ଗୁଡଗାଓଁର ବଞ୍ଜାରା ମାର୍କେଟରେ ଥିବା ନିଜ ଦୋକାନ ଆଗରେ କାଂଶୀ ରାମ ଠିଆ ହୋଇଛନ୍ତି। ତାଙ୍କ ପଛରେ ଥିବା ବାଉଁଶ ଏବଂ ତାରପୋଲିନର ଛାଉଣି ଭିତରେ, ଏକ ଛୋଟିଆ ସ୍ଥାନରେ ବିକ୍ରି ପାଇଁ ବିଭିନ୍ନ ପ୍ରକାରର କାଠ ଆସବାବପତ୍ର ଖୁନ୍ଦି ହୋଇ ରହିଛି। ତାଙ୍କ ପତ୍ନୀ ଆଶା ପାଖରେ ବସିଛନ୍ତି। ସେ ଖଣ୍ଡେ କପଡ଼ା ଓଦା କରି ନିଜ ମୁଣ୍ଡରେ ରଖିଛନ୍ତି। ଦିନ ଆରମ୍ଭ ହୋଇଯାଇଛି ଏବଂ ଦିଲ୍ଲୀରେ ଖରାଦିନ ସକାଳ ବି ଅସହ୍ୟ ହୋଇଥାଏ, କିନ୍ତୁ ମୁଣ୍ଡରେ ଥିବା ଓଦା କପଡ଼ା ତାଙ୍କୁ ଥଣ୍ଡା ରଖିବ ବୋଲି ସେ କହନ୍ତି।
କାଂଶୀ ରାମ କିମ୍ବା ଆଶା କାହା ପାଇଁ ଗରମ ନୂଆ କଥା ନୁହେଁ। ପାରମ୍ପରିକ କମାରମାନଙ୍କ ଗାଡ଼ିଆ ଲୋହାର ସମ୍ପ୍ରଦାୟ ପାଇଁ ନିଆଁ ଚିର ସହଚର। "ଐସି ଗରମି ମେଁ ଗରମ ଗରମ ଲୋହେ କୋ ପିଟତେ ଥେ…ଆଞ୍ଚ କେ ସାମନେ ଭୋତମେହନତ କି ହୈ " [ଏଭଳି ଗରମରେ ଆମେ ତତଲା ଲୁହାକୁ ପିଟୁଥିଲୁ... ଜଳୁଥିବା ନିଆଁ ଆଗରେ ଆମେ ବହୁତ ପରିଶ୍ରମ କରିଛୁ।]
ଗାଡ଼ିଆ ଲୋହାର ମାନଙ୍କର ଉତ୍ପତ୍ତି ରାଜସ୍ଥାନରୁ ହୋଇଥିବା ଜଣାଯାଏ, ଯେଉଁଠାରେ ସେମାନଙ୍କୁ ଅତି ପଛୁଆ ବର୍ଗ (ଏମବିସି) ଭାବରେ ତାଲିକାଭୁକ୍ତ କରାଯାଇଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ଭଳି ଯେଉଁଠାରେ ସେମାନେ ଅଧିକ ସଂଖ୍ୟାରେ ରହୁଛନ୍ତି, ସେଠାରେ ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ନିଜସ୍ୱ ଜମି ନଥିବା ୯୮ ପ୍ରତିଶତ ଯାଯାବର ଏବଂ ଅର୍ଦ୍ଧ-ଯାଯାବର ସମ୍ପ୍ରଦାୟର ସେମାନେ ହେଉଛନ୍ତି ଏକ ପ୍ରମୁଖ ଅଂଶ। ଭାରତରେ ମାତ୍ର ୧୧ ପ୍ରତିଶତ ଯାଯାବର ସମ୍ପ୍ରଦାୟ ସାର୍ବଜନୀନ ଜମିରେ ବାସ କରନ୍ତି। ଅନେକ ଗଡିଆ ଲୋହାର ନିଜର ଶଗଡ଼ (ଗାଡ଼ି)ରେ ରହନ୍ତି ଏବଂ ଯାତ୍ରା କରନ୍ତି, ଯାହା ସେମାନଙ୍କର ଭ୍ରାମ୍ୟମାଣ ଘର ଏବଂ କର୍ମକ୍ଷେତ୍ର ଭାବରେ କାମ କରିଥାଏ।
କାଂଶୀ ରାମ ନିଜର ହାତତିଆରି ଲୁହା ସରଞ୍ଜାମ, ବାସନକୁସନ ଏବଂ ଅନ୍ୟାନ୍ୟ ଉପକରଣ ବୁଲି ବୁଲି ବିକ୍ରି କରି ଖରା ଏବଂ ଶୀତ ଦିନେ ରାସ୍ତାରେ ବର୍ଷ ବର୍ଷ ବିତାଇଛନ୍ତି।
କିନ୍ତୁ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖରେ ଦୁଇ ଦଶନ୍ଧି ଧରି ବଢୁଥିବା ତାପମାତ୍ରାର ପ୍ରତିକୂଳ ପ୍ରଭାବ ପଡ଼ିଛି ଏବଂ ସେ ଏଣେତେଣେ ବୁଲିବା ବନ୍ଦ କରିଦେଇଛନ୍ତି। "ଏଭଳି ଭୀଷଣ ଗରମରେ ଘରକୁ ଘର ବୁଲିବା ଅର୍ଥହୀନ। ସେଥିପାଇଁ ଆମେ ସେହି ବ୍ୟବସାୟ ଛାଡ଼ି ଏହି କାମ ଆରମ୍ଭ କଲୁ," ବୋଲି ସେ ପରୀକୁ କହିଛନ୍ତି।












