ଗୁଣରୁ ଅଧିକ ହରାଇଲେ । ଆଉ ଏହା କୌଣସି ଫିସିଂ ବା ସାଇବର ଠକେଇ ନଥିଲା ।
କୌଣସିମତେ ଗୁଜରାଣ ମେଣ୍ଟାଉ ଥିବା ଏହି ୩୫ ବର୍ଷୀୟ ଶ୍ରମିକ ଜଣକ ସେହି ଲିଙ୍କ୍ ଦେଖିଲେ ଏବଂ ପରଦିନ ବଡ଼ି ଭୋରରୁ ବସ୍ ଧରିଲେ । ତାଙ୍କ ସହିତ ଥିଲେ ମୁଣ୍ଡ ଭିତରେ ‘ସିଷ୍ଟ’ ବା ବଢ଼ିଥିବା ମାଂସର ଛୋଟ ପିଣ୍ଡୁଳାରେ ପୀଡ଼ିତ ୧୧ ବର୍ଷର ପୁଅ ଏବଂ ଗଣ୍ଠିରୋଗ ସହ ସଂଘର୍ଷ କରୁଥିବା ତାଙ୍କର ରୋଗାକ୍ରାନ୍ତ ମାଆ । ରାଜ୍ୟ ପରିବହନ ବିଭାଗର ଏକ ଭଙ୍ଗାଦଦରା ବସ୍ରେ ବସି ନଅ ଘଣ୍ଟାର ଯାତ୍ରା ଯୋଗୁଁ ତାଙ୍କର ଦୁଇ ଆଣ୍ଠୁ ଆହୁରି ନିସ୍ତେଜ ହୋଇଗଲା ସିନା, ହେଲେ ଆଗକୁ ଯାତ୍ରାର ସୁଫଳ ମିଳିବା ଆଶା ରହିଥିଲା । ସେହି ୟୁଟ୍ୟୁବ୍ ଚ୍ୟାନେଲରେ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ରହିଥିଲା ବୋଲି ଅମୋଲଙ୍କ ସଂପର୍କୀୟ ଭାଇ ତାଙ୍କୁ ଆଶ୍ୱାସନା ଦେଇଥିଲେ ।
ଏହି ଚ୍ୟାନେଲରେ ପ୍ରଦର୍ଶିତ ଏକ ଭିଡିଓ ଶୃଙ୍ଖଳରେ, କପାଳ ସାରା ଧଳା ଚକ୍ ଗୁଣ୍ଡ ଲଗାଇଥିବା ଜଣେ ଦାଢ଼ିଆ ‘ଧର୍ମଗୁରୁ’ ଆସି ହଜାର ହଜାର ଅଭିଭୂତ ଦର୍ଶକଙ୍କୁ ସମ୍ବୋଧନ କରୁଥିଲେ । ନିଶା ଯୋଗୁଁ ସମସ୍ୟାଗ୍ରସ୍ତ ପରିବାରରୁ ଆରମ୍ଭ କରି କ୍ୟାନସର ଯନ୍ତ୍ରଣା ଭୋଗୁଥିବା ପେସାଦାର ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ମାନସିକ ବ୍ୟାଧିରୁ ଆରମ୍ଭ କରି ପ୍ରେମ ସଂପର୍କରେ ସମସ୍ୟା ଜର୍ଜରିତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ସବୁ କିଛିର ନିରାକରଣ ଲାଗି ରାଜେନ୍ଦ୍ର ଗଡଗେ ‘ମହାରାଜ’ଙ୍କ ପାଖରେ ଉପଚାର ଉପାୟ ରହିଥିଲା ।
ତାଙ୍କ ଚ୍ୟାନେଲ ଅନୁସାରେ, ଭଗବାନ ବିଷ୍ଣୁଙ୍କ ଅବତାର ରୂପେ ପୂଜା ପାଉଥିବା ଜଣେ ପୌରାଣିକ ସନ୍ନ୍ୟାସୀ, ଦତ୍ତାଙ୍କ ପାଖରେ ୧୨ ବର୍ଷ କାଳ ରହି ଗଡଗେ ଆଧ୍ୟାତ୍ମିକ ଶିକ୍ଷା ସଂପୂର୍ଣ୍ଣ କରିଥିଲେ । ଚ୍ୟାନେଲର ‘ଆମ ସଂପର୍କରେ’ ଶୀର୍ଷକ ବିଭାଗରେ ଉଲ୍ଲେଖ କରାଯାଇଛି “ଆଧ୍ୟାତ୍ମ୍ୟବାଦ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ କାରଣରୁ ଦତ୍ତାଗୁରୁ ଗଡ଼ଜେ ମହାରାଜଙ୍କୁ ଆଶୀର୍ବାଦ ଦେଇଥିଲେ ।” ସେହିଦିନଠାରୁ, “ସେ ଔଷଧ ଓ ପ୍ରାର୍ଥନା ସହାୟତାରେ ତାଙ୍କ ଦର୍ଶନାର୍ଥୀମାନଙ୍କ ସମସ୍ୟାର ସମାଧାନ କରିଆସୁଛନ୍ତି ।”
ଆନୁଷ୍ଠାନିକ ଭାବେ ‘ଦତ୍ତାଧାମ ସରକାର ସଙ୍ଗମନେର’ ନାମରେ ନାମିତ ଏହି ୟୁଟ୍ୟୁବ୍ ଚ୍ୟାନେଲର ୧୮୩,୦୦୦ ସବସ୍କ୍ରାଇବର ଏବଂ ଏହାର ପ୍ରତିଟି ଭିଡିଓ ତଳେ ଉତ୍ସାହବର୍ଦ୍ଧକ ମତାମତ ରହିଥିବା ଦେଖି ଅମୋଲ ଭାବିଲେ: “ନିଶ୍ଚୟ ସେ କିଛି ଗୋଟାଏ ଠିକ୍ କାମ କରୁଛନ୍ତି ।”










