କୃଷକ ଆସିନୋ ମେସିସିନୋ ମେୟାସେ କହନ୍ତି, ‘‘ଆମେ ପ୍ରାୟତଃ କାମ କରିବା ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ଗାବି ରାନ୍ଧିଥାଉ। ହାଲ୍କା ମସଲା ପଡ଼ିଥିବା ଏହି ତରକାରୀ ଅଳ୍ପ ଜିନିଷ ଦରକାର କରେ- ସବୁ ସ୍ଥାନୀୟ ନାଗାଲାଣ୍ଡର ଖୋନୋମାରେ ମିଳିଯାଏ ଏବଂ ସେଗୁଡ଼ିକ ସେମାନଙ୍କ କ୍ଷେତରେ କାମ କରୁଥିବା କୃଷକମାନଙ୍କ ହାତପାଆନ୍ତାରେ ଥାଏ।
ଏଥିସହିତ ସେ କୁହନ୍ତି, ‘‘ବେଳେ ବେଳେ ଆମେ ଗାଲ୍ହୋ ମଧ୍ୟ ତିଆରି କରୁ।’’ ସେ ସତେଜ ସବୁଜ ଶାକସବ୍ଜୀ କିମ୍ବା ଜଙ୍ଗଲୀ ପରିବା ସହିତ ସ୍ଥାନୀୟ ମସଲା ମସ୍ଲି ଏବଂ ଘୁଷୁରୀ ମାଂସ କିମ୍ବା ଗୋ ମାଂସ ମିଶା ଖେଚୁଡ଼ି ଭାତ ବିଷୟରେ କହୁଥିଲେ। ୩୬ ବର୍ଷ ବୟସ୍କା ଆସିନୋ ପରୀକୁ କୁହନ୍ତି, ‘‘ଏହା ହେଉଛି ଏକ ଅଙ୍ଗାମୀ ବିଶେଷ ବ୍ୟଞ୍ଜନ।’’
ଏକ ହାଲ୍କା ଶୀତ ସକାଳେ ଆସିନୋ ତାଙ୍କ ପ୍ରିୟ ସାଙ୍ଗ ଉତ୍ସୋନୋ ମେରୁଙ୍କ ସହ ଖୋନୋମାର ଝୁମ୍ କ୍ଷେତକୁ ଯାଉଥିବା ଅଣଓସାରିଆ ରାସ୍ତାରେ ଚାଲି ଚାଲି ଯାଉଛନ୍ତି, ନାଗାଲାଣ୍ଡରେ ଝୁମ୍ (ପରିବର୍ତ୍ତିତ କୃଷି) ସାଧାରଣ ଭାବରେ ପାହାଡ଼ିଆ ଅଞ୍ଚଳରେ ପ୍ରଚଳିତ। ଆମେ ସେମାନଙ୍କ ସହ ଚାଲିଲା ବେଳେ ପରସ୍ପର ସହ କଥା ହେଉ ହେଉ ଏବଂ ହସି ହସି ଏହି ଦୁଇ ଜଣ ହଠାତ୍ ନଇଁ ପଡ଼ନ୍ତି ଏବଂ କିଛି ଶାଗ ଏବଂ ଗଛରୁ କିଛି ଛିଣ୍ଡାଇ ଦିଅନ୍ତି। ଆସିନୋ କହନ୍ତି, ‘‘ଆମେ ପ୍ରକୃତରେ ସବୁଠୁ ଭଲ ସାଙ୍ଗ। ଆମେ ଯେତେବେଳେ ପରସ୍ପର ସହିତ ଥାଉ ସବୁଠୁ ଖୁସି ଥାଉ।’’ ଏବଂ ଏମିତି ଏହି ପିଲାଦିନର ସାଙ୍ଗ ଦୁହେଁ ସେମାନଙ୍କ ସମୟ ମେଳ କରନ୍ତି ଏବଂ ଏକାଠି ସେମାନଙ୍କର ଝୁମ୍ କ୍ଷେତରେ କାମ କରନ୍ତି।
ଉତ୍ସୋନୋ, ୪୨ ତାଙ୍କ ହାତରେ ଏକାଠି ଥିବା ସାଙ୍ଗେ ସାଙ୍ଗେ ତୋଳା ଯାଇଥିବା ବିଭିନ୍ନ ପ୍ରକାର ପତ୍ରକୁ ଦେଖାନ୍ତି ଏବଂ ତେନିଡିରେ ସେଗୁଡ଼ିକର ନାଁ କହନ୍ତି; ଗାଥା (ଫିଶ୍ ମିଣ୍ଟ୍, ହୋଟ୍ଟୁୟନିଆ କୋର୍ଡାଟା), ଗାଗି (ହିମାଳୟାନ୍ ନଟ୍ୱିଡ୍, କୋଇନିଗିଆ ପୋଲିଷ୍ଟାଚ୍ୟା), ଖାମ୍ହୁ (ବନ ତୁଳସୀ, ପେରିଲ୍ଳା, ଫ୍ରୁଟେସେନ୍ସ) ଏବଂ ଗାକ୍ରା (ପାଣି ମିନାମୁରିଆ, ଓଏନାନ୍ଥେ ଜାଭାନିକା)
ସେ ବୁଝାଇ କୁହନ୍ତି, ‘‘ଆମେ ଗାବି ସହ ଖାଇବା ପାଇଁ ରାଜା ଲଙ୍କା ସହ ଗାଥା ମିଶାଇ ଏକ ଚଟଣି ତିଆରି କରିବୁ ଆଉ ଅବଶିଷ୍ଟ ଶାକସବ୍ଜୀ ଗାବିରେ ପଡ଼ିବ। ଯାହା ବଳିଯିବ ଆମେ ଘରକୁ ନେଇଯିବୁ ଏବଂ ପରେ ରାନ୍ଧିବୁ।’’






