“ତାକୁ କେହି ଛୁଉଁ ନଥିଲେ; ସମସ୍ତେ ଦୂରେଇ ରହୁଥିଲେ । ଜବ୍ ଡକ୍ଟର ସାହାବ ଆୟା ତୋ ୱ ଭି ହାଥ ମେଁ ପହନ କେ, ମୁହ ଢକକେ ଚେକ୍ କର ରହା ହୈ (ଯେତେବେଳେ ଡାକ୍ତର ଆସିଲେ, ସେ ବି ତା’ର ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ହାତରେ ଗ୍ଲୋବ୍ସ ଏବଂ ମୁହଁରେ ମାସ୍କ ପିନ୍ଧିଥିଲେ) ।”
ଆଜିକାଲି ହାସପାତାଳ ପରିବେଶ ସହିତ ଅଭ୍ୟସ୍ତ ହୋଇଗଲେଣି ସୁନୀତା ଲାଗୁରି – ତାଙ୍କ ଝିଅକୁ ନେଇ କେତେ ଥର ଯେ ସେ ବିଭିନ୍ନ ହାସପାତାଳକୁ ଯାଇଛନ୍ତି ତାହା ତାଙ୍କର ମନେ ନାହିଁ ।
ସାତ ବର୍ଷର ତାଙ୍କ ଝିଅ ରିୟାକୁ ମାତ୍ର ପାଞ୍ଚ ମାସ ହୋଇଥିବା ସମୟରେ ସେ ଥାଲାସେମିଆ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା । ଥାଲାସେମିଆ ଏକ ଆନୁବଂଶିକ ରକ୍ତଗତ ବ୍ୟାଧି ଏବଂ ରିୟାକୁ ଯେଉଁ ଧରଣର ରୋଗ ହୋଇଥିଲା, ତା’ର ଚିକିତ୍ସା ଲାଗି ସାରା ଜୀବନ ନିୟମିତ ରକ୍ତ ଦେବା ଆବଶ୍ୟକ । ତେଣୁ, ସୁନୀତା ଝିଅକୁ ନେଇ ପ୍ରତି ମାସରେ ଦୁଇ ଥର ସରକାରୀ ଡାକ୍ତରଖାନାକୁ ଆସନ୍ତି ଏବଂ ସେଠାକାର କର୍ମଚାରୀମାନଙ୍କ ସହିତ ସେ ବେଶ୍ ପରିଚିତ ହୋଇଗଲେଣି ।
ହେଲେ, ୨୦୨୫ ସେପ୍ଟେମ୍ବରରେ ଡାକ୍ତରଖାନା ଆସିବା କଥାକୁ ସେ କେବେହେଲେ ଭୁଲି ପାରିବେ ନାହିଁ ।
ସେ ସେଦିନ ରାଜ୍ୟ ସରକାରଙ୍କ ସ୍ୱାମୀ ବିବେକାନନ୍ଦ ନିଶକ୍ତ ସ୍ୱାବଲମ୍ବନ ପ୍ରୋତ୍ସାହନ ଯୋଜନାରେ ମାସିକ ୧,୦୦୦ ଟଙ୍କା ସହାୟତା ପାଇଁ ଆବେଦନ କରିବା ଆଶାରେ ଘରୁ ବାହାରିଥିଲେ । ଆବେଦନ ଦାଖଲ ଲାଗି କେତେକ ଅତିରିକ୍ତ ପରୀକ୍ଷା କରାଇ ନେବାକୁ ତାଙ୍କୁ କୁହାଯାଇଥିଲା ।
ସୁନୀତା ଅପେକ୍ଷା କଲେ ଏବଂ ଯେତେବେଳେ ସବୁ ପରୀକ୍ଷାର ଫଳାଫଳ ଆସି ପହଞ୍ଚିଲା, ଗୋଟିଏ ପରୀକ୍ଷାର ପରିଣାମ ସବୁକିଛି ବଦଳାଇ ଦେଲା । ତାଙ୍କ ଝିଅ ଏଚଆଇଭି-ପଜିଟିଭ୍ ବୋଲି ଜଣାପଡ଼ିଥିଲା । ସେ ‘ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍’ ବା ମଣିଷର ରୋଗ ପ୍ରତିରୋଧକ ଶକ୍ତି କ୍ଷୟ କରୁଥିବା ଭୂତାଣୁ ସଂକ୍ରମିତ ହୋଇସାରିଥିଲା । ଯଦି ଚିକିତ୍ସା କରା ନଯାଏ, ତେବେ ଏଚ୍ଆଇଭି ସଂକ୍ରମଣ ଭୟାବହ ‘ଏଡ୍ସ’(ଆକ୍ୱାୟାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ)ରେ ପରିଣତ ହୋଇପାରେ ।
“ଆମେ ଏହି ରୋଗ କଥା କେବେ ବି ଶୁଣି ନଥିଲୁ । ଏମିତି କି ଆମେ ଜାଣିନୁ ଯେ ଏହି ରୋଗଟା କ’ଣ,” କେଇ ସପ୍ତାହ ପରେ, ଏବେ ବି ମାନସିକ ଆଘାତରୁ ମୁକୁଳି ପାରି ନଥିବା ସୁନୀତା, ଝିଅ ରିୟା ସହିତ ତାଙ୍କ ବଖୁରିକିଆ କଚା ଘର ବାହାରେ ବସି କହିଲେ । ତାଙ୍କ ସ୍ୱାମୀ ବିଜୟ କାମଧନ୍ଦା ଲାଗି ଗାଁ ଛାଡ଼ି ବାହାରକୁ ଚାଲିଯାଇଥାଆନ୍ତି । ଏଥର ଯଥେଷ୍ଟ ପଇସା ନେଇ ଫେରିଆସିଲେ, ତାଙ୍କ ଘରକୁ ପୁଣି ନୂଆ କରି ତିଆରି କରିବେ ବୋଲି ଆଶା କରିଥିଲେ । ଏହି ପାଞ୍ଚଜଣିଆ ପରିବାର ହୋ ସଂପ୍ରଦାୟର, ଯାହାକି ଝାଡ଼ଖଣ୍ଡରେ ଅଧିସୂଚିତ ଜନଜାତି ରୂପେ ବର୍ଗୀକୃତ ।















