‘‘ହମାରେ ଚୁଲ୍ହେ ତୋ ଇନ୍ ଲାଶୋଁ ସେ ଜଲ୍ତେ ହୈଁ (ଏହି ମୃତଦେହଗୁଡ଼ିକ ଯୋଗୁଁ ହିଁ ଆମ ରୋଷେଇ ଘରର ଚୁଲି ଜଳେ)” - ବାରାଣସୀର ରାଜା ହରିଶ୍ଚନ୍ଦ୍ର ଶ୍ମଶାନ ଘାଟରେ ଦିନର ଦ୍ୱିତୀୟ ଶବଦାହ ପାଇଁ ଚିତା ସଜାଡୁଥିବା ବେଳେ ଏପରି କହିଛନ୍ତି ବିଜୟ । ଧୂଆଁ ଏବଂ ପାଉଁଶ ଆଖି ଓ ନାକରେ ପଶି ପୋଡୁଥାଏ, ତଥାପି ସେ ହାତ ହଲାଇ ପବନ କରି ନିଆଁ ଧରାଇବାରେ ବ୍ୟସ୍ତ ଥାଆନ୍ତି ।
ବନାରସର ଡମ ସମ୍ପ୍ରଦାୟର (ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ) ୩୫ ବର୍ଷୀୟ ବିଜୟ ଚୌଧୁରୀ । ଏହି ବୃତ୍ତିକୁ ଆପଣାଇବାରେ ସେ ହେଉଛନ୍ତି ତାଙ୍କ ପରିବାରର ଚତୁର୍ଥ ପିଢ଼ି । ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶୋକାକୁଳ ପରିବାର ଦ୍ୱାରା ସହରକୁ ଅଣାଯାଇଥିବା ମୃତଦେହର ଦାହ ଏବଂ ଶେଷକୃତ୍ୟ କରିବା ତାଙ୍କର କାମ ।
ଅନେକଙ୍କ ପରିବାର ଭଳି ବିଜୟଙ୍କ ଘରେ ମଧ୍ୟ ରନ୍ଧନ ଗ୍ୟାସ୍ ବା ଏଲପିଜି ସଂଯୋଗ ଅଛି, କିନ୍ତୁ ଗତ ୨୫ ଦିନ ହେଲା ଗ୍ୟାସ୍ ମିଳୁନାହିଁ । ‘‘ମୁଁ ଗ୍ୟାସ୍ ରିଫିଲ୍ କରିବାକୁ ବୁକିଂ ପାଇଁ ଚେଷ୍ଟା କରିଥିଲି, କିନ୍ତୁ ସେମାନଙ୍କ ଫୋନ୍ କେବଳ ବାଜୁଥାଏ, କେହି ଉଠାଇଲେ ନାହିଁ । ହଜାରେ ଟଙ୍କା ମୂଲ୍ୟର ସିଲିଣ୍ଡର (୧୪.୨ କିଲୋଗ୍ରାମ) ପାଇଁ ଦୁଇ ହଜାର ଟଙ୍କା ଦେବା ଆମ ପକ୍ଷେ ସମ୍ଭବ ନୁହେଁ । ତେଣୁ ଆମେ ପୁରୁଣା ପରମ୍ପରାକୁ ଫେରି ଆସିଛୁ - ଚିତା ପାଇଁ ବ୍ୟବହୃତ କାଠର ଖଣ୍ଡ ବା ବଳି ଯାଉଥିବା କାଠରେ ରୋଷେଇ କରିବା । ଆମେ ପ୍ରତିଦିନ କିଛି କାଠ ଘରକୁ ନେଇଯାଉଛୁ’’, ‘ପରୀ’କୁ କହିଛନ୍ତି ବିଜୟ ।















